କନକ ବ୍ୟୁରୋ: ଗର୍ଭବତୀ ମହିଳାଙ୍କ ପାଇଁ ରାଜ୍ୟ ସରକାର କରିଛନ୍ତି ବଡ଼ ଘୋଷଣା । ଏଣିକି ପୁଅ ଜନ୍ମ ହେଲେ ସରକାର ଦେବେ ୧୦ ହଜାର । ଆଉ ଝିଅ ଜନ୍ମ ହେଲେ ରାଜ୍ୟ ସରକାର ଦେବେ ୧୨ ହଜାର ଟଙ୍କା । ରାଜ୍ୟରେ କାର୍ୟ୍ୟକାରୀ ହେଉଥିବା ମମତା ଯୋଜନା ସହିତ, ପ୍ରଧାନମନ୍ତ୍ରୀ ମାତୃ ବନ୍ଦତା ଯୋଜନା ମିଳିତ ଭାବେ କାର୍ୟ୍ୟକାରୀ ହେବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

Advertisment

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମୁତାବକ, କନ୍ୟାସନ୍ତାନ ଜନ୍ମ ପାଇଁ ଗର୍ଭବତୀମାନଙ୍କୁ ବର୍ଷକୁ ଅଧିକ ୨ ହଜାର ଟଙ୍କା ପ୍ରଦାନ କରାଯିବ । ଗର୍ଭବତୀ, ପ୍ରସୂତି ମହିଳାମାନଙ୍କ ଉତ୍ତମ ସ୍ୱାସ୍ଥ୍ୟ ତଥା କନ୍ୟା ସନ୍ତାନ ଜନ୍ମକୁ ପ୍ରୋତ୍ସାହିତ କରିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ସେପଟେ ଏହି ଯୋଜନାରେ ପୁଅ ଜନ୍ମ ହେଲେ, ମିଳିବ ୧୦ ହଜାର ଟଙ୍କା । ତେବେ କନ୍ୟା ସନ୍ତାନ ପାଇଁ ପୂର୍ବରୁ ୧୦ ହଜାର ଟଙ୍କା ଦିଆଯାଉଥିବାବେଳେ, ନୂଆ କରି ଆରମ୍ଭ ହେବାକୁ ଥିବା ଏହି ମିଳିତ ଯୋଜନାରେ ଏହି ଟଙ୍କାକୁ ୧୨ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ସର୍ବାଧିକ ଦୁଇଟି ସନ୍ତାନ ଜନ୍ମ କ୍ଷେତ୍ରରେ ଏହି ସହାୟତା ମିଳିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ରାଜ୍ୟ ସରକାରଙ୍କ ଏହି ଯୋଜନାରେ ସହାୟତା କରୁଥିବା ଅଙ୍ଗନବାଡି କର୍ମୀମାନଙ୍କୁ ମଧ୍ୟ ଏଣିକି, ୨ ଶହ ଟଙ୍କା ବଦଳରେ ୨ଶହ ୫୦ ଟଙ୍କା ମିଳିବ । ଏହାସହ ଅଙ୍ଗନବାଡି ସହାୟକଙ୍କୁ ୫୦ ଟଙ୍କା ବଦଳରେ ପ୍ରୋତ୍ସାହନ ରାଶି ଭାବେ ୧୫୦ ଟଙ୍କା ମିଳିବ ବୋଲି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏଥିପାଇଁ ଆସନ୍ତା ଆର୍ଥିକ ବର୍ଷରେ ୫୧୧ କୋଟି ଟଙ୍କା ଖର୍ଚ୍ଚ ହେବ । ଏଥିପାଇଁ କେନ୍ଦ୍ର ସରକାର ୧୧୫ କୋଟି ଟଙ୍କା ଦେବାକୁ ଥିବାବେଳେ, ରାଜ୍ୟ ସରକାର ୩୯୫ କୋଟି ଟଙ୍କା ଯୋଗାଇବେ । ଏହାଦ୍ୱାରା ରାଜ୍ୟର ପ୍ରାୟ ୪ ଲକ୍ଷ ୫୦ ହଜାର ଗର୍ଭବତୀ ଓ ପ୍ରସୂତି ମହିଳାଙ୍କୁ ଲାଭ ମିଳିବ ବୋଲି କହିଛନ୍ତି ରାଜ୍ୟ ସରକାର ।