ସାରା ରାଜ୍ୟରେ ଅପରେସନ୍ ‘ଅଗ୍ନି’କୁ ସଫଳତା : ବେଆଇନ ବିସ୍ଫୋରକ ଭଣ୍ଡାର, ବିନା ଅନୁମତିରେ ପରିବହନ ଓ ବେଆଇନ ଆତସବାଜି ବିକ୍ରୟ ଉପରେ ରୋକ୍‌

ସାରା ରାଜ୍ୟରେ ପୋଲିସ ଡିଜିଙ୍କ ନିର୍ଦ୍ଦେଶରେ ହୋଇଥିବା ଅପରେସନ୍ ‘ଅଗ୍ନି’କୁ ସଫଳତା ମିଳିଛି। ପାର୍ବଣକୁ ଦୃଷ୍ଟିରେ ରଖି ବେଆଇନ ବିସ୍ଫୋରକ ଭଣ୍ଡାର, ବିନା ଅନୁମତିରେ ପରିବହନ ଓ ବେଆଇନ ଆତସବାଜି ବିକ୍ରୟକୁ ରୋକିବା ଉଦ୍ଦେଶ୍ୟରେ ଏହି ଅଭିଯାନ ଆରମ୍ଭ କରାଯାଇଥିଲା

5

Photograph: (kanaknews)

କନକବ୍ୟୁରୋ : ବେଆଇନ ବିସ୍ଫୋରକ ସାମଗ୍ରୀ ପାଇଁ ସାଧାରଣ ଲୋକଙ୍କ ଧନଜୀବନ ବାଜିରେ ଲାଗୁଛି ।  ବେଆଇନ ଭାବେ ବିସ୍ଫୋରକ ବିକ୍ରି, ଗଚ୍ଛିତ ଓ ଚାଲାଣ କରୁଥିବା ବ୍ୟବସାୟୀଙ୍କୁ ବାନ୍ଧି ଜେଲ୍ ପଠାଇବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି ।  ଏଯାଏଁ ରାଜ୍ୟରେ ୮ କୋଟି ୨୪ ଲକ୍ଷ ୬୦ ହଜାର ୭୦୦ ଟଙ୍କାର ବେଆଇନ ବିସ୍ଫୋରକ ସାମଗ୍ରୀ ଜବତ ହେବା ଘଟଣା ଉଦ୍‌ବେଗର କାରଣ ହୋଇଛି । ଏ ନେଇ ୧୮୪ଟି ମାମଲା ପଞ୍ଜୀକରଣ ହୋଇଥିବା ବେଳେ ୧୩୩ ଜଣଙ୍କୁ ଗିରଫ କରାଯାଇଛି ଓ ୪୫ ଜଣଙ୍କୁ ନୋଟିସ୍ ଦିଆଯାଇଛି। 

ପୁଲିସ ଡିଜି ଵାଇ.ବି. ଖୁରାନିଆଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟବ୍ୟାପୀ ‘ଅଗ୍ନି’ ନାମରେ ଏକ ସ୍ବତନ୍ତ୍ର ଅଭିଯାନ ଗଲା ୧୪ରୁ ୨୭ ତାରିଖ ଯାଏଁ ଚାଲିଥିଲା। ଏହି ଅଭିଯାନରେ ରାଜ୍ୟରେ ବେଆଇନ ଭାବେ ବିସ୍ଫୋରକ ସାମଗ୍ରୀ ଏକାଠି କରିବା, ଚାଲାଣ କରିବା ଏବଂ ବିକ୍ରି କରିବାକୁ ନଜରରେ ରଖାଯାଇଥିଲା। ଏବେ ପାର୍ବଣ ଋତୁ ଚାଲିଥିବା ବେଳେ ଅକ୍ଟୋବରରେ ଦୀପାବଳି ଉତ୍ସବ ଆୟୋଜିତ ହେବାକୁ ଯାଉଛି। ଏହି ଚଢ଼ଉରେ ଅନୁଗୁଳ ଜିଲ୍ଲାରେ ୧୭ଟି ବେଆଇନ ବିସ୍ଫୋରକ ସାମଗ୍ରୀ କାରବାର ଜନିତ ମାମଲା ରୁଜୁ ହୋଇଥିବା ବେଳେ ୫ ହଜାର ୭୩୦ କେଜି ବିସ୍ଫୋରକ, ଗୋଟିଏ ଗାଡ଼ି ଜବତ ହୋଇଛି  ।

ଜବତ ବିସ୍ଫୋରକ ସାମଗ୍ରୀର ମୂଲ୍ୟ ହେଉଛି ୧ କୋଟି ୫୦ ଲକ୍ଷ ଟଙ୍କା। ଏଥିରେ ୧୩ ଜଣ ଅଭିଯୁକ୍ତ ଧରାପଡ଼ିଛନ୍ତି। ସେହିଭଳି କେନ୍ଦୁଝର ଜିଲ୍ଲାରେ ୨୧ଟି ମାମଲା ରୁଜୁ ହୋଇଥିବା ବେଳେ ୧୨ ଶହ ୧୮ କେଜି ବିସ୍ଫୋରକ ଜବତ, ୧ ହଜାର ୭୯ କେଜି ବିଭିନ୍ନ ପ୍ରକାର ବାଣ, ଗନ୍ ପାଉଡର, ୫ କେଜି ଗନ୍ଧକ, ୨ କେଜି ସିଲଭର୍ ରୁଖା ଜବତ ହୋଇଛି । ଜବତ ସାମଗ୍ରୀର ମୂଲ୍ୟ ହେଉଛି ୧୫ ଲକ୍ଷ ୧୬ ହଜାର ଟଙ୍କା। ଗଞ୍ଜାମ ଜିଲ୍ଲାରେ ୧୪ଟି ମାମଲା ରୁଜୁ ହୋଇଥିବା ୨୧ ଲକ୍ଷ ୫ ହଜାର ଟଙ୍କାର ବିସ୍ଫୋରକ ଜବତ ହୋଇଛି। ୧୦ ଜଣ ଅଭିଯୁକ୍ତଙ୍କୁ ନୋଟିସ୍ ଓ ୪ ଜଣଙ୍କୁ ଗିରଫ କରାଯାଇଛି। ବୌଦ୍ଧ ଜିଲ୍ଲାରେ ୧୦ଟି ମାମଲା, ୫ କୋଟିର ବିସ୍ଫୋରକ ଜବତ ହୋଇଥିବା ବେଳେ ୫ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି ଓ ୫ ଜଣଙ୍କୁ ନୋଟିସ୍ ଦିଆଯାଇଛି। 

ଆଇନଶୃଙ୍ଖଳା ଏଡିଜି ସଂଜୟ କୁମାର କହିଛନ୍ତି ଯେ ବାଣ ଭଳି ବିସ୍ଫୋରକ ସାମଗ୍ରୀ ଗଚ୍ଛିତ, ବିକ୍ରି କିମ୍ବା ଚାଲାଣ ପାଇଁ ଜିଲ୍ଲାପାଳ ଅନୁମତି ପ୍ରଦାନ କରିଥାନ୍ତି। ଏଥିପାଇଁ ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍ ସହିତ ଉପଯୁକ୍ତ ସ୍ଥାନର ଆବଶ୍ୟକତା ଥାଏ। ଏସବୁ ପାଳନ ନକରି ଓଡ଼ିଶାରେ ବିଭିନ୍ନ ଜିଲ୍ଲାରେ ବିସ୍ଫୋରକ ସାମଗ୍ରୀ କାରବାର ହେଉଥିବା ଅଭିଯୋଗ ଆଧାରରେ ସମ୍ପୃକ୍ତ ବ୍ୟବସାୟୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବେଆଇନ ବିସ୍ଫୋରକ ସାମଗ୍ରୀ କାରବାର ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଦୀପାବଳି ଯାଏଁ ଜାରି ରହିବ ବୋଲି ଶ୍ରୀ କୁମାର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe