କନକ ବ୍ୟୁରୋ: ବିଜେଡି ସରକାର ସମୟରେ ମନ୍ତ୍ରୀ କୁଆଡେ ଯାଉଥିଲେ, ଗାଁକୁ ଯାଉଥିଲେ କି ନାହିଁ ତାହା ପ୍ରାୟତଃ ଜଣାପଡୁନଥିଲା । ଯାଉଥିଲେ ବି ଲୋକଙ୍କୁ ଭେଟିବା କିମ୍ବା ଅଭିଯୋଗ ଶୁଣିବା ଦେଖିବାକୁ ମିଳୁନଥିଲା । ନବୀନ ଓ ପାଣ୍ଡିଆନଙ୍କୁ ଛାଡି ଦେଲେ ପ୍ରାୟତଃ ଅନ୍ୟମାନେ ହଜିଯାଇଥିଲେ । କିନ୍ତୁ ଏବେ ସରକାର ବଦଳିବା ପରେ ବଦଳିଛି ଟ୍ରେଣ୍ଡ । ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ଶୀର୍ଷ ନେତୃତ୍ବଙ୍କ ନିର୍ଦ୍ଦେଶ ଅନୁସାରେ ରାଜଧାନୀ ଛାଡି ଗାଁ ମୁହାଁ ହୋଇଛନ୍ତି ନେତା । 
କଣାସ ରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ବଣେଇ ରେ ପଂଚାୟତିରାଜ ମନ୍ତ୍ରୀ ରବି ନାଏକ, କୁଚିଣ୍ଡା ରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ , ପାରାଦୀପରେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ, ଢ଼େଙ୍କାନାଳରେ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର । ମୋହନ ମାଝୀଙ୍କ ମନ୍ତ୍ରୀମାନେ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ସରକାର ଯୋଗାଇ ଦେଉଥିବା ଯୋଜନାଗୁଡିକର ଲାଭ ଲୋକଙ୍କ ପାଖରେ ପହଁଚୁଛି କି ନାହିଁ ବୁଝିଛନ୍ତି । ସିଧାସସଳଖ ବିଭିନ୍ନ ସମସ୍ୟା ନେଇ ଲୋକଙ୍କ ସହ ଆଲୋଚନା କରିଛନ୍ତି । 

Advertisment

ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସିଥିବାବେଳେ ମନ୍ତ୍ରୀଙ୍କୁ ସୁଶାସନ ଦେବା ପାଇଁ ଦେଇଥିଲେ ଗୁରୁମନ୍ତ୍ର । ଏମିତିକି ରାଜଧାନୀରେ ନରହି ସପ୍ତାହର ଶେଷ ଦୁଇ ଦିନ ନିର୍ବାଚନ ମଣ୍ଡଳୀ ପରିଦର୍ଶନ ପାଇଁ କହିଥିଲେ । ଶୀର୍ଷ ନେତୃତ୍ବଙ୍କ ପରାମର୍ଶ ଅନୁସାରେ ଗାଁକୁ ଯାଉଛନ୍ତି ମନ୍ତ୍ରୀ ।