କନକ ବ୍ୟୁରୋ: ପିଏମ କିଷାନକୁ ୬ ବର୍ଷ ପୁରିଛି। ବିହାରରୁ ପିଏମ କିଷାନ ଜରିଆରେ ପ୍ରତ୍ୟେକ ହିତାଧିକାରୀଙ୍କ ଆକାଉଣ୍ଟକୁ ସିଧାସଳଖ ଯାଇଛି ୨୦୦୦ ଟଙ୍କା। କିନ୍ତୁ ଫସଲ କ୍ଷତି ସହାୟତା ଭଳି ପିଏମ କିଷାନରୁ ବାଦ୍ ପଡିଛନ୍ତି ଭୂମିହୀନ ଚାଷୀ। ପ୍ରଶ୍ନ ଉଠୁଛି, ଭୂମିହୀନ ଚାଷୀଙ୍କୁ କେବେ ସ୍ବୀକୃତି ସହ ସହାୟତା ଦେବେ କେନ୍ଦ୍ର ସରକାର।
- ମୋଦୀ ପଠାଇଲେ ପିଏମ କିଷାନ ଟଙ୍କା
- ଚାଷୀଙ୍କ ଆକାଉଣ୍ଟକୁ ଆସିଲା ୨୨ ହଜାର କୋଟି
ପିଏମ କିଷାନ ଯୋଜନାରେ ଚାଷୀଙ୍କ ଖାତାକୁ ଆସିଲା ଟଙ୍କା। ବିହାରର ଭାଗଲପୁରରୁ ପିଏମ କିଷାନର ୧୯ ତମ କିସ୍ତି ପଠାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଡିବିଟି ଜରିଆରେ ଏହି ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ଆସିଛି।
- ପିଏମ କିଷାନରେ ଆସିଲା ୨୨ ହଜାର କୋଟି ଟଙ୍କା
- ୯ କୋଟି ୮୦ ଲକ୍ଷ ଚାଷୀଙ୍କ ଖାତାକୁ ଆସିଛି ଟଙ୍କା
ପିଏମ କିଷାନ ଅର୍ଥ ପ୍ରଦାନ ସହ ପ୍ରଧାନମନ୍ତ୍ରୀ କହିଛନ୍ତି, ଏବେ ଦିଲ୍ଲୀରୁ ଟଙ୍କାଟିଏ ଗଲେ ମଧ୍ୟ ତାହା ବାଟମାରଣା ହେଉନି, ଚାଷୀଙ୍କ ପାଖରେ ପହଞ୍ଚୁଛି। ବିହାରରୁ ମୋଦୀ ଟଙ୍କା ପଠାଇଥିବା ବେଳେ ଓଡ଼ିଶାର ୩୪ ଲକ୍ଷ ୯୫ ହଜାର ଚାଷୀ ଉପକୃତ ହୋଇଛନ୍ତି। ପୂର୍ବ କିସ୍ତି ତୁଳନାରେ ଚଳିତଥର ୩ ଲକ୍ଷ ୪୩ ହଜାର ଅଧିକ ଚାଷୀଙ୍କୁ ମିଳିଛି ପିଏମ କିଷାନ ଟଙ୍କା। ୧୮ତମ କିସ୍ତିରେ ଯେଉଁ ଚାଷୀ ବାଦ୍ ପଡିଥିଲେ ସେମାନଙ୍କୁ ସ୍ବତନ୍ତ୍ର ଡ୍ରାଇଭ ଯୋଗେ ସାମିଲ କରାଯାଇଛି। ତେବେ ୧୯ ତମ କିସ୍ତିରୁ ବଞ୍ଚିତ ଚାଷୀଙ୍କ ପାଇଁ ସ୍ବତନ୍ତ୍ର ପୋର୍ଟାଲ ଖୋଲି ଯୋଡିବାକୁ ଯୋଜନା କରୁଛନ୍ତି ରାଜ୍ୟ ସରକାର।
ରାଜ୍ୟ ସରକାରଙ୍କ ସିଏମ କିଷାନରେ ଭୂମିହୀନ ଚାଷୀଙ୍କୁ ମଧ୍ୟ ଆର୍ଥିକ ସହାୟତା ମିଳୁଛି। କିନ୍ତୁ ପିଏମ କିଷାନରେ ରାଜ୍ୟର ପ୍ରାୟ ୧୦ ଲକ୍ଷ ଭାଗଚାଷୀ ଓ ଭୂମିହୀନ ଏହି ସୁବିଧାରୁ ବଞ୍ଚିତ ହେଉଛନ୍ତି। ଡବଲ ଇଞ୍ଜିନ ସରକାରରେ ଏମାନଙ୍କୁ କେବେ ନ୍ୟାୟ ମିଳିବ? ତାହା ଦେଖିବାକୁ ବାକି ରହିଲା।