କନକ ବ୍ୟୁରୋ : ଦିନ ଥିଲା ଋଷିକୁଲ୍ୟା ନଦୀକୁ ଗଞ୍ଜାମ ଜିଲ୍ଲାର ଜୀବନରେଖା କୁହାଯାଉଥିଲା। କିନ୍ତୁ ଏବେ ନିଜର ପରିଚୟ ଖୋଜୁଛି ଋଷିକୁଲ୍ୟା । ଦିନକୁ ଦିନ ବିପଦରେ ଏହି ନଦୀ । ଛତ୍ରପୁର ବ୍ଲକ୍ ପୋଟଲାମପୁରଠାରେ ଋଷିକୁଲ୍ୟା ନଦୀ ବଞ୍ଚାଅ ଅଭିଯାନ ପକ୍ଷରୁ ସଚେତନତା ଶୋଭାଯାତ୍ରା ଏବଂ ସମାବେଶରେ ଯୋଗ ଦେବା ପରେ ଓଡ଼ିଶାରେ ବହିଯାଉଥିବା ନଦୀର ସ୍ଥିତିକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ବିଶିଷ୍ଟ ପରିବେଶବିତ୍ ତଥା ନର୍ମଦା ବଞ୍ଚାଅ ଆନ୍ଦୋଳନର ନେତ୍ରୀ ମେଧା ପାଟକର । ନଦୀରେ ଜଳପ୍ରବାହ କମି କମି ଯାଇଥିବାରୁ ସମୁଦ୍ରର ଲୁଣି ପାଣି ନଦୀ ଭିତରକୁ ଓ ମାଟି ତଳେ ତଳେ ମାଡ଼ି ମାଡ଼ି ଆସୁଛି । ଏହା ପ୍ରଭାବରେ ନଳକୂଅ ଏବଂ ବିଭିନ୍ନ ପାଣି ଯୋଗାଣ ପ୍ରକଳ୍ପରେ ଲୁଣିଆ ପାଣି ଆସୁଥିବାରୁ ଚିନ୍ତାରେ ସ୍ଥାନୀୟ ବାସିନ୍ଦା ।
ଶୁକ୍ରବାର ଋଷିକୁଲ୍ୟା ଅଂଚଳକୁ ଯାଇ ସମାବେଶରେ ସାମିଲ ହେବା ପରେ ଶନିବାର ଭୁବନେଶ୍ୱରରେ ଆୟୋଜିତ ଆଉ ଏକ ସମାବେଶରେ ଯୋଗ ଦେଇ ସରକାରଙ୍କ ଯୋଜନା ଉପରେ ବର୍ଷିଛନ୍ତି ମେଧା ପାଟକର। ଅଭିଯୋଗ କରି କହିଛନ୍ତି, ବେଆଇନ ବାଲି ଲୁଟ୍ ଓ ଜଳ ସଂରକ୍ଷଣ ପାଇଁ କୌଣସି ମେଗା ପ୍ରକଳ୍ପ ନଥିବା ବେଳେ ଶିଳ୍ପକୁ ଜଳ ଯୋଗାଣ ଯୋଗୁ ମୃତ ଅବସ୍ଥାରେ ରହିଛି ଋଷିକୁଲ୍ୟା । ସରକାରୀ ବାବୁଙ୍କ ସହାୟତାରେ ମାଫିଆମାନେ ଚୋରା ବାଲି ଚାଲାଣ କରୁଥିବା ବେଳେ ନଦୀର ସୁରକ୍ଷା ପାଇଁ କାହାରି ଦରଦ ନାହିଁ । ତେବେ ନର୍ମଦାକୁ ବଞ୍ଚାଇବା ପାଇଁ ଯେଉଁଭଳି ଲଢେଇ ହୋଇଛି ଠିକ ସେହିପରି ଓଡ଼ିଶାରେ ନଦୀକୁ ସୁରକ୍ଷା ଦେବା ପାଇଁ ଆନ୍ଦୋଳନ ହେବ ବୋଲି କହିଛନ୍ତି ମେଧା ପାଟକର ।
ବିଶ୍ୱ ପରିବେଶ ଦିବସ ଅବସରରେ ରାୟଗଡ଼ା ଜିଲ୍ଲାର କାଶୀପୁର ଅଞ୍ଚଳରେ ଆୟୋଜିତ ପରିବେଶ ସୁରକ୍ଷା ସମାବେଶରେ ଯୋଗଦେବା ପାଇଁ ଆସିଥିବା ମେଧା ପାଟକର, କୃଷକ ନେତା ଲିଙ୍ଗରାଜ, ଜନ ଆନ୍ଦୋଳନ କର୍ମୀ ନରେନ୍ଦ୍ର ମହାନ୍ତି ଓ ସାମାଜିକ କର୍ମୀ ହର ବଣିଆଙ୍କୁ ରାୟଗଡ଼ା ଷ୍ଟେସନରେ ଅଟକ ରଖିଥିଲା ପୁଲିସ । ସଭାସ୍ଥଳକୁ ଯିବାକୁ ଅନୁମତି ନାହିଁ କହି ସେମାନଙ୍କୁ ବ୍ରହ୍ମପୁରକୁ ନିଆଯାଇଥିଲା । ସରକାର ଭୟ ନକରି ଜନସାଧାରଣଙ୍କ ସହ ଆଲୋଚନା କରନ୍ତୁ ବୋଲି ଆହ୍ବାନ ଦେଇଛନ୍ତି ପରିବେଶବିତ୍ ।
Follow Us