କନକ ବ୍ୟୁରୋ: କିଟ୍ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ଛାତ୍ରୀ ଆତ୍ମହତ୍ୟା ଘଟଣା ଓ ପରବର୍ତ୍ତୀ ଗଣ୍ଡଗୋଳ ନେଇ ଚର୍ଚ୍ଚା ଥମିବାର ନାଁ ନେଉନି। ଏହି ମାମଲାରେ ଆଜି ପୁଣି ଉଚ୍ଚସ୍ତରୀୟ କମିଟି କିଟ୍ ଅନୁଷ୍ଠାନର ୬ କର୍ମଚାରୀଙ୍କୁ ଜେରା କରିଛି । ପ୍ରଶ୍ନବାଣର ସମ୍ମୁଖୀନ ହୋଇଛନ୍ତି ଏହି କର୍ମଚାରୀ । ସେପଟେ କିଟ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛି ସୂଚନା ଅଧିକାର ଅଭିଯାନ । କିଟକୁ ସୂଚନା ଅଧିକାର ଆଇନ ପରିସରଭୁକ୍ତ କରିବାକୁ ଅଭିଯାନ ଦାବି କରି ଅନେକ ପ୍ରଶ୍ନ ଉଠାଇଛି ।  

Advertisment
  • କିଟ୍ କାଣ୍ଡ: ହାଜର ହେଲେ ୬ ଅଧିକାରୀ
  • ଉଚ୍ଚସ୍ତରୀୟ କମିଟିର ପ୍ରଶ୍ନ ପରେ ପ୍ରଶ୍ନ

କିଟ ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ମୃତ୍ୟୁ ଓ ପରେ ଗଣ୍ଡଗୋଳ ଘଟଣାରେ ଉଚ୍ଚସ୍ତରୀୟ କମିଟି ଆଗରେ ହାଜର ହୋଇଛନ୍ତି ବିଶ୍ୱବିଦ୍ୟାଳୟର ୬ ଅଧିକାରୀ । ପର୍ଯ୍ୟାୟକ୍ରମେ ଏମାନଙ୍କୁ ଜେରା କରାଯାଇଛି । ଏମାନଙ୍କ ମଧ୍ୟରେ ଅଛନ୍ତି କିଟ୍ ଇଣ୍ଟରନାଲ୍ କମିଟି ମୁଖ୍ୟ ଇପ୍ସିତା ଶତପଥୀ, ସୁରକ୍ଷା ମୁଖ୍ୟ ପି କେ ପଟ୍ଟନାୟକ, ସହକାରୀ ନିର୍ଦ୍ଦେଶିକା ସ୍ମରିକା ପତି, ସିନିୟର୍ ହଷ୍ଟେଲ୍ ସୁପରିଟେଣ୍ଡେଣ୍ଟ ସଂହିତା ମିଶ୍ର । ଏମାନେ ଉଚ୍ଚସ୍ତରୀୟ କମିଟିର ପ୍ରଶ୍ନବାଣର ସମ୍ମୁଖୀନ ହୋଇଛନ୍ତି । ତେବେ ବିଦେଶୀ ଛାତ୍ରୀ ଆତ୍ମହତ୍ୟା ଓ ପରବର୍ତ୍ତୀ ଘଟଣାରେ ପୂର୍ବରୁ ସଂସ୍ଥାର ମୁଖ୍ୟ ଅଚ୍ୟୁତ ସାମନ୍ତ ଓ ଅନ୍ୟ ୮ ଜଣ ଜେରାର ସମ୍ମୁଖୀନ ହୋଇସାରିଛନ୍ତି । ଆବଶ୍ୟକ ପଡିଲେ ଆଉ କିଛି ଲୋକଙ୍କୁ ହାଜର ପାଇଁ ନୋଟିସ ହୋଇପାରେ ।

  • କିଟ୍ ବିରୋଧରେ ଗର୍ଜିଲେ ସୂଚନା ଅଧିକାରୀ କର୍ମୀ
  • ‘କିଟ୍‌କୁ ତଦନ୍ତ ପରିସରଭୁକ୍ତ କରାଯାଉ’

ସେପଟେ କିଟ୍ ବିରୋଧରେ ବହୁ ସାଂଘାତିକ ଅଭିଯୋଗ ଆଣିଛି ସୂଚନା ଅଧିକାର ଅଭିଯାନ। କିଟ୍ କାହିଁକି ସୂଚନା ଅଧିକାର ଆଇନ ପରିସରଭୁକ୍ତ ହୋଇନି ବୋଲି ପ୍ରଶ୍ନ କରିଛନ୍ତି ସୂଚନା ଅଧିକାର କର୍ମୀ। ଅଭିଯୋଗ କରି କହିଛନ୍ତି, କିଟ୍ ଜମି ଜାଲିଆତିରେ ସଂପୃକ୍ତ ଅଛି । ତେଣୁ ଏହି ସଂସ୍ଥାକୁ ତଦନ୍ତ ପରିସରଭୁକ୍ତ କରାଯାଉ।

ସେପଟେ ଏନଆଇଏଫଟିକୁ ଯାଇଥିବା ସର୍ବସାଧାରଣ ରାସ୍ତା ମଝିରେ ଥିବା ଫୁଲକୁଣ୍ଡ ଓ ତୋରଣ ହଟାଇଛି କିଟ୍। ଟ୍ରାକ୍ଟରରେ ଫୁଲକୁଣ୍ଡକୁ ବୋହିନେଇଛନ୍ତି କିଟ୍ କର୍ମଚାରୀ । ଭୁବନେଶ୍ୱର କିଟ୍ କ୍ୟାମ୍ପସର ଗେଟ୍ ନମ୍ବର-୬ ନିକଟରେ ଥିବା NIFTକୁ କିଟ ବାଟ ଛାଡୁ ନଥିବା ଦୀର୍ଘଦିନ ଧରି ଅଭିଯୋଗ ହୋଇ ଆସୁଥିଲା । ଏହାପରେ ଫୁଲକୁଣ୍ଡ ଓ ତୋରଣକୁ କାଢି ନେଇଛି କିଟ୍।