କନକ ବ୍ୟୁରୋ: ସଉକ ଯେତେବେଳେ ରୋଜଗାରର ମାଧ୍ୟମ ପାଲଟେ, ସେତେବେଳେ ତାହା ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଯାଏ । ଯାହା ଆଖିରେ ନଦେଖିଲେ ବିଶ୍ୱାସ କରିହେବନି ।  ଉଚ୍ଚଶିକ୍ଷା ପରେ ଗୋଆରେ ଚାକିରି କରୁଥିଲେ । ଏବେ ଚାକିରି ଛାଡ଼ି ଇକୋ ଟୁରିଜିମକୁ ରୋଜଗାରର ପନ୍ଥା କରିଛନ୍ତି । ୫୦ ଜଣ ଯୁବକକୁ ନିଯୁକ୍ତି ଦେଇଛନ୍ତି ଭଞ୍ଜନଗରର ଜଣେ ଉଦ୍ୟୋଗୀ ଯୁବକ । 

Advertisment

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସାନକୋଦଣ୍ଡା ଅଞ୍ଚଳର ସୁଶାନ୍ତ ପ୍ରଧାନ । ପିଜି ପାସ୍‌ କରିବା ପରେ ହୋଟେଲ ମ୍ୟାନେଜମେଣ୍ଟ କରି ଗୋଆରେ ଏକ ପ୍ରତିଷ୍ଠିତ ହୋଟେଲରେ ଭଲ ଦରମାରେ ଚାକିରି କରୁଥିଲେ । ହେଲେ ଜନ୍ମମାଟି ପାଇଁ କିଛି କରିବା ଲକ୍ଷ୍ୟରେ ଗାଁକୁ ଫେରି ଆସିଲେ । ଗାଁଠାରୁ ଅଳ୍ପଦୂରରେ କିଛି ପରିତ୍ୟକ୍ତ ଜମି କିଣି ଆରମ୍ଭ କଲେ ମାଛଚାଷ । ସରକାରୀ ସହାୟତାରେ ମାଛଚାଷ କଲେ କିନ୍ତୁ ଏତିକିରେ ସେ ସନ୍ତୁଷ୍ଟ  ହେଲେନାହିଁ । ପରେ ଆରମ୍ଭ କରିଥିଲେ ବହୁମୁଖୀ ପ୍ରକଳ୍ପ । 

ମାଛ ପୋଖରୀ ସହ ପର୍ଯ୍ୟଟନସ୍ଥଳ ସୃଷ୍ଟି କରି ନିଜ ଅଞ୍ଚଳର ବେକାର ଯୁବକଙ୍କୁ ରୋଜଗାର ଦେବା ଦିଗରେ ସୁଶାନ୍ତ ପ୍ରଧାନ ଆରମ୍ଭ କରିଥିଲେ କାମ । ପ୍ରଥମେ ୨୨ଟି ପୋଖରୀ ଖୋଳି ମାଛଚାଷ କରିଥିଲେ । ଏବେ ଏଥିରେ ଇକୋ ଟୁରିଜିମରେ ବ୍ୟବସ୍ଥା କରାଯାଇଛି। ସାଧାରଣ ବୋଟିଂ ସହ ବେଲୁନ୍ ବୋଟିଂ ଭଳି ମଜାଦାର ବ୍ୟବସ୍ଥା କରିଛନ୍ତି ସୁଶାନ୍ତ  । ପର୍ଯ୍ୟଟକଙ୍କ ପାଇଁ କଟେଜ ବ୍ୟବସ୍ଥା ମଧ୍ୟ ରହିଛି ।  ଏଥିରେ ସୁଶାନ୍ତ ୫୦ରୁ ଅଧିକ ଯୁବକଙ୍କୁ ନିଯୁକ୍ତି ଦେଇଛନ୍ତି । 

ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠାଠାରୁ ଗେରେଡ଼ା ଯିବା ରାସ୍ତାରେ ୧୫ କିଲୋମିଟର ଜଙ୍ଗଲିଆ ଅଞ୍ଚଳ ଦେଇ ଗଲେ ଏହି ପର୍ଯ୍ୟଟନସ୍ଥଳ ପଡ଼େ । ପ୍ରାକୃତିକ ସୈନ୍ଦର୍ଯ୍ୟ ସହ ହ୍ରଦର ମଜା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି । ଚାକିରି ଛାଡ଼ି ସୁଶାନ୍ତଙ୍କ ଏଭଳି ପରିକଳ୍ପନା  ନିଜକୁ ଓ ଅନ୍ୟମାନଙ୍କୁ ରୋଜଗାର ଦେବା ସହ ପ୍ରେରଣା ପାଲଟିଛି ।