କନକ ବ୍ୟୁରୋ: ରାଜଧାନୀର ଭିଆଇପି ଅଂଚଳରେ ବଡ ନେତାଙ୍କ ଘରୁ ବଡ ଲୁଟ୍ । ନୟାପଲ୍ଲୀ ଅଂଚଳର ଥିବା ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ କଳାକନା ବୁଲାଇଛି ଚୋର । ଉପର ଘରୁ ଆଲମିରାର ଲକର ଭାଙ୍ଗି ପ୍ରାୟ ୫୦ ଟଙ୍କାର ସୁନା ଗହଣା ଲୁଟି ନେଇଛି । ୨୫ ତାରିଖ ରାତିରେ ପାଟ୍ରୋଲିଂ ଚାଲିଥିବାବେଳେ ଏଭଳି ଚୋରି କମିଶନରେଟ ପୁଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଭୁବନେଶ୍ବର ନୟାପଲ୍ଲୀ ଅଂଚଳର ଛାତି ଥରାଇଲା ଭଳି ଏହି ସିସିଟିଭି ଫୁଟେଜକୁ ଦେଖନ୍ତୁ । ଭିଆଇପି ଅଂଚଳରେ ଥିବା ପୂର୍ବତନ ପିସିସି ସଭାପତି ତଥା ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ବିନା ସଙ୍କୋଚରେ ପଶୁଛି ଚୋର । ହଟ୍ଟାକଟ୍ଟା ଥିବା ଏହି ଦୁର୍ବୃତ୍ତ ଘଂଟାଏ କାଳ ନିରଞ୍ଜନଙ୍କ ଘରେ ଲୁଟ୍ କରୁଛି। ହାତରେ ଗ୍ଲୋବ୍ଲ ଓ ମୁହଁରେ କଳାପଟି ବାନ୍ଧିଥିବା ଚୋର ଆଲମିରା ଲକର ଭାଙ୍ଗି ପ୍ରାୟ ୫୦ ଲକ୍ଷ ଟଙ୍କାର ସୁନା ଗହଣା ଓ ଟଙ୍କା ଲୁଟ କରୁଛି। ଚୋରି କରି ଝରକା ପଟେ ଚମ୍ପଟ ମାରିଛି । ବରିଷ୍ଠ କଂଗ୍ରେସ ନେତାଙ୍କ ଉପର ମହଲାରୁ ଏହି ଚୋରି ହୋଇଛି । ଘରେ ନିରଞ୍ଜନ ଓ ତାଙ୍କ ପୁଅ ବୋହୁ ଶୋଇବା ପରେ ବିଳମ୍ୱିତ ରାତିରେ ଏହି ଚୋରି ହୋଇଥିବା ଅଭିଯୋଗ କରିଛନ୍ତି।
ସାଧାରଣତନ୍ତ୍ର ଦିବସ ପାଇଁ ସାରା ରାଜଧାନୀ କଡା ସୁରକ୍ଷା ବଳୟରେ ଅଛି । ମଙ୍ଗଳବାରଠାରୁ ଉତ୍କର୍ଷ ଓଡିଶା ସମ୍ମିଳନୀ ପାଇଁ ପ୍ରଧାନମନ୍ତ୍ରୀ ଓଡିଶା ଆସିବେ । ଏଭଳି ସମୟରେ ନୟାପଲ୍ଲୀ ଭଳି ଭିଆଇପି ଅଂଚଳରେ ଥିବା ବଡ ନେତାଙ୍କ ଘରୁ ଚୋରି ହେବା ପୁଲିସର କାର୍ଯ୍ୟଦକ୍ଷତା ଓ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସିସିଟିଭି ଫୁଟେଜକୁ ଯାଂଚ କରାଯାଉଛି । ଡଗ ସ୍କାଡ ଓ ସାଇଣ୍ଟିଫିକ ଟିମ ତନାଘନା କରିଛି । ଫରେନସିକ ଟିମ ପଂହଚି ତଦନ୍ତ କରୁଛି । ଗୁରୁତ୍ବପୂର୍ଣ୍ଣ ତଥ୍ୟ ହସ୍ତଗତ ହୋଇଛି ବୋଲି ଡିସିପି କହିଛନ୍ତି ।
ଚୋରି ଘଟଣା ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝି ନିରଞ୍ଜନ ପଟ୍ଟନାୟକଙ୍କ ସହ କଥା ହୋଇଛନ୍ତି । ପୁଲିସ କମିଶନର ନିରଞ୍ଜନ ପଟ୍ଟନାୟକଙ୍କ ଘରକୁ ଯାଇ ସରଜମିନ ତଦନ୍ତ କରିଛନ୍ତି । ପ୍ରଶ୍ନ ଉଠୁଛି
- ଚୋର ଧରପଡିବ କେବେ?
- କଡା ସୁରକ୍ଷା ସତ୍ତ୍ବେ ଭିଆଇପି ଅଂଚଳରେ ଚୋରି ହେଉଛି କେମିତି?
- ଭିଆଇପିଙ୍କ ସୁରକ୍ଷା ପାଇଁ ରାଜଧାନୀର ସୁରକ୍ଷା ଢିଲା ହେଉଛି କି?
-୨୫ ତାରିଖ ରାତିରେ ପାଟ୍ରୋଲିଂ ଚାଲିଥିବାବେଳେ ଚୋରି ହେଲା କେମିତି?