କନକ ବ୍ୟୁରୋ: ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ହେବା ଏକପ୍ରକାର ସ୍ପଷ୍ଟ ହୋଇଛି । ମୁଖ୍ୟମନ୍ତ୍ରୀ ଚୟନରେ ସେ କୌଣସି ପ୍ରକାର ବାଧା ନୁହଁନ୍ତି ବୋଲି ଶିବସେନା ନେତା ଏକନାଥ ସିନ୍ଦେଙ୍କ ବୟାନ ପରେ ଦେବେନ୍ଦ୍ର ଫଡାନଭିସଙ୍କ ମୁଖ୍ୟମନ୍ତ୍ରୀ ଚୟନ ରାସ୍ତା ଖୋଲିଯାଇଛି
- ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ରେସରୁ ଓହରିଲେ କି ଏକନାଥ ସିନ୍ଦେ?
- ବିଜେପି ଯାହାକୁ ମୁଖ୍ୟମନ୍ତ୍ରୀ ବାଛିବ ତାକୁ କରିବେ ସମର୍ଥନ
- ମୁଖ୍ୟମନ୍ତ୍ରୀରେ ଚୟନରେ ବାଧା ହେବେନି ସିନ୍ଦେ !
କିଛି ଦିନ ଧରି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଶିବସେନା ନେତାଙ୍କ ଦାବି ମଧ୍ୟରେ ଏକନାଥ ସିନ୍ଦେ ଖୁବ ଗୁରୁତ୍ବପୂର୍ଣ୍ଣ ବୟାନ ଆଜି ଦେଇଛନ୍ତି । ରାଜନୀତିର ସଂଖ୍ୟା ଖେଳକୁ ଠିକ ବୁଝିଥିବା ଏକନାଥ ନୂଆ ସରକାର ଗଠନ ବିଳମ୍ବର କାରଣ ହେବାକୁ ଚାହୁଁନାହାଁନ୍ତି । ଅଧିକ ସଂଖ୍ୟାରେ ଜିତିଥିବା ବିଜେପିର ନେତା ଚୟନ ଅଧିକାର ପ୍ରକାରନ୍ତରେ ପରବର୍ତ୍ତୀ
ମୁଖ୍ୟମନ୍ତ୍ରୀ ଚୟନକୁ ମଧ୍ୟ ମାନିବାକୁ ସିନ୍ଦେ ପ୍ରସ୍ତୁତ ଅଛନ୍ତି
ସଂଖ୍ୟା କମଥିଲେ ମଧ୍ୟ ୨୦୨୨ରେ ଶିବସେନାର ଏକନାଥ ସିନ୍ଦେଙ୍କୁ ଅଧିକ ବିଧାୟକ ଥିବା ବିଜେପି ମୁଖ୍ୟମନ୍ତ୍ରୀ ରୂପରେ ଚୟନ କରିଥିଲା । ମାତ୍ର ଏଥରକ ବିଧାନସଭା ନିର୍ବାଚନ ପରେ ପରିସ୍ଥିତି ଅନେକ ଭିନ୍ନ ଅଛି । ଏକାକୀ ସଂଖ୍ୟା ଗରିଷ୍ଠତା ପାଇଁ ବିଜେପି ମାତ୍ର ୨୦ବିଧାୟକ ଆବଶ୍ୟକ କରୁଛି । ଯାହା ବିଜେପି, ଏନସିପି ଅଜିତ ପାୱାରଙ୍କ ସମର୍ଥନରେ ହାସଲ କରିପାରିବ । ଅନ୍ୟପଟେ ରାଜନୈତିକ ପରିଭାଷାକୁ ସିନ୍ଦେ ଭଲଭାବେ ବୁଝିଛନ୍ତି । ତେଣୁ କୌଣସି ସର୍ତ୍ତ ନରଖି ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାଁ ନେଇ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପଦବୀରୁ ଓହରିଯାଇଛନ୍ତି ସିନ୍ଦେ ।
ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ସହ ତିନି ନେତା ଦେବେନ୍ଦ୍ର ଫଡନାଭିସ, ଏକନାଥ ସିନ୍ଦେ ଓ ଅଜିତ ପାୱାର ବୈଠକ କରିବେ । ଏହି ବୈଠକରେ ଦେବେନ୍ଦ୍ର ଫଡନାଭିସଙ୍କ ନେତୃତ୍ବକୁ ମୋହର ମାରିବା ସହ କ୍ଷମତା ବଣ୍ଟନ ଉପରେ ନିଷ୍ପତି ନିଆଯାଇପାରେ । ମାତ୍ର ଏକନାଥ ସିନ୍ଦେ ଉପମୁଖ୍ୟମନ୍ତ୍ରୀ ପଦବୀ ଗ୍ରହଣ କରିବା ପାଇଁ ରାଜି ହେଉଛନ୍ତି ନା ନାହିଁ ତାହାରି ଉପରେ ନଜର ରହିବ ।