ବିକାଶ ନଷ୍ଟ କରୁଛି ପରିବେଶ ; ଚାରିଆଡ଼େ କୁଢ଼କୁଢ଼ ଅଳିଆ

ବିକାଶ ଓ ଆଧୁନିକତାର ଦୌଡ଼ରେ ନଷ୍ଟ ହେଉଛି ପରିବେଶ  । ଚାରିଆଡେ କୁଢ଼କୁଢ଼ ଅଳିଆ । ପଲିଥିନ୍ ଓ ପ୍ଲାଷ୍ଟିକ୍ ବୋତଲ ବଢ଼ାଉଛି ଚିନ୍ତା । ବିଶ୍ବ ପରିବେଶ ଦିବସରେ ବାରିପଦାରୁ ଆସିଲା ସାଂଘାତିକ ଚିତ୍ର । 

ଚାରିଆଡ଼େ କୁଢ଼ କୁଢ଼ ଅଳିଆ

ଚାରିଆଡ଼େ କୁଢ଼ କୁଢ଼ ଅଳିଆ Photograph: (କନକ ନ୍ୟୁଜ୍)

କନକ ବ୍ୟୁରୋ: ସୁସ୍ଥ ଶରୀର ପାଇଁ ସୁସ୍ଥ ପରିବେଶ ନିହାତି ଆବଶ୍ୟକ । ଏହା ଜାଣି ବି  ଆମେ ପରିବେଶକୁ କ୍ଷତି ପହଞ୍ଚାଇବାର କୌଣସି ସୁଯୋଗ ଛାଡ଼ୁନାହୁଁ । ବିକାଶ ଓ ଆଧୁନିକତାର ଦୌଡ଼ରେ ଦିନକୁ ଦିନ ପ୍ରକୃତିଠାରୁ ଦୂରେଇ ଯାଉଛୁ । ନା ଏହାର ସୁରକ୍ଷା ପ୍ରତି କାହାର ନଜର ଅଛି ନା କେହି ସଚେତନ ଅଛନ୍ତି ।   

ଐତିହ୍ୟସମ୍ପନ୍ନ ସହର ହେଉଛି ବାରିପଦା । ବଣପାହାଡ଼ ଓ ଶିମିଳିପାଳର ଜୈବ ବିବିଧତା ଲୋକଙ୍କୁ ଆକୃଷ୍ଟ କରିଥାଏ । ହେଲେ ଏହି ସହର ଏବେ ପ୍ରଦୂଷଣ ବଳୟରେ । ସହର ସାରା କୁଢ଼ କୁଢ଼ ଅଳିଆ । ମୁକୁଳା ପଡ଼ିଛି ଡ୍ରେନ୍ । ମାସ ମାସ ଧରି ଡ୍ରେନ୍ ସଫା ହେଉନଥିବାରୁ ବର୍ଷା ଦିନେ ପାଣି ଜମି ରହୁଛି । ସବୁଠାରୁ ବଡ଼ କଥା ହେଉଛି ନାଳ ନର୍ଦ୍ଦମାର ଦୂଷିତ ଜଳ ବୁଢ଼ାବଳଙ୍ଗରେ ମିଶି ନଦୀ ପାଣିକୁ ପ୍ରଦୂଷିତ କରୁଛି । ଯାହା ବାରିପଦାବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।  

ବାରିପଦା ସହର ପାଇଁ ଆଉ ଏକ ବଡ଼ ସମସ୍ୟା ହେଉଛି ଜରାଳି, ସରାଳି ଓ ଶୁଖଯୋଡ଼ା ନଦୀ। ଏହି ନଦୀ ଗୁଡିକ ବିଗତ ଦିନ ମାନଙ୍କରେ ସହରର ବର୍ଷା ପାଣି ନିଷ୍କାସନର ବଡ଼ ମାଧ୍ୟମ  । ହେଲେ କିଛି ସ୍ବାର୍ଥବାଦୀ ଲୋକଙ୍କ ପାଇଁ ନଦୀ ଧୀରେ ଧୀରେ ପୋତି ହୋଇ ସଙ୍କୁଚିତ ହୋଇଗଲାଣି । ହେଲେ ଏଥିପ୍ରତି ବାରିପଦା ପୌରପରିଷଦର କି କ୍ଷୁଦ୍ର ଜଳସେଚନ ବିଭାଗ କାହାର ଦୃଷ୍ଟି ନାହିଁ । ପରିବେଶ ସୁରକ୍ଷିତ ରହିଲେ ଆମେ ସୁରକ୍ଷିତ ରହିବା, ସେଥିପାଇଁ ଏହାର ସୁରକ୍ଷା ପ୍ରତି ଦୃଷ୍ଟି ଦେବା ଆବଶ୍ୟକ । ନହେଲେ ଆଗକୁ ଯେ ପରିଣତି ଭୟଙ୍କର ହେବ ଏହି ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe