କନକ ବ୍ୟୁରୋ: ଫେବୃଆରୀ ୧୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ଆଇସିସି ଇଭେଣ୍ଟ୍ ଚାମ୍ପୟନ୍ସ ଟ୍ରଫି । ଏହି ଇଭେଣ୍ଟ୍ ନେଇ ଏବେ ଯେତିକି ଆଲୋଚନା ହେଉଛି ତାଠାରୁ ଅଧିକ ଏହାକୁ ନେଇ ଉଠୁଥିବା ବିବାଦ ଚର୍ଚ୍ଚାରେ ରହି ଆସିଛି । ଏଥର ପାକିସ୍ତାନ ଏହି ଇଭେଣ୍ଟ୍ ଆୟୋଜନର ଅଧିକାର ପାଇଛି । ହେଲେ ସୁରକ୍ଷା ଦୃଷ୍ଟିରୁ ପ୍ରଥମେ ଭାରତୀୟ ଟିମ୍ ପାକିସ୍ତାନ ଯିବାକୁ ମନା କରିଥିବା ବେଳେ ଏବେ ଭାରତୀୟ ମ୍ୟାଚ୍ ଅଫିସିଆଲ ମଧ୍ୟ ପାକିସ୍ତାନ ଯିବାକୁ ସଫା ମନା କରି ଦେଇଛନ୍ତି । ଏଣୁ ଚାମ୍ପିୟନ୍ସ ଟ୍ରଫି ପାଇଁ ପ୍ରକାଶିତ ୧୨ ଜଣିଆ ଅମ୍ପାୟାର୍ସ ପ୍ୟାନେଲ୍ରେ କୌଣସି ଭାରତୀୟଙ୍କୁ ସ୍ଥାନ ମିଳିନି । ଖାଲି ସେତିକି ନୁହେଁ କୌଣସି ଅନ୍ୟାନ ଭାରତୀୟ ମ୍ୟାଚ୍ ଅଫିସିଆଲଙ୍କୁ ମଧ୍ୟ ପ୍ୟାନେଲ୍ରେ ସ୍ଥାନ ମିଳିନି ।
ଏହି ଆଇସିସି ଟୁର୍ଣ୍ଣାମେଣ୍ଟ୍ ପାଇଁ କୌଣସି ଭାରତୀୟ ମ୍ୟାଚ୍ ଅଧିକାରୀଙ୍କୁ ନିଯୁକ୍ତ କରାଯାଇନାହିଁ । ରିପୋର୍ଟ ମୁତାବକ ପ୍ରଥମେ ଚାମ୍ପିୟନ୍ସ ଟ୍ରଫି ପାଇଁ ଆଇସିସି ଅମ୍ପାୟାର୍ସ ପ୍ୟାନେଲ୍ରେ ନୀତିନ ମେନନ୍ଙ୍କୁ ସ୍ଥାନ ମିଳିଥିଲା । କିନ୍ତୁ ବ୍ୟକ୍ତିଗତ କାରଣ ଦର୍ଶାଇ ସେ ପାକିସ୍ତାନ ଯିବାକୁ ମନା କରି ଦେଇଥିଲେ । ଏହାପରେ ପାକିସ୍ତାନକୁ ଆଉ ଏକ ଝଟକା ଲାଗିଛି କହିଲ ଭୁଲ ହେବନି । ଖାଲି ଭାରତୀୟ ଅମ୍ପାୟାର ନୁହଁନ୍ତି, ଭାରତୀୟ ମ୍ୟାଚ୍ ରେଫରି ତଥା ପୂର୍ବତନ ଭାରତୀୟ ଫାଷ୍ଟ ବୋଲର ଜଭାଗଲ ଶ୍ରୀନାଥ ମଧ୍ୟ ପାକିସ୍ତାନ ଯିବାକୁ ମନ ବଳାଇ ନାହାନ୍ତି । ପୂର୍ବତନ ଭାରତୀୟ ପେସ୍ ବୋଲର ଜଭାଗଲ୍ ଶ୍ରୀନାଥ ଆଇସିସି ଏଲିଟ୍ ପ୍ୟାନେଲର ମ୍ୟାଚ୍ ରେଫରି, ସେହିଭଳି ନୀତିନ୍ ମେନନ୍ ଆଇସିସି ଏଲିଟ୍ ପ୍ୟାନେଲର ଅମ୍ପାୟାର ।
ଓଉଉ ଚାମ୍ପିଅନ୍ସ ଟ୍ରଫି ପାଇଁ ୧୫ ଜଣିଆ ମ୍ୟାଚ୍ ଅଫିସିଆଲ୍ଙ୍କ ତାଲିକା ପ୍ରକାଶ କରିଛି । ଏଥିରେ ୧୨ ଜଣ ଅମ୍ପାୟାର ରହିଥିବା ବେଳେ ୩ ଜଣ ମ୍ୟାଚ୍ ରେଫରି ରହିଛନ୍ତି । ସେମାନେ ହେଉଛନ୍ତି, ରଞ୍ଜନ ମଦୁଗଲେ, ଡେଭିଡ୍ ବୁନ୍ ଓ ଆଣ୍ଡ୍ରୁ ପାଇକ୍ରଫ୍ଟ ।
ଫେବୃଆରୀ ୨୦ ତାରିଖରୁ ଟିମ୍ ଇଣ୍ଡିଆ ତାର ଚାମ୍ପିୟନ୍ସ ଟ୍ରଫି ଅଭିଯାନ ଆରମ୍ଭ କରିବ । ଏହାପରେ ଫେବୃଆରୀ ୨୩ ତାରିଖରେ ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନ ସହ ମ୍ୟାଚ୍ ଖେଳିବ । ଦୁବାଇରେ ଭାରତ ତାର ସମସ୍ତ ମ୍ୟାଚ୍ ଖେଳିବ । ସମାନ ଭାବରେ ଭାରତ କୌଣସି ଆଇସିସି ଇଭେଣ୍ଟ୍ ଆୟୋଜନ କଲେ ପାକିସ୍ତାନ ମଧ୍ୟ ନ୍ୟୁଟ୍ରାଲ ଭେନ୍ୟୁରେ ମ୍ୟାଚ୍ ଖେଳିବ । ଏହାକୁ ନେଇ ଆଇସିସି ସମ୍ମତି ପ୍ରକାଶ କରିଛି । ଚାମ୍ପିୟନ୍ସ ଟ୍ରଫି ପାଇଁ ଭାରତର ଦିନିକିଆ ପ୍ରଦର୍ଶନ ବର୍ତ୍ତମାନ ସୁଦ୍ଧା ଭଲ ରହିଛି । ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ୍ ଏବେ ସନ୍ତୁଳିତ ରହିଛି । ଆଶା କରାଯାଉଛି ୨୦୧୩ର ଇତିହାସ ପୁଣି ଥରେ ଦୋହରାଇବ ଟିମ୍ ଇଣ୍ଡିଆ ।
Follow Us