କନକ ବ୍ୟୁରୋ: ବାରବାଟୀରେ ମ୍ୟାଚ୍ ବେଳେ ପୁଣି ଦେଖାଗଲା ବିଭ୍ରାଟ । ଟିମ୍ ଇଣ୍ଡିଆର ବ୍ୟାଟିଂ ବେଳେ ବନ୍ଦ ହୋଇଗଲା ଫ୍ଲଡ୍ ଲାଇଟ୍ । ଭାରତୀୟ ଓପେନିଂ ଯୋଡ଼ି ଲୟରେ ନଜର ଆସୁଥିବା ବେଳେ ଏଭଳି ଘଟଣାକୁ ନେଇ ବିରକ୍ତି ପ୍ରକାଶ କରିଛନ୍ତି କ୍ୟାପଟେନ୍ ରୋହିତ ଶର୍ମା । କାରଣ ବର୍ତ୍ତମାନ ପ୍ରତ୍ୟେକ ମ୍ୟାଚ୍ ରୋହିତ ଶର୍ମାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । କାରଣ ଦୀର୍ଘ ଦିନ ଧରି ତାଙ୍କ ବ୍ୟାଟ୍ରୁ ବି ରନ୍ ବାହାରୁନି । କୌଣସି ଆଖି ଦୃଶିଆ ଇନିଂସ ଖେଳି ପାରିନାହାନ୍ତି । ସେପଟେ ଭାରତ ଏହି ସିରିଜ୍ରେ ୧-୦ରେ ଆଗୁଆ ରହିଥିଲା । ଏଣୁ ଏଭଳି ଘଟଣା ବ୍ୟାଟରଙ୍କ ଲୟ ବିଗାଡିବ ନିଶ୍ଚିତ । ଫ୍ଲଡ୍ ଲାଇଟ୍ ବନ୍ଦ ହେବା ସୁଦ୍ଧା ଭାରତ ୬ ଓଭରରେ ବିନା କୌଣସି ୱିକେଟ୍ରେ ୪୮ ରନ୍ କରିଥିଲା ।
ଏହାପୂର୍ବରୁ ବି ଏକ ଅନ୍ତର୍ଜାତୀୟ ମ୍ୟାଚ୍ରେ ଏଭଳି ହିଁ ବିଭ୍ରାଟ ଦେଖା ଦେଇଥିଲା । ଏଣୁ ଦୀର୍ଘ ଦିନ ଧରି ବାରବାଟୀକୁ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍ ଆୟୋଜନ ଅଧିକାର ମିଳି ପାରୁନଥିଲା । ଲାଇଟ ବନ୍ଦ ହୋଇଯିବାରୁ ପଡିଆରୁ ପାଭିଲିୟନ ଫେରିଗଲେ ଖେଳାଳି । ବାରବାଟୀରେ ଏଭଳି ବିଭ୍ରାଟ ପାଇଁ ଏବେ ଓସିଏ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏତେ ବଡ ଅବ୍ୟବସ୍ଥା ହେଲା କେମିତି ? ବର୍ତ୍ତମାନ ଫ୍ଲଡ୍ ଲାଇଟ ମରାମତି କାମ ଚାଲିଛି ।
Follow Us