କନକ ବ୍ୟୁରୋ: ୫ଟି ପୋଲ୍ ଖୋଲିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଗୁରୁବାର ବିଧାନସଭାରେ ବିଜେଡି ବିଧାୟକ ପ୍ରତାପ ଦେବଙ୍କ ପ୍ରଶ୍ନର ଉତ୍ତର ଦେଇ, ୫-ଟି ପୋଲ୍ ଖୋଲିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ । ବିଗତ ସରକାର ସମୟରେ ଯେତିକି ବାତ୍ୟା ଆଶ୍ରୟସ୍ଥଳୀ ଘୋଷଣା ହୋଇଥିଲା, କାହିଁକି ସେହି କାର୍ୟ୍ୟ ତ୍ବରାନ୍ବିତ କରିନାହାନ୍ତି ? ୫୨ଟି ପ୍ରକଳ୍ପ କାହିଁକି କାର୍ୟ୍ୟକାରୀ ହୋଇନାହିଁ ? ଏହାର ରହସ୍ୟ କଣ ବୋଲି ପ୍ରଶ୍ନକାଳ ଆଲୋଚନା ବେଳେ ରାଜସ୍ୱ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ପ୍ରତାପ ଦେବ । ଯାହାର ଉତ୍ତର ଦେଇଥିଲେ ସୁରେଶ ପୂଜାରୀ ।

Advertisment

କହିଥିଲେ, ଏହାର ରହସ୍ୟ ହେଉଛି, ବିଗତ ସରକାର ଅନେକ ନିଷ୍ପତି ନେଉଥିଲେ, ଏଥିରେ ସନ୍ଦେହ ନାହିଁ କିନ୍ତୁ ସେଗୁଡିକ କାର୍ୟ୍ୟକାରୀ ହେଉନଥିଲା । ଯେଉଁ ନିଷ୍ପତି ନେଇଥିଲେ, ବିଜେପି ସରକାରକୁ ଆସିଲେ କରିବ ବୋଲି ଛାଡ଼ି ଦେଇଥିଲେ । ପୂର୍ବ ସରକାର ୫୨ଟି ବାତ୍ୟା ଆଶ୍ରୟସ୍ଥଳୀ କରିବା ପାଇଁ ରାଜସ୍ୱ ବିଭାଗ ନିଷ୍ପତି ନେଇନଥିଲା, ସେହି ନିଷ୍ପତି ନେଇଥିଲେ 5T । କାଗଜ ପତ୍ରରେ ପ୍ରୋସେସିଂ ନକରି ଖାଲି ଘୋଷଣା କରିଥିଲେ 5T । 5T ସେତେବେଳେ କେତେ ଶକ୍ତିଶାଳୀ ଥିଲା ତାହା ସମସ୍ତଙ୍କୁ ଜଣା । 5T ଘୋଷଣା ପରେ ବିଭାଗ ଏଷ୍ଟିମେଟ କଲା, ଟେଣ୍ଡର ହେଲା କିନ୍ତୁ ୱାର୍କ ଅର୍ଡର ବେଳକୁ ପଇସା ନାହିଁ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଖର୍ଚ୍ଚ କରିବେ ବୋଲି କୁହାଯାଇଥିଲା । ରିଲିଫ ପାଣ୍ଠିରୁ ଯେତିକି ଅର୍ଥ ନାହିଁ, ତା ଠାରୁ ଅଧିକ ଘୋଷଣା କରାଯାଇଥିଲା ବୋଲି କହି ପୂର୍ବ ସରକାରକୁ ଟାର୍ଗେଟ କରିଛନ୍ତି ସୁରେଶ ।

ଅନ୍ୟପଟେ ବିଜେପି ସରକାର ୫୦୦ଟି ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରିବା ପାଇଁ ନିଷ୍ପତି ନେଇଛନ୍ତି । ସେଥିରେ ଏହି ୫୨ଟି ମଧ୍ୟ ହେବ । ଅର୍ଥ କମିଶନଙ୍କୁ ମଧ୍ୟ ସରକାର ଜଣାଇଛନ୍ତି । ବିଗତ ସରକାର ଘୋଷଣା କଲେ କିନ୍ତୁ କଲେ ନାହିଁ । ନୂଆ ସରକାର କରିବା ପାଇଁ  ଛାଡ଼ି ଦେଇଗଲେ । ବିଗତ ସରକାର ଛାଡ଼ି ଥିବା ସବୁ କାର୍ୟ୍ୟ ବିଜେପି ସରକାର କରିବେ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ।