କନକ ବ୍ୟୁରୋ: ବିଧାନସଭା ଶୂନ୍ୟକାଳରେ ଉଠିଲା ରାସନ୍ କାର୍ଡ ପ୍ରସଙ୍ଗ । ଆଉ ଏହି ପ୍ରସଙ୍ଗରେ ବିଜେ଼ି ବିଧାୟକ ଗଣେଶ୍ୱର ବେହେରା ଯେଉଁକଥା କହିଛନ୍ତି, ତାକୁ ନେଇ ଚର୍ଚ୍ଚା ବଢିଛି । ବିଧାୟକଙ୍କ କହିବା ମୁତାବକ, ଜିରୋ ଆୟକର ଦେଉଥିବା ଲୋକଙ୍କ ରାସନ୍ କାର୍ଡ କଟା ନଯାଉ ।
ବିଜେଡି ବିଧାୟକ ଗଣେଶ୍ୱର ବେହେରା କହିଛନ୍ତି ଯେ, ଇ-କେୱାଇସି ବେଳେ ଆୟକର ଦେଉଥିବା ଲୋକଙ୍କ ରାସନ କାର୍ଡ କଟାଯାଉଛି କିନ୍ତୁ ଅନେକ ଗରିବ ଲୋକ ପିଲାଙ୍କ ପଠାପଢା, ଘର ତିଆରି, ଝିଅ ବାହାଘର ପାଇଁ ଲୋନ କରିବାକୁ ଜିରୋ ରିଟର୍ଣ୍ଣରେ ଇନକମ ଟ୍ୟାକ୍ସ ଫାଇଲ କରୁଛନ୍ତି । ତେଣୁ ସବୁ ବ୍ଲକକୁ ନିର୍ଦ୍ଦେଶ ଦିଆଯାଉ, ଜିରୋ ରିଟର୍ଣ୍ଣ ଇନକମ ଟ୍ୟାକ୍ସ ଫାଇଲ କରୁଥିବା ଲୋକଙ୍କର ରାସନ କାର୍ଡ କଟାନଯାଉ । ତେବେ ଅଧିକ ଆୟ କରି ଅଧିକ ଇନକମ ଟ୍ୟାକ୍ସ ଫାଇଲ କରୁଥିବା ଲୋକଙ୍କୁ ରାସନ୍ କାର୍ଡରୁ ବାଦ ଦିଆଯାଉ ବୋଲି ସେ ଦାବି କରିଛନ୍ତି ।
ସୂଚନାଯୋଗ୍ୟ ଯେ, ଗତକାଲି ବିଜେଡି ବିଧାୟକ ଗଣେଶ୍ୱର ବେହେରା ବିଧାନସଭାରେ ଆଜି ପର୍ୟ୍ୟନ୍ତ କେତେ ଜଣ ହିତାଧିକାରୀ ଇ-କେଓ୍ୱାଇସି କରିଛନ୍ତି, ତାର ରିପୋର୍ଟ ମାଗିଥିଲେ । ଯାହାର ଉତ୍ତର ଦେଇଥିଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨ କୋଟି ୯୯ ଲକ୍ଷ ୫୦ ହଜାର ୮୨୦ ଜଣ ପିଡିଏସ୍ ହିତାଧିକାରୀ ଇ-କେଓ୍ୱାଇସି କରିଛନ୍ତି । ସେମାନଙ୍କ ମଧ୍ୟରୁ ୨ କୋଟି ୯୮ ଲକ୍ଷ ୧୪ ହଜାର ୯୨୧ ପିଡିଏସ୍ ହିତାଧିକାରୀ ଓଡ଼ିଶା ଭିତରେ ଥାଇ ଏବଂ ୧ ଲକ୍ଷ ୩୫ ହଜାର ୮୯୯ ପିଡିଏସ୍ ହିତାଧିକାରୀ ଓଡ଼ିଶା ବାହାରେ ଥାଇ ନିଜ ଇ-କେଓ୍ୱାଇସି କରାଇଛନ୍ତି । ତେବେ ଯାଞ୍ଚ ପ୍ରକ୍ରିୟାରେ ବର୍ତ୍ତମାନ ସୁଦ୍ଧା ୩ ଲକ୍ଷ ୨୮ ହଜାର ୯୩୨ ଜଣ ମୃତ ବ୍ୟକ୍ତିଙ୍କୁ ରାସନ କାର୍ଡ ତଥ୍ୟାବଳୀରେ ଚିହ୍ନଟ କରାଯାଇ ବାଦ୍ ଦିଆଯାଇଥିବା ମନ୍ତ୍ରୀ ସୂଚନା ଦେଇଥିଲେ । ଅନ୍ୟପଟେ ରାଜ୍ୟରେ ଇ-କେଓ୍ୱାଇସି ଯାଞ୍ଚ ସମୟରେ, ୧୬ ହଜାର ୧୮୪ ଜଣ ଅଯୋଗ୍ୟ ପରିବାର ରାସନ କାର୍ଡ ହାତେଇଥିବା ନେଇ ତଥ୍ୟ ଦେଇଥିଲେଯୋଗାଣ ମନ୍ତ୍ରୀ ।