Mining Mafia Photograph: (Kanak News)
କନକ ବ୍ୟୁରୋ : ବାଲେଶ୍ୱର ସୋର ବାଗୁଡ଼ି ଖଞ୍ଜାମହଲ ବେଆଇନ ପଥର ଖାଦାନ ଉପରେ ବାଲେଶ୍ୱର ଜିଲ୍ଲାପାଳଙ୍କ ଅଚାନକ ଚଢ଼ାଉ । ଏହାସହ ୧୬୩ ବିଏନଏସ ଧାରା ଲାଗୁ କରାଯାଇଥିବା ଜିଲ୍ଲାପାଳଙ୍କ ସୂଚନା । ରାଜ୍ୟ ସରକାର ବେଆଇନ ବାଲି ଏବଂ ପଥର ଉପରେ ରୋକ ଲଗାଇବା ପାଇଁ ଏସପି, ଏବଂ ଜିଲ୍ଲାପାଳଙ୍କୁ କଡ଼ା ନିର୍ଦ୍ଦେଶ ପରେ ଆଜି ତତ୍ପର ଜିଲ୍ଲା ପ୍ରଶାସନ ।
ଅଧିକ ପଢ଼ନ୍ତୁ : ପଥର ଖାଦାନକୁ ନେଇ ଗଞ୍ଜାମ ଜିଲ୍ଲା ଢୁଙ୍କପଡ଼ାରେ ଅସନ୍ତୋଷ: ଗ୍ରାମବାସୀଙ୍କ ସହ ମିଶି ପ୍ରତିବାଦ କଲେ ପୂର୍ବତନ ସରପଞ୍ଚ
ବାଲେଶ୍ୱର ଜିଲ୍ଲାପାଳ, ଉପଜିଲ୍ଲାପାଳ, ଖଣି ବିଭାଗ, ଅତିରିକ୍ତ ଏସପି, ତହସିଲଦାର, ଜଙ୍ଗଲ ବିଭାଗ ସାମିଲ ଥିଲେ । କିପରି ଭାବରେ ପାହାଡ଼କୁ ସୁରକ୍ଷା ଦିଆଯିବ ଓ ମାଫିଆଙ୍କ ଉପରେ ଧରପଗଡ଼ ଜୋରଦାର କରାଯିବ ସେଥିପ୍ରତି ଗୁରୁତ୍ୱ ଦିଆଯାଇଛି । ଏହାସହ ସିସିଟିଭି କ୍ୟାମେରା ଲଗାଇବା ପାଈଁ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ଜିଲ୍ଲାପାଳ ।
ସେପଟେ କୋଇଡ଼ା ଖଣି ଅଞ୍ଚଳର ଦୃଶ୍ୟ ସାରା ରାଜ୍ୟକୁ ବିଚଳିତ କରିଥିଲା । କୁନି ପିଲାଙ୍କ ଯନ୍ତ୍ରଣା ଦେଖି ଅସ୍ତବ୍ୟସ୍ତ ହୋଇପଡ଼ିଥିଲେ ରାଜ୍ୟବାସୀ । ହେଲେ ସମାଧାନର ବାଟ ବାହାର ନକରି ନିଜ ବିଭାଗ ଅଧିନରେ ଆସୁନଥିବା କହି ଦୋଷ ଝାଡ଼ିଦେଲେ ଖଣି ମନ୍ତ୍ରୀ । ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ନଦେଇ ସରକାରଙ୍କ ବିଚାର ବହିରେ ଏହାକୁ ସୀମିତ ରଖିଛନ୍ତି ।
ଖଣିରୁ ସରକାରଙ୍କୁ ମିଳୁଛି ପୁଳାପୁଳା ଟଙ୍କା । ହେଲେ ପ୍ରତିଦାନରେ ଅଞ୍ଚଳବାସୀଙ୍କୁ ମିଳିଛି ପ୍ରତିଶ୍ରୁତି ଓ ପ୍ରତାରଣା । ଅଞ୍ଚଳର ବିକାଶ ସରକାରୀ ଅଧିକାରୀଙ୍କ ଦାୟିତ୍ୱ । ଖଣି ଅଞ୍ଚଳର ପିଲା କିପରି ପାଠ ପଢିବେ, ଆଗକୁ ବଢିବେ ସେଥିପାଇଁ ସରକାର ସ୍ତରରେ ଉଦ୍ୟମ କରାଯାଏ । କିନ୍ତୁ ମନ୍ତ୍ରୀଙ୍କ ଭଳି ବ୍ଲକ ଶିକ୍ଷାଧିକାରୀ ମଧ୍ୟ ନିଜ ଦାୟିତ୍ୱର ବୋଝ ଉଠାଇବାକୁ ନାରାଜ । ସଚେତନ ଓ ସହଯୋଗର ହାତ ବଢାଇବା ବଦଳରେ ନିରୀହ ଆଦିବାସୀଙ୍କୁ ଉପରେ ଦୋଷ ଲଦିଛନ୍ତି ।
ଖଣି ଅଞ୍ଚଳର ବିକାଶ ପାଇଁ ଅନେକ ଯୋଜନା ହାତକୁ ନେଇଛନ୍ତି ସରକାର । ହେଲେ ଦୋଷ ଠେଲାଠେଲି ଭିତରେ ବିକାଶ ବାଟବଣା ହେଉଛି, ସରକାରୀ ଯୋଜନା କେବଳ ଲୋକସେବା ଭବନରେ ହିଁ ସୀମିତ ।
Follow Us