କନକବ୍ୟୁରୋ : ଲକ୍ଷେ କି ଦୁଇ ଲକ୍ଷେ ନୁହେଁ , ଘରେ ଅଛି ପୁରା ନଗଦ ପାଖାପାଖି ୨ କୋଟି ଦେଢକୋଟିରୁ ଅଧିକ ଟଙ୍କା । ମାଲକାନଗିରି ଜଳଛାୟା ପ୍ରକଳ୍ପ ଉପନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ଘରେ ପୁଳାପୁଳା ଟଙ୍କା ଦେଖି ଭିଜିଲାନ୍ସ ବି ତାଜୁବ ହୋଇଛି । ଘରୁ ମିଳିଛି ବିଡ଼ାବିଡ଼ା ୫୦୦ ଟଙ୍କିଆ ନୋଟ୍। ଆଜି ସକାଳୁ ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଶାନ୍ତନୁଙ୍କ ଜୟପୁର ଘର ସମେତ ୭ଟି ସ୍ଥାନରେ ଏକାସାଙ୍ଗରେ ଚଢ଼ାଉ କରିଛି ଭିଜିଲାନ୍ସ। ଶାନ୍ତନୁଙ୍କ କଟକ, ଗଂଜାମ, ଭୁବନେଶ୍ୱର,ଜୟପୁର ଓ ମାଲକାନଗିରିର ୪ଟି ସ୍ଥାନରେ ଚଢାଉ ହୋଇଛି ।
ମାଲକାନଗିରିରେ ଶାନ୍ତନ ମହାପାତ୍ରଙ୍କ ସହ ୩ ଜଣଙ୍କ ଘରେ ରେଡ ହୋଇଛି । ଭିଜିଲାନ୍ସର ମୋଟ ୬୦ ଜଣ ସଦସ୍ୟ ଏହି ଚଢାଉରେ ସାମିଲ ହୋଇଥିଲେ । ଦୀର୍ଘଦିନ ଧରି ଶାନ୍ତନୁ ନାଁରେ ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଥିଲା । ୧୫ ଦିନ ହେଲା ସେ ଭିଜିଲାନ୍ସ ସ୍କାନରରେ ଥିଲେ । ଜୟପୁରରେ ନିଜ ବାସଭବନରେ ବିଳାସପୂର୍ଣ୍ଣ ଘର ତିଆରି କରିଥିଲେ ଏହି ଅଧିକାରୀ ।
ଘର ଭିତରେ ସବୁ ପ୍ରକାର ଅତ୍ୟାଧୁନିକ ବ୍ୟବସ୍ଥା ଥିଲା । ଭିଜିଲାନ୍ସ ଚଢାଉବେଳେ ଜଣାପଡିଛି
-ଜୟପୁରରେ ୬ହଜାର ବର୍ଗପୁଟର ୩ ମହଲା ଘର
-ଭୁବନେଶ୍ୱର ଓ ଜୟପୁରରେ ୪ଟି ବହୁମୂଲ୍ୟ ପ୍ଲଟ୍
--୩୦୦ ଗ୍ରାମ୍ ସୁନା ଜବତ ହୋଇଛି
-ଗୋଟିଏ ୪ ଚକିଆ ଓ ୨ଟି ଦୁଇଚକିଆ
-ବ୍ୟାଙ୍କ ଜମା, ବୀମା ଓ ଅନ୍ୟାନ୍ୟ କାଗଜପତ୍ର
ଚଢାଉ ଜାରି ରହିଥିବାରୁ ଏହି ପରିମାଣ ଆହୁରି ଅଧିକ ହୋଇପାରେ ବୋଲି କୁହାଯାଉଛି । ପାସପୋର୍ଟ ଓ ବ୍ୟାଙ୍କଖାତା ବି ଜବତ ହୋଇଛି । ଶାନ୍ତନୁ ମହାପାତ୍ର ପୂର୍ବରୁ ବ୍ରହ୍ମପୁରରେ ଥିଲେ । ୩ ବର୍ଷ ହେଲା ମାଲକାନଗିରି ଜଳଛୟା ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ ହୋଇଥିଲେ । ତେବେ ସେ ଘରେ କାହିଁକି ଏତେ ଟଙ୍କା ରଖିଥିଲେ ତାହା ସନ୍ଦେହ ଘେରକୁ ଆସିଛି ।