କନକ ବ୍ୟୁରୋ :ବର୍ଦ୍ଧିତ ବିଦ୍ୟୁତ ଦର ଚର୍ଚ୍ଚା ଭିତରେ ନୂଆ ଡିଜିଟାଲ ମିଟର ଲଗାଇବାକୁ ନେଇ ତାତିଲେଣି ଉପଭୋକ୍ତା । ଗ୍ରାହକଙ୍କ ବିନା ଅନୁମତିରେ ଏହି ମିଟର ଲଗାଉଛି ବିତରଣ କମ୍ପାନି । ଆଉ ଏଥିପାଇଁ ଉପଭୋକ୍ତାଙ୍କୁ ଗଣିବାକୁ ପଡୁଛି ଅଧିକ ଟଙ୍କା। ଯାହାକୁ ନେଇ ଏବେ ଗାଁ ଗାଁରେ ଆରମ୍ଭ ହେଲାଣି ବିକ୍ଷୋଭ । 

Advertisment

ଆଗକୁ ଉପଭୋକ୍ତାଙ୍କ ଉପରେ ପଡିବ ବିଜୁଳି ବିଲ୍ ବୋଝ କିନ୍ତୁ ଏହାପୂର୍ବରୁ ବିଦ୍ୟୁତ୍ ଉପଭୋକ୍ତାକୁ କଲବଲ କରୁଛି ବିତରଣ କମ୍ପାନି । ପୁରୁଣା ଡିଜିଟାଲ ମିଟର ଠିକ୍ ଥିଲେ ମଧ୍ୟ ଏହାକୁ ହଟାଇ ନୂଆ ଡିଜିଟାଲ ମିଟର ଲାଗୁଛି ଆଉ ଏଥିପାଇଁ ଉପଭୋକ୍ତାଙ୍କୁ ପକେଟ ଖାଲି କରିବାକୁ ପଡୁଛି । କେବଳ ଏତିକି ନୁହେଁ, ନୂଆ ଡିଜିଟାଲ ମିଟରରେ ପୂର୍ବାପେକ୍ଷା ଅଧିକ ବିଲ୍ ଆସୁଥିବା ଅଭିଯୋଗ ଆସୁଛି । ପ୍ରଶ୍ନ ଉଠୁଛି, ବିଧିବଦ୍ଧ ନିଷ୍ପତ୍ତି ହୋଇନଥିଲେ ମଧ୍ୟ ନୂଆ ମିଟର ଲଗାଇବାକୁ କିଏ ଦେଇଛି ଅନୁମତି ? ନିର୍ଦ୍ଦିଷ୍ଟ କମ୍ପାନିର ମିଟର ସୁରକ୍ଷିତ ବୋଲି କିଏ କରିଛି ସାର୍ଟିଫାଏଡ୍ ? ଉପଭୋକ୍ତାଙ୍କ ଅନିଚ୍ଛା ସତ୍ତ୍ବେ ଜୋର ଜବରଦସ୍ତି କାହିଁକି ଲଗାଯାଉଛି ନୂଆ ଡିଜିଟାଲ ମିଟର ? ଉପଭୋକ୍ତାଙ୍କ ଉପରେ ବିତରଣ କମ୍ପାନିର ଜୁଲୁମ ଭିତରେ କଂଗ୍ରେସ କହିଛି ନୂଆ ମିଟର ଲଗାଇ ଦେବୁନି । 

ବିତରଣ କମ୍ପାନି ଜୋରଜବରଦସ୍ତି ନୂଆ ଡିଜିଟାଲ ମିଟର ଲଗାଉଥିବା ବେଳେ ସାଲେପୁରରେ ଜୋରଦାର ବିରୋଧ ହୋଇଛି । ସ୍ମାର୍ଟ ମିଟରରେ ଅଧିକ ବିଲ୍ ଆସୁଥିବା ଅଭିଯୋଗ ଆଣି ସାଲେପୁର ବିଦ୍ୟୁତ ଡିଭିଜନ ଅଫିସ ସାମ୍ନାରେ ବିକ୍ଷୋଭ କରିଛନ୍ତି ସାଧାରଣ ଲୋକେ । ଏହାବାଦ୍ ନୂଆ ବିଦ୍ୟୁତ୍ ସଂଯୋଗ ନେବା ଏବେ ଉପଭୋକ୍ତାଙ୍କୁ ୪୪୦ ଭୋଲ୍ଟର ଝଟକା ଦେଉଛି । ପୂର୍ବାପେକ୍ଷା ଉପଭୋକ୍ତାଙ୍କୁ ୭ ଗୁଣା ଅଧିକ ଟଙ୍କା ଗଣିବାକୁ ପଡୁଛି । 

ବିତରଣ କମ୍ପାନି ନୂଆ ମିଟର ଲଗାଇବା ଆଳରେ ଉପଭୋକ୍ତାଙ୍କୁ ମନଇଚ୍ଛା ଲୁଟୁଛି। କିନ୍ତୁ ପ୍ରଶ୍ନ ଉଠୁଛି, ନୂଆ ଡିଜିଟାଲ ମିଟରର ଆୟୁଷ କେତେ ଦିନ? ସେ ବାବଦରେ କେହି ମୁହଁ ଖୋଲିବାକୁ ନାରାଜ ।