ଧୋନୀଙ୍କ ବିଚକ୍ଷଣ ବୁଦ୍ଧି-ଧଓ୍ୱନଙ୍କ ଧୂଆଁଧାର ବ୍ୟାଟିଂ-ଜାଡେଜାଙ୍କ ଯାଦୁ: ୨୦୧୩ରେ ଏମିତି ଚାମ୍ପିୟନ ହୋଇଥିଲା ଭାରତ

୨୦୧୩ ମସିହାରେ, ଅନେକ କିମ୍ବଦନ୍ତୀ ଖେଳାଳି ଭାରତ ପାଇଁ ଖେଳୁଥିଲେ । କିନ୍ତୁ ତତ୍କାଳୀନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଏକ ଯୁବ ଦଳ ଖୋଜୁଥିଲେ ଯାହା ତାଙ୍କ ପାଇଁ ବଡ଼ ମ୍ୟାଚ୍ ଜିତିପାରିବ ।

53ggg

Photograph: (kanak news)

କନକ ବ୍ୟୁରୋ: ଯେବେ ଇଂଲଣ୍ଡକୁ ଇଂଲଣ୍ଡ ମାଟିରେ ଚମକାଇ ଦେଇଥିଲା ଭାରତ । ଚାମ୍ପିୟନ୍ସ ଟ୍ରଫିରେ ମାତ୍ ଦେଇ ବନିଥିଲା ଚାମ୍ପିୟନ୍ । ମନେ ପଡ଼େ ୨୦୧୩ ଚାମ୍ପିୟନ୍ସ ଟ୍ରଫିର ସେହି ଫାଇନାଲ ମ୍ୟାଚ କଥା । ଯେଉଁ ମ୍ୟାଚରେ ଦେଖିବାକୁ ମିଳିଥିଲା ମହେନ୍ଦ୍ର ସିଂ ଧୋନୀଙ୍କ ବିଚକ୍ଷଣ ବୁଦ୍ଧି, ଧଓ୍ୱନଙ୍କ ଧୂଆଁଧାର ବ୍ୟାଟିଂ ଆଉ ଜାଡେଜାଙ୍କ ଅଲରାଉଣ୍ଡର ଯାଦୁ । ଫଳରେ ଭାରତ ଦ୍ବିତୀୟଥର ପାଇଁ ବନିଥିଲା ଚାମ୍ପିୟନ୍ସ ଟ୍ରଫି ବିଜେତା । 

୨୦୧୩ ମସିହାରେ, ଅନେକ କିମ୍ବଦନ୍ତୀ ଖେଳାଳି ଭାରତ ପାଇଁ ଖେଳୁଥିଲେ । ସେହି ସମୟରେ, ବୀରେନ୍ଦ୍ର ସେହୱାଗ, ଗୌତମ ଗମ୍ଭୀର, ଯୁବରାଜ ସିଂହ, ହରଭଜନ ସିଂହ, ଜାହିର ଖାନଙ୍କ ଭଳି ଖେଳାଳି ଭାରତୀୟ ଶିବିରର ଅଂଶ ଥିଲେ । କିନ୍ତୁ ତତ୍କାଳୀନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଏକ ଯୁବ ଦଳ ଖୋଜୁଥିଲେ ଯାହା ତାଙ୍କ ପାଇଁ ବଡ଼ ମ୍ୟାଚ୍ ଜିତିପାରିବ । ଅଷ୍ଟ୍ରେଲିଆ ବିପକ୍ଷ ହାଇଦ୍ରାବାଦ ଟେଷ୍ଟ ପରେ, ସେହୱାଗ କେବେ ଆଉ ଦଳକୁ ଫେରିପାରିନଥିଲେ । ଯୁବରାଜ ସିଂହ ଏବଂ ଗୌତମ ଗମ୍ଭୀର ସେମାନଙ୍କର ଫର୍ମ ପାଇଁ ସଂଘର୍ଷ କରୁଥିଲେ । ହରଭଜନ ସିଂହ ମଧ୍ୟ ଭଲ ଲୟରେ ନଥିଲେ । ଏପରି ପରିସ୍ଥିତିରେ ଧୋନି ଏକ ନୂତନ ଦଳ ଗଠନ କରିଥିଲେ । 

ଭାରତୀୟ ଦଳର ଚୂଡ଼ାନ୍ତ ଚୟନ ୪ ମେ’ ୨୦୧୩ରେ କରାଯାଇଥିଲା, ଯେଉଁଥିରେ ୱିକେଟକିପର ଦିନେଶ କାର୍ତ୍ତିକ ଏବଂ ମୁରଲୀ ବିଜୟ ଅଚାନକ୍ ପ୍ରବେଶ କରିଥିଲେ। ଅଷ୍ଟ୍ରେଲିଆ ବିପକ୍ଷରେ ଡେବ୍ୟୁ ଟେଷ୍ଟରେ ଚମତ୍କାର ପ୍ରଦର୍ଶନ କରିବା ପରେ, ଶିଖର ଧାୱନଙ୍କୁ ମଧ୍ୟ ଏକଦିବସୀୟ ଦଳରେ ସ୍ଥାନ ମିଳିଥିଲା। ବିରାଟ କୋହଲି ଦଳର ଉପ-ଅଧିନାୟକ ଥିଲେ ଏବଂ ସୁରେଶ ରୈନା ପୂର୍ବରୁ ମଧ୍ୟକ୍ରମରେ ଭଲ ପ୍ରଦର୍ଶନ କରୁଥିଲେ। ରୋହିତ ଶର୍ମାଙ୍କୁ ମଧ୍ୟ ଦଳରେ ଚୟନ କରାଯାଇଥିଲା ଯିଏ ସେତେବେଳେ ଏକଦିବସୀୟ କ୍ରିକେଟରେ କିଛି ବିଶେଷ ପ୍ରଦର୍ଶନ କରି ପାରିନଥିଲେ ।

ଅଲରାଉଣ୍ଡର ତାଲିକାରେ ଆର. ଅଶ୍ୱିନ, ରବିନ୍ଦ୍ର ଜାଡେଜା ଏବଂ ଇରଫାନ ପଠାନଙ୍କୁ ମନୋନୀତ କରାଯାଇଥିଲା । ଭାରତ ଏକ ଯୁବ ବୋଲିଂ ଲାଇନ-ଅପ୍ ସହିତ ଚାମ୍ପିଅନ୍ସ ଟ୍ରଫିକୁ ଯାଇଥିଲା । ଈଶାନ୍ତ ଶର୍ମା ଏବଂ ଅମିତ ମିଶ୍ରାଙ୍କ ବ୍ୟତୀତ, ଦଳର ଅନ୍ୟ ବୋଲରଙ୍କ ପାଖରେ ଅଧିକ ଅଭିଜ୍ଞତା ନଥିଲା ।  ଭୁବନେଶ୍ୱର କୁମାର, ଉମେଶ ଯାଦବ ଏବଂ ବିନୟ କୁମାରଙ୍କ ସମେତ ପାଞ୍ଚ ଜଣ ପେସ୍ ବୋଲର ଦଳରେ ସାମିଲ ହୋଇଥିଲେ । 

ଯୁବ ଟିମ୍ ନେଇ ୨୦୧୩ ଚାମ୍ପିୟନ୍ସ ଟ୍ରଫି ପାଇଁ ମୈଦାନକୁ ଓହ୍ଲାଇଥିଲା ଭାରତ । ଦଳ ଲିଗ୍ ପର୍ୟ୍ୟାୟରେ ଦକ୍ଷିଣ ଆଫ୍ରିକା, ଓ୍ୱେଷ୍ଟ ଇଣ୍ଡିଜ୍ ଓ ପାକିସ୍ତାନକୁ ପରାସ୍ତ କରିଥିଲା । ଆଉ ସେମି ଫାଇନାଲରେ ଶ୍ରୀଲଙ୍କାକୁ ମାତ୍ ଦେଇ ଫାଇନାଲରେ ପ୍ରବେଶ କରିଥିଲା ଭାରତ । ଯେଉଁଠି ଇଂଲଣ୍ଡ ସହ ହୋଇଥିଲା ମୁହାଁମୁହିଁ । ଭାରତ ଏହି ଫାଇନାଲ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିଲା । ହେଲେ ଦଳ ୨୦ ଓଭରରେ ବଡ ସ୍କୋର କରିପାରିନଥିଲା । ଦଳ ପକ୍ଷରୁ ବିରାଟ କୋହଲି ୪୩, ରବୀନ୍ଦ୍ର ଜାଡେଜା ୩୩ ଓ ଶିଖର ଧଓ୍ୱନ ୩୧ ରନ କରିଥିଲେ । ଫଳରେ ଦଳ ୭ ଓ୍ୱିକେଟ ହରାଇ ମାତ୍ର ୧୨୯ ରନ କରିଥିଲା ।

 ୧୩୦ ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା ଇଂଲଣ୍ଡ ଦଳ ଭାରତୀୟ ବୋଲରଙ୍କୁ ସାମ୍ନା କରିପାରିନଥିଲା । ଦଳ ପକ୍ଷରୁ ରବି ବୋପାରା ଓ ଇୟନ ମୋର୍ଗାନଙ୍କୁ ଛାଡ଼ିଦେଲେ ଆଉ କେହି ଭଲ ପ୍ରଦର୍ଶନ କରିପାରନିଥିଲେ । ଫଳରେ ଇଂଲଣ୍ଡ ୨୦ ଓଭରରେ ୮ ଓ୍ୱିକେଟ ହରାଇ ୧୨୪ ରନ କରିଥିଲା । ଆଉ ଭାରତ ଫାଇନାଲ ମ୍ୟାଚକୁ ୫ ରନରେ ଜିତି ନେଇଥିଲା । ଆଉ ଚାମ୍ପିୟନ ହୋଇଥିଲା । 

ଏହି ମ୍ୟାଚରେ ଉଭୟ ବ୍ୟାଟିଂ ବୋଲିଂରେ ଚମତ୍କାର ପ୍ରଦର୍ଶନ ପାଇଁ ରବୀନ୍ଦ୍ର ଜାଡେଜାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ବିବେଚନା କରାଯାଇଥିବା ବେଳେ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ସ୍କୋର କରି ମ୍ୟାନ ଅଫ ଦି ସିରିଜ ହୋଇଥିଲେ ଶିଖର ଧଓ୍ୱନ । ଓ୍ୱିକେଟ ପଛରେ ରହି କ୍ୟାପଟେନ ଧୋନୀଙ୍କ ନିର୍ଣ୍ଣାୟକ ନିଷ୍ପତ୍ତି ଦଳ ବିଜୟର ପ୍ରମୁଖ କାରଣ ପାଲଟିଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe