କନକ ବ୍ୟୁରୋ: ଚାଷୀଙ୍କ ନିକଟରୁ ଧାନ ଆଣି ବାହାରକୁ ଚାଲାଣ ପାଇଁ ରଖିଥିଲେ ଗଛିତ। ହେଲେ ମାଡି ବସିଲା ଯୋଗାଣ ବିଭାଗ। ଜବତ ହେଲା ଦେଢ଼ ହଜାର ରୁ ଅଧିକ କୁଇଣ୍ଟାଲ ଧାନ । ଏତେ ପରିମାଣର ଧାନ ଗଛିତ ଥିବା ଦେଖି ଯୋଗାଣ ବିଭାଗ ଆଖି ଟେରା ହୋଇଯାଇଛି। ଆଜି ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଗୌଡ଼ଗାଁ ଗ୍ରାମରେ ଏକ ଗୋଦାମରେ ବେଆଇନ ଧାନ ଗଛିତ ଥିବା ଖବର ଯୋଗାଣ ବିଭାଗ ପାଇବା ପରେ ତହସିଲଦାର ଏବଂ ପୋଲିସ ମିଳିତ ଭାବେ ଚଢ଼ାଉ କରିଥିଲେ। ଗୋଦାମରେ ଦେଢ଼ ହଜାର କୁଇଣ୍ଟାଲରୁ ଅଧିକ ଧାନ ଗଛିତ ଥିବା ଯୋଗାଣ ବିଭାଗ ଦେଖିବାକୁ ପାଇଥିଲା। ଏହା ସହିତ କିଛି ଧାନ ବସ୍ତା ଗୋଟିଏ ଟ୍ରକରେ ଲୋଡ଼ ହୋଇଥିଲା ବାହାରକୁ ଚାଲାଣ ପାଇଁ, ତାହାକୁ ମଧ୍ୟ ଅଟକ ରଖିଥିଲା ଯୋଗାଣ ବିଭାଗ। ଚଢ଼ାଉ ସମୟରେ ଗୋଦାମର ମାଲିକ କୌଣସି କାଗଜପତ୍ର ଦେଖାଇ ନ ପାରିବାରୁ ଗୋଦାମକୁ ସିଲ କରାଯାଇଛି । ଏହା ସହିତ ଏତେ ପରିମାଣର ଧାନ କେଉଁଠୁ ଆଣିଲେ ଏବଂ କୁଆଡେ ଚାଲାଣ କରୁଥିଲେ ତାହାର ତଦନ୍ତ କରୁଛି ବିଭାଗ।