କନକ ବ୍ୟୁରୋ: ଦୀପାବଳି ରାତିରେ ବିଏସଏଫ ଯବାନଙ୍କ ସ୍ତ୍ରୀଙ୍କ ବେକରୁ ଝାମ୍ପିନେଲେ ଚେନ୍‌ । ଝାମ୍ପିବାବେଳେ ସ୍କୁଟିରୁ ପଡ଼ି ମହିଳା ଓ ତାଙ୍କ ଝିଅ ଆହତ । ଖାରବେଳନଗର ଥାନା ମଧୁସୂଦନନଗର ଅଞ୍ଚଳରୁ ଆସିଛି ଏହି ଖବର । ଚେନ୍ ଚୋରିକୁ ନେଇ ଥାନାର ଦ୍ୱାରସ୍ଥ ହେଲେ ମହିଳା । ଖାରବେଳନଗର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଆରମ୍ଭ କରିଛି ତନାଘନା। ଅଭିଯୋଗ କାରିଣୀ ହେଲେ ମଧୁସୂଦନନଗର ଅଞ୍ଚଳରେ ରହୁଥିବା ମହେଶ୍ଵତା ଶତପଥୀ । ଅଭିଯୋଗ ଅନୁସାରେ ଗତକାଲି ରାତି ପାଖାପାଖି ସାଢ଼େ ୯ଟା ସମୟରେ ମହେଶ୍ଵତା ଓ ତାଙ୍କ ଝିଅ ଦୀପାବଳି ଉତ୍ସବ ପାଳନ କରି ଜଣେ ସଂପର୍କୀୟଙ୍କ ଘରୁ ଫେରୁଥିଲେ । ମଧୁସୂଦନ ନଗରରେ ରହୁଥିବା ଆପାର୍ଟମେଣ୍ଟ ନିକଟରେ ପହଁଚିବା ବେଳକୁ ହଟାତ ଏକ କଳାରଙ୍ଗର ପଲସର୍ ଗାଡ଼ିରେ ତିନିଜଣ ଯୁବକ ଆସି ତାଙ୍କ ସ୍କୁଟିକୁ ସାଇଡ ମାରବା ସହ ଅଟକାଇ ଦେଇଥିଲେ । ପରେ ତାଙ୍କ ବେକରେ ଥିବା ସୁନା ଚେନ ଝାଂପି ନେଇଥିଲେ । ପାଟି କରିବାରୁ ଗାଳି ଗୁଲଜ କରିବା ସହ ଧକା ମରି ତାଙ୍କୁ ଓ ତାଙ୍କ ଝିଅଙ୍କୁ ତଳେ ପକାଇ ଦେଇଥିଲେ । ଫଳରେ ତାଙ୍କ ମୁଁହ ଓ ଦେହରେ ଆଘାତ ଲାଗିଥିଲା । ତଳେ ପଡି ପଲସର୍ ନମ୍ୱର୍ ମନେ ରଖିବା ସହ ଏ ନେଇ ଥାନାରେ ଅଭିଯୋଗ କରିଛନ୍ତି ।