କନକ ବ୍ୟୁରୋ: ସବୁ ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ଲକ୍ଷ୍ୟରେ ସରକାର ବିଭିନ୍ନ ଯୋଜନା କରିଛନ୍ତି। ଏଥିପାଇଁ କୋଟି କୋଟି ଟଙ୍କା ବ୍ୟୟବରାଦରେ ପାନୀୟ ଜଳ ପ୍ରକଳ୍ପର ନିର୍ମାଣ ଚାଲିଛି। ହେଲେ, ବିଡମ୍ବନାର ବିଷୟ ଏହା ଭିତରେ ବର୍ଷ ବର୍ଷ ବିତିଯାଇଥିଲେ ବି ଅଧପନ୍ତରିଆ ହୋଇ ପଡିଛି ନିର୍ମାଣ କାର୍ଯ୍ୟ। ଯାହାକୁ ନେଇ ଆଜି ଠିକାଦାରଙ୍କୁ ତାଗିଦ କରିଛନ୍ତି ମନ୍ତ୍ରୀ।
ହଜାର ହଜାର କୋଟି ଟଙ୍କା ବ୍ୟୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ନିର୍ମାଣ ଚାଲିଥିବା ପାନୀୟ ଜଳ ପ୍ରକଳ୍ପ କେମିତି ଅଧପନ୍ତରିଆ ହୋଇ ପଡିଛି ଆମେ ଖବର ପ୍ରସାରଣ କରିଥିଲୁ। ଗ୍ରାଉଣ୍ଡଜିରୋରେ ସ୍ଥିତି ପରଖିବା ସହ କେଳେଙ୍କାରୀ ଓ ସରକାରୀ ଉଦାସିନତାର ଚିତ୍ର ସାମନାରେ ରଖିଥିଲୁ । ଖବର ପ୍ରସାରଣ ପରେ, ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରୁଥିବା ଠିକାଦାରଙ୍କୁ ତାଗିଦ କରିଛନ୍ତି ପଂଚାୟତ ରାଜ ମନ୍ତ୍ରୀ । ତୁରନ୍ତ କାମ ନସାରିଲେ କଳା ତାଲିକାଭୁକ୍ତ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଏପରିକି ଜରିମାନା ଆଦାୟ କରାଯିବ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି ।
କେନ୍ଦ୍ରାପଡା ଗସ୍ତ ବେଳେ ମନ୍ତ୍ରୀ ଜିଲ୍ଲାର ବିଭିନ୍ନ ପାନୀୟ ଜଳ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ଆଉ ଅଧିକାଂଶ ପ୍ରକଳ୍ପ କାର୍ଯ୍ୟ ଅଧପନ୍ତରିଆ ହୋଇଥିବା ଜାଣିବାକୁ ପାଇଥିଲେ। ତାପରେ ଏସମ୍ପର୍କରେ ଗଣମାଧ୍ୟମ ପ୍ରଶ୍ନର ଉତରରେ ମନ୍ତ୍ରୀ, ଠିକାଦାରଙ୍କ ସହ ବିଭାଗୀୟ ଅଧିକାରୀଙ୍କୁ ଏଥିପାଇଁ ଦୋଷ ଦେଇଛନ୍ତି। ପ୍ରକଳ୍ପର କାର୍ଯ୍ୟ ମନ୍ଥର ଗତିରେ ହେବା ପାଇଁ ବିଭାଗୀୟ ଅଧିକାରୀ ଦାୟୀ ବୋଲି କହିଛନ୍ତି।
ପୂର୍ବ ବିଜେଡି ସରକାର ପାନୀୟ ଜଳ ଯୋଗାଇ ଦେବା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଳାରେ, ୨୦୭ରୁ ଅଧିକ ପ୍ରକଳ୍ପ ପାଇଁ ବ୍ୟୟବରାଦ କରିଥିଲେ। ଏଥିପାଇଁ ପ୍ରାୟ ୩୫ ହଜାର କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା। କିନ୍ତୁ ସେହି ପ୍ରକଳ୍ପ ଗୁଡିକ ମଧ୍ୟରୁ ଅଧିକାଂଶ ପ୍ରକଳ୍ପ ଅଧପନ୍ତରିଆ ହୋଇ ପଡିଛି। କେତେକ ପ୍ରକଳ୍ପ କାର୍ଯ୍ୟ ଏପର୍ଯ୍ୟନ୍ତ ଆରମ୍ଭ ମଧ୍ୟ ହୋଇନି। କେବଳ ଶୁଭ ଦିଆରେ ଅଟକିଛି ପ୍ରକଳ୍ପ କାର୍ଯ୍ୟ ।