କନକ ବ୍ୟୁରୋ : ପ୍ରେମାନନ୍ଦ ମହାରାଜଙ୍କୁ ସାକ୍ଷାତ କରିବାକୁ ବୃନ୍ଦାବନରେ ପହଞ୍ଚିଲେ ଜୟା କିଶୋରୀ । ଆଧ୍ୟାତ୍ମିକ ଜଗତର ଦୁଇ ପ୍ରମୁଖ ଚେହେରା , ବୃନ୍ଦାବନର ସନ୍ଥ ପ୍ରେମାନନ୍ଦ ମହାରାଜ ଏବଂ ପ୍ରସିଦ୍ଧ କଥାବାଚକ ତଥା ଭଜନ ଗାୟିକା ଜୟା କିଶୋରୀଙ୍କ ସାକ୍ଷାତକାର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ନିକଟରେ ଜୟା କିଶୋରୀ ବୃନ୍ଦାବନ ସ୍ଥିତ ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ 'ରାଧା କେଲି କୁଞ୍ଜ'ରେ ପହଞ୍ଚି ତାଙ୍କର ଆଶୀର୍ବାଦ ଭିକ୍ଷା କରିଛନ୍ତି । ଏହି ସାକ୍ଷାତର ଭିଡିଓ ସୋସିଆଲ ମିଡିଆରେ ବେସ୍‌ ଭାଇରାଲ୍‌ ହେବାରେ ଲାଗିଛି । ଯେଉଁଥିରେ ଦୁଇ ଆଧ୍ୟାତ୍ମିକଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ।

Advertisment

ବୃନ୍ଦାବନର ପ୍ରସିଦ୍ଧ ସନ୍ଥ ପ୍ରେମାନନ୍ଦ ମହାରାଜ ତାଙ୍କର ମୂଲ୍ୟବାନ ଚିନ୍ତାଧାରା ସହିତ ଲୋକମାନଙ୍କୁ ମାର୍ଗଦର୍ଶନ କରନ୍ତି । ତାଙ୍କ ପ୍ରବଚନ ଶୁଣିବା ପାଇଁ ଲୋକମାନେ ଦୂରଦୂରାନ୍ତରୁ ବୃନ୍ଦାବନର ଆଶ୍ରମକୁ ଆସନ୍ତି । ସେହିପରି ଜୟା କିଶୋରୀ ଆଶ୍ରମରେ ପହଞ୍ଚି ଭଗବାନଙ୍କ ଚରଣରେ ପ୍ରଣାମ କରିବା ପରେ ପ୍ରେମାନନ୍ଦ ମହାରାଜଙ୍କ ଆଶୀର୍ବାଦ ନେଇଥିଲେ । ଜୟା କିଶୋରୀଙ୍କୁ ଦେଖି ମହାରାଜ ସ୍ମିତ ହାସ୍ୟ ଦେଇ କହିଥିଲେ, "ଭଗବାନଙ୍କ ନାମ ଜପ କର ଏବଂ ତାଙ୍କର ଧ୍ୟାନ କର । ଏହା ପ୍ରତ୍ୟେକ ଜୀବର ଅଧିକାର।"

ପ୍ରେମାନନ୍ଦ ମହାରାଜ ଜୟା କିଶୋରୀଙ୍କୁ ଭଗବତ ଗୀତାର ଏକ ଶ୍ଳୋକ ମାଧ୍ୟମରେ ଭକ୍ତିର ମାର୍ଗ ବୁଝାଇଥିଲେ । ସେ କହିଥିଲେ ଯେ ଯେଉଁ ଭକ୍ତ ନିଜର ମନ ଓ ପ୍ରାଣକୁ ଭଗବାନଙ୍କୁ ସମର୍ପଣ କରିଦିଏ ଏବଂ ନିରନ୍ତର ତାଙ୍କର ଚର୍ଚ୍ଚା କରେ, ସେ ହିଁ ପ୍ରକୃତ ସୁଖ ଲାଭ କରେ । ମହାରାଜ ଆହୁରି ମଧ୍ୟ କହିଥିଲେ ଯେ ସ୍ତ୍ରୀ ହୁଅନ୍ତୁ ବା ପୁରୁଷ, ଯଦି କେହି ନିଷ୍କପଟ ଭାବରେ ଭକ୍ତି କରେ, ସେ ଭଗବାନଙ୍କର ଅତି ପ୍ରିୟ ହୋଇଥାଏ । ସେ ମୀରାବାଈ, ରତ୍ନାବଳୀଙ୍କ ଭଳି ମହାନ ମହିଳା ଭକ୍ତଙ୍କ ଉଦାହରଣ ଦେଇ ନାରୀମାନେ ମଧ୍ୟ ଭକ୍ତିର ଶୀର୍ଷରେ ପହଞ୍ଚିପାରିବେ ବୋଲି କହିଥିଲେ ।

ସାକ୍ଷାତର ଶେଷରେ ପ୍ରେମାନନ୍ଦ ମହାରାଜ ଜୟା କିଶୋରୀଙ୍କୁ ଉପଦେଶ ଦେଇ କହିଥିଲେ, "ଭଗବାନଙ୍କ ନାମ ଜପ କର ଏବଂ ଅନ୍ୟମାନଙ୍କୁ ମଧ୍ୟ କରାଅ , ଏହା ହିଁ ସବୁଠାରୁ ଶ୍ରେଷ୍ଠ ସେବା ।" ଏହି ସାକ୍ଷାତ ପୂର୍ବରୁ, ଏକ ପଡକାଷ୍ଟରେ ଜୟା କିଶୋରୀ ପ୍ରେମାନନ୍ଦ ମହାରାଜଙ୍କୁ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ ମହାରାଜ ଅତି ସରଳ ଭାବରେ ଆଧ୍ୟାତ୍ମିକତାର ଗୂଢ଼ ତତ୍ତ୍ୱ ବୁଝାଇଥାନ୍ତି, ଯାହା ତାଙ୍କୁ ବହୁତ ପ୍ରଭାବିତ କରିଛି । ଏହି ଦୁଇ ଆଧ୍ୟାତ୍ମିକ ବ୍ୟକ୍ତିତ୍ୱଙ୍କ ମିଳନ ସେମାନଙ୍କ ଅନୁଗାମୀଙ୍କ ମଧ୍ୟରେ ଏକ ସକାରାତ୍ମକ ବାର୍ତ୍ତା ସଞ୍ଚାର କରିଛି ।