କନକ ବ୍ୟୁରୋ: ଓଡ଼ିଆ ଅସ୍ମିତାର ରାଣ ଦେଇ କ୍ଷମତାକୁ ଆସିଥିଲା ବିଜେପି। ଶପଥ ନେଉ ନେଉ କହିଥିଲେ ସବୁ କିଛି କାମ ଓଡ଼ିଆରେ ଚାଲିବ। ହେଲେ, ମାତ୍ର ୮ ମାସ ନପୁରୁଣୁ ଓଡ଼ିଆ ଭାଷାକୁ ଭୁଲିଗଲେଣି ବାବୁ।
- ଓଡିଆ ଭାଷାକୁ ଭୁଲିଗଲେ କି ସରକାର ?
- ଇଂରାଜୀରେ ଲେଖାହେଉଛି ବିଭାଗୀୟ ଚିଠି
- ଧର୍ମକୁ ଆଖିଠାର ମାରୁଛନ୍ତି ସରକାରୀ ବାବୁ
ଓଡିଆ ଅସ୍ମିତାର କଥା କହି ଲୋକଙ୍କ ବିଶ୍ୱାସ ଭାଜନ ହୋଇ ଶାସନକୁ ଆସିଥିଲା ଭାରତୀୟ ଜନତା ପାର୍ଟି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶପଥ ନେବା ପରେ ଓଡିଆ ଭାଷା ଓ ଅସ୍ମିତା ଉପରେ ଜୋର ଦେଇଥିଲା । ସେହି ସମୟରେ କୁହାଯାଇଥିଲା, ଓଡିଆ ଭାଷାରେ ସରକାରୀ କାର୍ଯ୍ୟ ହେବ । ସରକାରୀ ସ୍ତରରେ ଓଡିଆ ଭାଷାର ବ୍ୟବହାରକୁ ବ୍ୟାପକ କରିବାକୁ ଆବଶ୍ୟକ ପଡିଲେ ସରକାରୀ ଭାଷା ଆଇନର ସଂଶୋଧନ କରାଯିବ ।
ଏ ଥିଲା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଓଡିଆ ଭାଷା ପ୍ରୀତି। ତାପରେ ଲୋକସେବା ଭବନରୁ ବିଭିନ୍ନ ସରକାରୀ ଦପ୍ତରରେ ଓଡିଆ ଭାଷାରେ ଶାସନ ଚାଲିଲା, ହେଲେ ତାର ୫ ମାସ ପରେ ସବୁ କିଛି ଯେମିତି ବଦଳି ଯାଇଛି। କ୍ରୀଡା ଓ ଯୁବ ବ୍ୟାପାର, ମହିଳା ଓ ଶିଶୁ ବିକାଶ, ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ, ସାଧାରଣ ପ୍ରଶାସନ , ନଗର ଉନ୍ନୟନ, ସୂଚନା ଲୋକ ସମ୍ପର୍କ ଓ ଜଳ ସଂପଦ ବିଭାଗରେ ଗତ ଜାନୁୟାରୀ ଓ ଚଳିତ ମାସର ଜାରି ହୋଇଛି ସବୁ ଚିଠି ବା ବିଜ୍ଞପ୍ତି ଇଂରାଜୀରେ ଲେଖା ଯାଇଛି। ଓଡିଆ ଭାଷାକୁ ଭୁଲିଯାଇଛନ୍ତି ବିଭିନ୍ନ ବିଭାଗ। ହେଲେ, ସରକାରୀ ବାବୁ ଓ ମନ୍ତ୍ରୀ କାହାର ଏଥିପ୍ରତି ନିଘା ନାହିଁ । ଏହାକୁ ନେଇ ବିଜେଡି- ବିଜେପି ମୁହାଁମୁହିଁ ହୋଇଛନ୍ତି ।
ସରକାରୀ ଦପ୍ତରରେ ଓଡିଆ ଭାଷାରେ କାହିଁକି କାର୍ଯ୍ୟକାରୀ ହେଉନି, ଏହାକୁ ନେଇ ଅନେକ ପ୍ରଶ୍ନ ଉଠୁଛି..
- ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶକୁ କିଏ ଅବମାନନା କରୁଛି ?
- ବାବୁ ଓ ବିଭାଗୀୟ ଅଧିକୀରୀ ଓଡିଆ ଭାଷାକୁ ଭୁଲି ଯାଉଛନ୍ତି କି ?
- ନା ଓଡିଆରେ ଚିଠି ଲେଖିବାକୁ ସଂକୋଚ କରୁଛନ୍ତି ?
ତେବେ ଗତ ୪ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ନିକୁଞ୍ଜ ଧଳ, ସବୁ ବିଭାଗକୁ ଓଡିଆରେ ଚିଠି ଲେଖିଥିଲେ ।