ସୁରକ୍ଷା ଭାଙ୍ଗି ପଡିଆ ମଝିରେ ଭେଟିଥିଲେ ଫ୍ୟାନ୍ସ । ଧୋନୀ କହିଥିଲେ ‘ତୋ ନାକର ସର୍ଜରୀ ମୁଁ ଦେଖି ନେବି’

୨୦୨୪ ଆଇପିଏଲର ଗୋଟିଏ ଦୃଶ୍ୟକୁ ତ, ଆପଣ କେବେ ବି ଭୁଲିନଥିବେ । ଯେତେବେଳେ ଜଣେ ଫ୍ୟାନ୍ସ କ୍ରିକେଟ୍ ପଡିଆ ଭିତରେ ଧୋନୀଙ୍କୁ ଭେଟିବାକୁ ଦୌଡିବା ଆରମ୍ଭ କରିଥିଲେ । ଆଉ ପଡିଆ ମଝିରେ ଧୋନୀଙ୍କୁ ଭେଟିବା ପରେ, ସିଧା ତାଙ୍କ ପାଦ ତଳେ ପଡିଯାଇଥିଲେ । ଏବେ ସେହି ୨୧ ସେକେଣ୍ଡରେ ଧୋନୀ ଆଉ ତାଙ୍କ ଫ୍ୟାନ୍ସଙ୍କ ଭେଟାଭେଟି ପଛର କଥା, ସାମ୍ନାକୁ ଆସିଛି ।

୨୦୨୪ ଆଇପିଏଲରେ ଗୁଜରାଟ ଟାଇଟନ୍ସ ଆଉ ଚେନ୍ନାଇ ସୁପର କିଙ୍ଗସ୍ ମ୍ୟାଚ୍ ଚାଲିଥାଏ । ପଡିଆ ମଝିରେ ବ୍ୟାଟିଂ କରୁଥାନ୍ତି ମହେନ୍ଦ୍ର ସିଂହ ଧୋନୀ । ସାରା ପଡିଆରେ ମାହି ମାହି ଶବ୍ଦ ଶୁଣିବାକୁ ମିଳୁଥାଏ । ଆଉ ଏହି ସମୟରେ ଜଣେ ଧୋନୀଙ୍କ ଫ୍ୟାନ୍ ହଠାତ୍, ପଡିଆ ମଝିରେ ପଶି ଦୌଡିବା ଆରମ୍ଭ କରିଥିଲା । ସେତେବେଳେ ଫ୍ୟାନ୍ ଜଣକ ସିଧା ଯାଇ ଧୋନୀଙ୍କ ପାଦ ତଳେ ପଡିଯିବା ସହ ତାଙ୍କୁ ହଗ୍ ମଧ୍ୟ କରିଥିଲା । ଆଉ ସେହି ସମୟରେ ଧୋନୀ ଆଉ ଫ୍ୟାନ ଜଣକ ୨୧ ସେକେଣ୍ଡ ପାଇଁ କଥାବାର୍ତ୍ତା ହେଇଥିଲେ । ତେଣୁ ଏହି ୨୧ ସେକେଣ୍ଡ ଭିତରେ ଦୁହେଁ କଣ କଥା ହେଇଥିଲେ, ତାହା ସାମ୍ନାକୁ ଆଣିଛନ୍ତି ତାଙ୍କ ଫ୍ୟାନ୍ ଜୟ ଜାନୀ ।

ଧୋନୀଙ୍କ ଫ୍ୟାନଙ୍କ କହିବା ମୁତାବକ, ପ୍ରଥମେ ମୋତେ ଦେଖି ଧୋନୀ ଭାଇ ଦୌଡିବାକୁ ଆରମ୍ଭ କଲେ । ମୋତେ ଲାଗିଲା ଧୋନୀ ଭାଇ ଚାଲିଯିବେ, ମୋ ସହ ଭେଟ କରିବେନି । ତା ପରେ ମୁଁ ହାତ ଉଠେଇ ସରେଣ୍ଡର କରିଦେଲି , ଆଉ ଚିଲେଇଲି ସାର୍ । ତା ପରେ ମାହି ଭାଇ କହିଥିଲେ, ମୁଁ ମସ୍ତି କରୁଛି । ତା ପରେ ଫ୍ୟାନ ଜଣକ ସିଧା ଆସି ଧୋନୀଙ୍କ ପାଦ ତଳେ ପଡିଯାଇଥିଲେ ବୋଲି ଏକ ୟୁଟ୍ୟୁବ୍ ଚ୍ୟାନେଲକୁ ସାକ୍ଷାତକାର ଦେଇ କହିଛନ୍ତି ।

ଧୋନୀଙ୍କ ଏହି ଫ୍ୟାନ୍ ଜଣକ କହିଛନ୍ତି, ମାହି ଭାଇ ମୋ କାନ୍ଧ ଉପରେ ହାତ ରଖିଲେ, ଆଉ ମୋତେ ପଚାରିଲେ ତୋ ଶ୍ୱାସ କାହିଁକି ଫୁଲୁଛି? ସେତେବେଳେ ଜୟ ଜାନୀ ନାମକ ଫ୍ୟାନ୍ ଜଣକ କହିଥିଲେ- ଦୌଡିକି ଆସିଛି, ଆଉ ମୋ ନାକରେ ବି ଅସୁବିଧା ଅଛି । ତେଣୁ ଆପଣଙ୍କୁ ଭେଟିବା ପରେ ଅପରେସନ୍ କରିବି ବୋଲି ଭାବିଛି । ତା ପରେ ଧୋନୀ ଯାହା କହିଥିଲେ, ସେଇ କଥା, ଫ୍ୟାନଙ୍କ ହୃଦୟ ଜିତିନେଇଥିଲା । ତୋ ନାକର ଅପରେସନ୍ କଥା ମୁଁ ବୁଝିଦେବି ବୋଲି ସେ ସମୟରେ କହିଥିଲେ ମହେନ୍ଦ୍ର ସିଂ ଧୋନୀ ।

ଖାଲି ସେତିକି ନୁହେଁ, ସିକ୍ୟୁରିଟି ଅଫିସରଙ୍କୁ ମଧ୍ୟ ଧୋନୀ ତାଙ୍କ ଫ୍ୟାନଙ୍କ ସହ ଖରାପ ବ୍ୟବହାର କରିବାକୁ ମନା କରିଥିଲେ । ଯେତେବେଳେ ଜଣେ ଗାର୍ଡ ଫ୍ୟାନଙ୍କ ଗଳାକୁ ଧରିପକାଇଥିଲେ, ସେତେବେଳେ ଧୋନୀ ହିଁ ନିଜେ ତାଙ୍କ ହାତକୁ ହଟେଇବା ସହ, କିଛି ବି ନକରିବାକୁ ଗାର୍ଡଙ୍କୁ କହିଥିଲେ । ଯେଉଁ କଥା ଏବେ ସୋସିଆଲ୍ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ଧୋନୀ ଏବେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିସାରିଛନ୍ତି । ଆଉ କେବଳ ଆଇପିଏଲ୍ ଖେଳିବା ଜାରି ରଖିଛନ୍ତି । ହେଲେ ଏବେ ବି ଧୋନୀଙ୍କ ଲୋକପ୍ରିୟତା କେତେ, ତାହା ସମସ୍ତଙ୍କୁ ଜଣା । ଆଜି ବି ଧୋନୀ ପଡିଆକୁ ଓହ୍ଲେଇଲେ, ପଡିଆରେ କେବଳ ଧୋନୀ ଧୋନୀ ହିଁ ଶୁଣିବାକୁ ମିଳିଥାଏ । ଆଉ ତାରି ଭିତରେ ଧୋନୀଙ୍କ ତାଙ୍କ ଫ୍ୟାନ୍ ପାଇଁ କହିଥିବା ଏହି କିଛି କଥା ଏବେ ସମସ୍ତଙ୍କ ହୃଦୟ ଜିତିଛି ।