କନକ ବ୍ୟୁରୋ : କୋଟି କୋଟି ଟଙ୍କାର କଳାପଥର ଲୁଟ୍‌ ପରେ ବି ଏଥିରେ ଲାଗୁନି ରୋକ୍ । ଏବେ ବି ବେଧଡକ ଭାବେ ଯାଜପୁର ଧର୍ମଶାଳା ଅଂଚଳରେ ଚାଲିଛି କଳାପଥର ଲୁଟ୍ । ଏପରିକି ଲିଜ ଅବଧି ସରିବା ପରେ ବି ବନ୍ଦ ହେଉନି ବ୍ଲାଷ୍ଟିଂ । ଯାଜପୁର ଧର୍ମଶାଳାରେ ବେଆଇନ କଳାପଥର ବ୍ଲାଷ୍ଟିଂ ପାଇଁ ସମସ୍ୟା ଭୋଗୁଛନ୍ତି ୧୦ ଖଣ୍ଡ ପଞ୍ଚାୟତବାସୀ ।

Advertisment

ଯାଜପୁର ଧର୍ମଶାଳାର କଳାପଥର ଖଣି ଉପରୁ ମାଫିଆଙ୍କ ଲୋଲୁପ ଦୃଷ୍ଟି ହଟୁନି । ଏବେ ବି ଚାଲିଛି ବେଆଇନ କଳାପଥର ବ୍ଲାଷ୍ଟିଂ । ପ୍ରଚଣ୍ଡ ଶବ୍ଦରେ ଥରୁଛି ପୂରା ଅଞ୍ଚଳ । ଭୂକମ୍ପ ଭଳି ଲାଗୁଛି ଝଟକା । ଦିନ ଦ୍ବିପ୍ରହରରେ ଚାଲିଛି ରାଜସ୍ବ ଲୁଟ୍‌ । ବେଆଇନ ବ୍ଲାଷ୍ଟିଂ ପାଇଁ ଲଣ୍ଡା ହୋଇଗଲାଣି ଜାବରା ପାହାଡ଼ । କିନ୍ତୁ ସବୁ ଦେଖି ଆଖି ବୁଜି ଦେଇଛି ଜିଲ୍ଲା ପ୍ରଶାସନ ଓ ଖଣି ବିଭାଗ । ସନ୍ଧ୍ୟା ହେବା ମାତ୍ରେ ୱାଗନ ଡ୍ରିଲ୍‌ ମାଧ୍ୟମରେ ହଜାର ହଜାର ଫୁଟର ବ୍ଲାଷ୍ଟିଂ ହେଉଛି । ପାହାଡ଼ ନିକଟରେ ଥିବା ଲୋକଙ୍କ ଘରଦ୍ୱାର ଦୋହଲୁଛି । କାନ୍ଥ ମଧ୍ୟ ଫାଟି ଯାଉଛି । ପ୍ରାୟ ୧୦ଟି ପଞ୍ଚାୟତର ଲୋକେ ପ୍ରଭାବିତ ହେଉଥିବା ବେଳେ ଏହାକୁ ନେଇ ବଢ଼ିବାରେ ଲାଗିଛି ଅସନ୍ତୋଷ ।

ପୂର୍ବ ସରକାରରେ ମନୋଜ ସାମଲ ଓ ଶରତ ଜେନା ନାମକ ଦୁଇ ଲଜିଧାରୀଙ୍କୁ କଳାପଥର ଖୋଳିବାକୁ ମିଳିଥିଲା ଲିଜ୍‌ । କିନ୍ତୁ ଆରୁହା ଗାଁର ମନୋଜ ଆବଶ୍ୟକତାଠାରୁ ଅଧିକ କଳାପଥର ଉତ୍ତୋଳନ କରିବାରୁ ତାଙ୍କ ଉପରେ ୮ କୋଟି ଟଙ୍କାର ଜରିମାନା ହୋଇଥିଲା । କୋଟିଏ ୫୭ ଲକ୍ଷ ଜରିମାନା ଦେବା ପରେ ତାଙ୍କୁ ପୁଣିଥରେ କଳାପଥର ଉତ୍ତୋଳନ ପାଇଁ ଅନୁମତି ମିଳିଥିଲା । ଯାହାର ଅବଧି ଫେବ୍ରୁୟାରି ୧୭ରୁ ଶେଷ ହୋଇଛି । ଖଣି ବିଭାଗ ପକ୍ଷରୁ ଷ୍ଟପ ଅପରେସନ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । ହେଲେ, ପାହାଡ ଫଟାଇ କୋଟି କୋଟି ଟଙ୍କାର କଳାପଥର ଲୁଟ୍ କରୁଛନ୍ତି । ସେପଟେ ବ୍ଲାଷ୍ଟିଂରେ ବ୍ୟବହୃତ ରାସାୟନିକ ପଦାର୍ଥ ପାଇଁ ଭୂତଳ ଜଳ ପ୍ରଦୂଷିତ ହୋଇ କିଡନୀ ରୋଗ ବ୍ୟାପୁଥିବା ଅଭିଯୋଗ ହୋଇଛି ।

ଏଠି ପ୍ରଶ୍ନ ଉଠୁଛି, ଅବଧି ସରିବା ପରେ ବି କିପରି ଚାଲିଛି ବ୍ଲାଷ୍ଟିଂ? ରାଜସ୍ୱ ଲୁଟ୍‌କୁ କିଏ ଦେଉଛି ଅନୁମତି? ବେଆଇନ ଉତ୍ତୋଳନ ପଛରେ କିଏ ? ଲିଜଧାରୀଙ୍କ ବିରୋଧରେ କାହିଁକି ଫୌଜଦାରି ମାମଲା ରୁଜୁ କରୁନି ପ୍ରଶାସନ ?