କନକ ବ୍ୟୁରୋ: ବ୍ରାଣ୍ଡେଡ୍ ବୋତଲରେ ନକଲି ମଦ। ବେଧଡକ ଚାଲିଥିଲା ବେପାର। ମଦ ମାଫିଆଙ୍କୁ ମାଡ଼ି ବସିଲା ଅବକାରି ବିଭାଗ। ମଦ ମାଫିଆ ଗିରଫ ହୋଇ ଜେଲରେ ଥିବା ବେଳେ ନକଲି ମଦ ପ୍ରସ୍ତୁତି ସାମଗ୍ରୀ ସବୁ ସାମ୍ନାକୁ ଆସିଛି। ବିଭିନ୍ନ ପ୍ରକାରର କେମିକାଲ, ଟଏଲେଟ କ୍ଲିନର, ଅଠା, ରଙ୍ଗ ଓ ମାରାତ୍ମକ ଏସିଡ ଜବତ ହୋଇଛି। ଏ ନକଲି ମଦ ଶରୀର ପ୍ରତି କେତେ ବିପଦଜନକ ତାହା ଜଣାଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ।
ଗାଁ ଗହଳିର ଛୋଟ ଦୋକାନରୁ ଲୁଚାଛପାରେ ମଦ କିଣି ପିଉଥିଲେ ସାବଧାନ। ଜୀବନ ପ୍ରତି ସାଜିପାରେ ଘାତକ। ଏସିଡ୍ ଓ ଟଏଲେଟ୍ କ୍ଲିନରରେ ପ୍ରସ୍ତୁତ ନକଲି ମଦ ନେଇପାରେ ଜୀବନ। ବ୍ରାଣ୍ଡେଡ୍ ବୋତଲରେ ନକଲି ମଦ ଭର୍ତ୍ତି କରି ବିକୁଛନ୍ତି ମାଫିଆ। ଜୟପାଟଣା ଥାନା ଅନ୍ତର୍ଗତ ମୁଖୀଗୁଡାରୁ ମଦ ମାଫିଆ ଖୁସିରାମ ସାହୁ ଧରାପଡ଼ିବା ପରେ ସାମ୍ନାକୁ ଆସିଛି ସାଙ୍ଘାତିକ ସତ। ସ୍ପିରିଟ, ଟଏଲେଟ୍ କ୍ଲିନର, ଟରମିନେଟର ଅଠା, ଡିଜେଲ ଭଳି ମାରାତ୍ମକ ରସାୟନିକ ପଦାର୍ଥ ମିଶାଇ ତିଆରି ହେଉଥିଲା ନକଲି ମଦ। ଯାହାର ଟେର ପାଉନଥିଲା ଅବକାରୀ ବିଭାଗ ଓ ପୋଲିସ। ଗତ ୧୯ ତାରିଖ ଚଢ଼ାଉ ସମୟରେ ମଦ ପ୍ରସ୍ତୁତି ସାମଗ୍ରୀ ସହ ବିଭିନ୍ନ ଅଢେଇ ହଜାର ଖାଲି ବୋତଲ, ଲେବଲ ଜବତ ହୋଇଥିଲା।
ନିଜ ପକେଟ୍ ଗରମ ପାଇଁ ଲୋକଙ୍କ ଜୀବନ ସହ ଖେଳୁଛନ୍ତି ଖୁସିରାମଙ୍କ ଭଳି ମଦ ମାଫିଆ। ରାଜ୍ୟରେ ଖଲ୍ଲିକୋଟ ମୃଦମୃତ୍ୟୁ ଭଳି ଅଘଟଣ ଘଟୁଛି। କଳାହାଣ୍ଡିରେ ଖଲ୍ଲିକୋଟ ଘଟଣାର ପୁନରାବୃତି ହେବା ପୂର୍ବରୁ ଅବକାରୀ ବିଭାଗ ଓ ପୁଲିସ ସତର୍କ ହେବାର ଆବଶ୍ୟକତା ରହିଛି। ସରକାରୀ ଲୋଗୋ ଥିବା ଷ୍ଟିକର କେଉଁଠୁ ଆସିଲା? ଏସିଡ ମିଶା ନକଲି ମଦ କେଉଁ କେଉଁ ସ୍ଥାନକୁ ଯାଉଥିଲା? ଏହି କାରବାରରେ ଆଉ କାହାର ସଂପୃକ୍ତି ରହିଛି? ଏସବୁ ଖୋଜି ବାହାର କରିବାର ସମୟ ଆସିଛି। ସେପଟେ ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ମଣିଷ ଶରୀର ପାଇଁ କେତେ ମାରାତ୍ମକ ନକଲି ମଦ।