କନକ ବ୍ୟୁରୋ: ମହାକୁମ୍ଭରେ ମୌନୀ ଅମାବାସ୍ୟା ପାଇଁ ବୁଧବାର ଆୟୋଜନ ହେବ ଅମୃତ ସ୍ନାନ । ଏଥିରେ ଶ୍ରଦ୍ଧାଳୁଙ୍କ ଭିଡ଼ ଆହୁରି ବଢ଼ିବା ନେଇ ଆଶଙ୍କା କରାଯାଉଛି । ଏହାକୁ ନେଇ ପ୍ରଶାସନ ପକ୍ଷରୁ ଜାରି ହୋଇଛି ସ୍ୱତନ୍ତ୍ର ଆଡଭାଇଜରୀ । ଏହି ଆଡଭାଇଜରୀ ମାଧ୍ୟମରେ ସୁରକ୍ଷା ନିୟମର ଅନୁପାଳନ ଓ ଅଧିକାରୀଙ୍କୁ ସହଯୋଗ କରିବାକୁ ଶ୍ରଦ୍ଧାଳୁଙ୍କୁ ନିବେଦନ କରାଯାଇଛି । ମୌନୀ ଅମାବାସ୍ୟାଙ୍କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।
ବ୍ୟାପକ ସୁରକ୍ଷା ବ୍ୟବସ୍ଥା
ପୁଲିସ ପ୍ରଶାସନ ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟାପକ ବ୍ୟବସ୍ଥା କରିଛି । ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ସୁରକ୍ଷାକର୍ମୀଙ୍କ ସହ ଏକ ଡାକ୍ତରୀ ଦଳ ୨୪ ଘଣ୍ଟା ଆକ୍ଟିଭ୍ ରହିବ । ଯାହାଦ୍ୱାରା ଜରୁରୀକାଳୀନ ସ୍ଥିତିରେ ସାହାଯ୍ୟ ସହାୟତା ଯୋଗାଇ ଦିଆଯାଇ ପାରିବ । ଏହାକୁ ନେଇ ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, “ମୌନୀ ଅମାବାସ୍ୟା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି । ଶ୍ରଦ୍ଧାଳୁଙ୍କୁ ସହାୟତା କରିବାକୁ ବିଶେଷ କରାଯାଇଛି । ସତର୍କ ରୁହନ୍ତୁ ଓ ଆବଶ୍ୟକ ପଡ଼ିଲେ ସାହାଯ୍ୟ ନିଅନ୍ତୁ । “
ଶ୍ରଦ୍ଧାଳୁଙ୍କୁ ମହାକୁମ୍ଭରେ ବାଟ ଦେଖାଇବାକୁ ବିଶେଷ ବ୍ୟବସ୍ଥା କରାଯାଇଛି । ସଙ୍ଗମ ସ୍ଥଳକୁ ଯିବା ପାଇଁ ନିର୍ଦ୍ଧାରିତ ଲେନ୍ ଦେଇ ଯିବାକୁ କୁହାଯାଇଛି । ବୁଡ଼ ପକାଇବା ପରେ ତୁରନ୍ତ ଘାଟ ଛାଡ଼ି ପାର୍କିଂସ୍ଥଳକୁ ଯିବାକୁ ପରାମର୍ଶ ରହିଛି । ଭିଡ଼ରେ ଧସ୍ତାଧସ୍ତିରୁ ବର୍ତ୍ତିବାକୁ କୁହାଯାଇଛି । ସଙ୍ଗମସ୍ଥଳକୁ ଆସିଥିଲେ ନିଜ ସ୍ୱାସ୍ଥ୍ୟ ସହ ପରିବେଶ ଉପରେ ଧ୍ୟାନ ଦେବାକୁ ଅପିଲ୍ କରାଯାଇଛି । ପ୍ଲାଷ୍ଟିକ୍ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି ।
ତାସହିତ ସୋସିଆଲ ମିଡିଆର ଭୁଲ ତଥ୍ୟ ଉପରେ ବିଶ୍ୱାସ ନକରିବାକୁ ଅପିଲ୍ କରାଯାଇଛି । ବଡ଼ବଡ଼ ଗ୍ରୁପ୍ କରି ରାସ୍ତାରେ ଭିଡ଼ ନଜମାଇବାକୁ କୁହାଯାଇଛି । ସେହିଭଳି ଭ୍ରମାତ୍ମକ ସୂଚନାରୁ ବି ବର୍ତ୍ତିବାକୁ କୁହାଯାଇଛି ।
ଶ୍ରଦ୍ଧାଳୁ ପ୍ରଥମେ ଯେଉଁ ଘାଟରେ ପହଞ୍ଚୁଛନ୍ତି ସେହି ଘାଟରେ ପ୍ରଥମେ ବୁଡ଼ ପକାଇବାକୁ ଅପିଲ କରାଯାଉଛି । ମୌନୀ ଅମାବାସ୍ୟାରେ ସଙ୍ଗମ ସ୍ଥଳରେ ବୁଡ଼ ପକାଇଲେ ପୂଣ୍ୟ ଲାଭ ହୁଏ ବୋଲି ବିଶ୍ୱାସ ରହଛି ।