Coastal Erosion Crisis Photograph: (Kanak News)
କନକ ବ୍ୟୁରୋ : ଗାଁ ଗୁଡିକୁ ଗିଳି ଗିଳି ଆସୁଛି ସମୁଦ୍ର । ବିଗତ କେଇବର୍ଷରେ ଓଡ଼ିଶାର ଅନେକ ଗାଁ ସମୁଦ୍ରରେ ବିଲୀନ ହୋଇ ପରିଚୟ ହରାଇଛି । ବିଧାନସଭାରେ ଅଶାନ୍ତ ସମୁଦ୍ରର ଭୟାବହତା ବଖାଣିଛନ୍ତି ସରକାର । ସଙ୍କଟ ଟାଳିବାକୁ ଅଣ୍ଟା ଭିଡ଼ିବା ଭିତରେ ଶାସକ ଦଳକୁ ଘେରିଛି ବିରୋଧୀ ।
ଉଗ୍ର ହେଉଛି ସମୁଦ୍ର । ବିଧାନସଭାରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଯେଉଁ ତଥ୍ୟ ରଖିଛନ୍ତି ତାହା ଯେତିକି ଉଦବେଗଜନକ ସେତିକି ଭୟାବହ । ୧୯୯୦ରୁ ୨୦୧୮ ମଧ୍ୟରେ ଅଧିକ କୋପ ଦେଖାଇଛି ସମୁଦ୍ର । ଏହି ସମୟରେ ୬ ଉପକୂଳବର୍ତ୍ତୀ ଜିଲ୍ଲାର ଗାଁ ସମୁଦ୍ର ଗର୍ଭରେ ସମାଧି ନେଇଛନ୍ତି । କେନ୍ଦ୍ରାପଡ଼ାର ୨୬, ଗଞ୍ଜାମର ୧୪ ଓ ପୁରୀର ୬ ଗାଁ ସମୁଦ୍ରରେ ବିଲୀନ ହୋଇ ସାରିଛି । ୧୪୦.୭୩ ହେକ୍ଟର ଜମି ସମୁଦ୍ର ଆଁକୁ ସବୁଦିନ ପାଇଁ ଚାଲି ଯାଇଛି । ତଥାପି ଶାନ୍ତ ହେଉନି ସମୁଦ୍ର । ଜନବସତି ଆଡକୁ ମାଡ଼ି ଆସୁଛି । ପ୍ରଭାବିତ ଗାଁ ଗୁଡିକୁ ଥଇଥାନ କରାଯାଇଛି । ସୁରକ୍ଷାକବଚ ଭାବେ ନୂଆ ହେନ୍ତାଳ ବଣ ସୃଷ୍ଟି କରାଯାଉଛି । ବିରୋଧୀଙ୍କ ପ୍ରଶ୍ନ, ହେନ୍ତାଳ ବଣ ସୃଷ୍ଟି ହୋଇଥିଲେ ଏମିତି ଅବସ୍ଥା ହୋଇନଥାନ୍ତା । ଗଛ ଲଗାଇ ଭୁଲି ଯାଉଛନ୍ତି ସରକାର ।
ଅଧିକ ପଢ଼ନ୍ତୁ : ସମୁଦ୍ର ଆଁରେ ୬ ଜିଲ୍ଲାର ଉପକୂଳବର୍ତ୍ତି ଗାଁ; ଜଗତସିଂହପୁର, ଭଦ୍ରକ ଓ ବାଲେଶ୍ୱରରେ ଉପକୂଳକୁ ମାଡ଼ି ଆସିଛି ସମୁଦ୍ର
ଉପକୂଳବର୍ତ୍ତୀ ଗାଁ ଗୁଡିକର ସୁରକ୍ଷା ପାଇଁ ବିଧାନସଭାରେ ଶାସକ-ବିରୋଧୀଙ୍କ ମଧ୍ୟରେ ଘଣ୍ଟା ଘଣ୍ଟା ଆଲୋଚନା ହୁଏ । ହେଲେ ବାସ୍ତବତା ଆପଣଙ୍କ ଆଖି ସାମ୍ନାରେ । କେନ୍ଦ୍ରାପଡାର ସାତଭାୟାରେ ଗାଁ ପଡା ଥିବା ଏହି ସ୍ଥାନରେ ଏବେ ସମୁଦ୍ରର ରାଜୁତି । କେବଳ ସ୍ମୃତିରେ ଅଟକିଯାଇଛି ସାତଭାୟା ଭଳି ଅନେକ ଗାଁ । ସେହିଭଳି ୨ କିଲୋମିଟର ଦୂରରେ ସମୁଦ୍ର ଏବେ ୧୦୦ ମିଟର ପାଖକୁ ଆସିବା ଗଞ୍ଜାମ ଆର୍ଯ୍ୟପଲ୍ଲୀବାସୀଙ୍କୁ ଭୟଭୀତ କରିଛି । ସମୁଦ୍ର ନିକଟସ୍ଥ ଅଞ୍ଚଳର ସୁରକ୍ଷା ପାଇଁ ଅନେକ ଯୋଜନା ହେଉଛି । ହେଲେ କାର୍ଯ୍ୟକାରିତା କେବଳ କାଗଜ କଲମରେ ସୀମିତ ।
Follow Us