Konark Photograph: (KanakNews)
କନକ ବ୍ୟୁରୋ : ବିଶ୍ବ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିର ବୁଲିବାକୁ ଆସି ସଂସଦୀୟ କମିଟିର ସଦସ୍ୟମାନେ ହଟହଟା ହୋଇଛନ୍ତି । କମିଟିର ଜଣେ ସଦସ୍ୟଙ୍କୁ ଛାଡ଼ି ଗାଡ଼ି ପଳାଇଥିବା ବେଳେ ଆଉ ଜଣେ ଅସୁସ୍ଥ ହୋଇ ପଡ଼ିଥିଲେ । ଏମିତିକି ତାଙ୍କୁ ଡାକ୍ତରଖାନା ନେବା ପାଇଁ ଆମ୍ବୁଲାନ୍ସ ମଧ୍ୟ ମିଳିନଥିଲା । ଶେଷରେ ଗୋପରୁ ଆମ୍ବୁଲାନ୍ସ ଆସିବା ପରେ ତାଙ୍କୁ ଭୁବନେଶ୍ବର ନିଆଯାଇଥିଲା । ଏଆଇଏଡିଏମ୍କେ ରାଜ୍ୟସଭା ସାଂସଦ ମୁନିସାମୀ ଥମ୍ବିଦୁରାଇଙ୍କ ଅଧ୍ୟକ୍ଷତାରେ ସଂସଦୀୟ ଟିମ୍ କୋଣାର୍କ ବୁଲିବା ପାଇଁ ଆସିଥିଲେ । ବୁଲି ସାରିବା ପରେ ସେମାନେ ଫେରି ଯାଇଥିଲେ । ହେଲେ ଜଣେ ସଦସ୍ୟଙ୍କୁ ଛାଡ଼ି ଗାଡ଼ି ଚାଲି ଯାଇଥିଲା । ସଦସ୍ୟ ଜଣଙ୍କ ମନ୍ଦିରରୁ ବାହାରିବା ପରେ ଗାଡ଼ି ନଥିବା ଦେଖି ବିସ୍ମିତ ହୋଇ ଯାଇଥିଲେ। ଅନ୍ୟ ଜଣେ ସଦସ୍ୟଙ୍କୁ ସେ ଫୋନ୍ ଯୋଗେ ଅବଗତ କରିବା ପରେ ପୁରୀ ଜିଲ୍ଲାପାଳ ଓ କୋଣାର୍କ ପୁଲିସ ପାଖରେ ଖବର ପହଞ୍ଚିଥିଲା। ଫଳରେ ପୁରୀ ଜିଲ୍ଲା ପ୍ରଶାସନରେ ଏକପ୍ରକାର କମ୍ପନ ସୃଷ୍ଟି ହୋଇଥିଲା । ପୂରା କୋଣାର୍କ ପୁଲିସ ତାଙ୍କୁ ଖୋଜିବାରେ ଲାଗିପଡ଼ିଥିଲା। ପୁଲିସ ପାଖାପାଖି ଏକଘଣ୍ଟା କାଳ ଖୋଜିବା ପରେ ବ୍ୟାଖ୍ୟାନ କେନ୍ଦ୍ର ମୁଖ୍ୟ ପ୍ରବେଶ ଫାଟକ ବିପରୀତ ପାର୍ଶ୍ବରେ ଥିବା ଏକ ହୋଟେଲ ପାଖରୁ ତାଙ୍କୁ ପାଇଥିଲା। ସେଠାରୁ ତାଙ୍କୁ ଏକ ସ୍ୱତନ୍ତ୍ର କାର୍ରେ ନିଆଯାଇଥିଲା। କେଉଁ ପରିସ୍ଥିତିରେ ସଦସ୍ୟ ଜଣଙ୍କ ରହିଗଲେ, ଦାୟିତ୍ବରେ ଥିବା ପ୍ରଶାସନିକ ଅଧିକାରୀ ଓ ପୁଲିସ କେମିତି ଜାଣି ପାରିଲେନି, ତାକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଛି ।
Follow Us