କନକ ବ୍ୟୁରୋ: ପାହାଡ଼ିଆ ରାସ୍ତା ଦେଇ ୫ କିଲୋମିଟର ଗଲେ ପଡ଼େ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳ ମୋହନାଗୁଡ଼ା। ସବୁଠିକୁ ପକ୍କା ରାସ୍ତା ସଂଯୋଗ କରୁଥିବା ସରକାରଙ୍କ ନଜର ପଡ଼ିନାହିଁ। ବିକାଶ ପହଞ୍ଚିବ କ'ଣ? ଜନପ୍ରତିନିଧି କି ସରକାରୀ ବାବୁଙ୍କ ପାଦ ପଡ଼ିନାହିଁ। ଗାଁରେ ଗୋଟିଏ ବି ପକ୍କା ଘର ନାହିଁ । ୩୦ ପରିବାର ସମସ୍ତେ ରହୁଛନ୍ତି ଟିଣ ଘରେ। ୭ ଜଣକ ନାଁ ଆବାସ କାର୍ଯ୍ୟାଦେଶ ଆସିଛି। କିନ୍ତୁ ରାସ୍ତା ନଥିବାରୁ ଘର କରି ପାରୁନାହାନ୍ତି। ଅଙ୍ଗନୱାଡି କୋଠା ନିର୍ମାଣ ପାଇଁ ଅନୁଦାନ ଆସିଥିଲେ, ମଧ୍ୟ ହୋଇପାରୁନାହିଁ।

Advertisment

ଅଧିକାଂଶ ବୃଦ୍ଧ ଓ ବୃଦ୍ଧାଙ୍କ ବୟସ ୮୦ ଅତିକ୍ରମ କରିଥିଲେ ମଧ୍ୟ ସେମାନେ ସରକାରୀ ଭତ୍ତାରୁ ବଞ୍ଚିତ ରହିଥିବା ଅଭିଯୋଗ କରିଛନ୍ତି। ମୋହନାଗୁଡ଼ା ଗାଁଟି ଖାରିଗୁଡ଼ା ପଞ୍ଚାୟତରେ ରହିଥିବା ବେଳେ ମାଣ୍ଡିମେରା ଗ୍ରାମ ପଞ୍ଚାୟତରୁ ରାସନ୍ ସାମଗ୍ରୀ ମିଳୁଛି । ୩ମାସ ହେବ ପଞ୍ଚାୟତରୁ ରାସନ୍ ସାମଗ୍ରୀ ମିଳିନଥିବା ବେଳେ ଗାଁରେ ଧାନକୁ କୁଟି ଚାଉଳ ବାହାର କରି ଖାଉଛନ୍ତି।

ଶିକ୍ଷା କଥା ନକହିବା ଭଲ। ପାଠ ପଢ଼ିବାକୁ ହେଲେ ଘର ଠାରୁ ୧୨ କିଲୋମିଟର ଦୂର ମାଣ୍ଡିମେରା ଗାଁକୁ ଯିବାକୁ ପଡେ। ସେହିଭଳି ବିଜୁଳିର ଠିକ୍ ଠିକଣା ନାହିଁ। ସୋଲାର ଓ ମହମବତୀ ଦୂର କରୁଛି ରାତିର ଅନ୍ଧାର। ଏଭଳି ସ୍ଥିତିରେ ମୋହନା ବିଡ଼ିଓ କହିଛନ୍ତି, ଏକ ଟିମ୍ ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ପରେ ପଦକ୍ଷେପ ନିଆଯିବ।
ତେବେ ଆଦିବାସୀ ମଣିଷଙ୍କୁ ଅନ୍ଧାରୀ ମୁଲକରୁ କେବେ ମୁକ୍ତି ମିଳିବ? ଗାଁକୁ କେବେ ବିଦ୍ୟୁତ୍ ସହ ରାସ୍ତା, ପାନୀୟ ଜଳ ଭଳି ସୁବିଧା ମିଳିବ? ଗାଁ ସମସ୍ୟାର ସମାଧାନ ପାଇଁ ସରକାରଙ୍କୁ ଆଉ କେତେ ବର୍ଷ ଲାଗିବ?