କନକ ବ୍ୟୁରୋ : ବାଲେଶ୍ୱର ଏଫ୍ଏମ୍ କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ରାଜନୀତି ତେଜିବାରେ ଲାଗିଛି । ଏହି ସମ୍ବେଦନଶୀଳ ପ୍ରସଙ୍ଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୃଢ଼ ନିନ୍ଦା କରିଛନ୍ତି । ସେ କହିଛନ୍ତି ଯେ ଏଭଳି ଦୁଃଖଦ ଘଟଣାରେ ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଦଳ ଶସ୍ତା ରାଜନୀତି କରୁଛନ୍ତି ।
ଛାତ୍ରୀ ଆତ୍ମାହୁତି ଘଟଣାକୁ ବିଜେପି ସିଷ୍ଟମ ଦ୍ୱାରା ହତ୍ୟା ବୋଲି ରାହୁଲ ଗାନ୍ଧୀ କହିଥିଲେ ।ଏହା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ୍ସରେ ପୋଷ୍ଟ କରି କହିଛନ୍ତି, "ଓଡ଼ିଶା ଝିଅର ଦୁଃଖଦ ଘଟଣାକୁ ନେଇ ରାହୁଲ ଗାନ୍ଧୀ ଏବଂ କଂଗ୍ରେସର ରାଜନୀତି ଦୁର୍ଭାଗ୍ୟଜନକ । ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ ରାଜନୈତିକ ଅସ୍ତ୍ର କରିବା ରାହୁଲ ଗାନ୍ଧୀଙ୍କ ଶସ୍ତା ମାନସିକତାକୁ ଦର୍ଶାଉଛି।" ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଘଟଣା ସମଗ୍ର ଦେଶକୁ ଦୋହଲାଇ ଦେଇଥିବା ବେଳେ କଂଗ୍ରେସ ଏଥିରେ ରାଜନୈତିକ ସୁଯୋଗ ଖୋଜୁଛି । ଏହା ଶସ୍ତା ରାଜନୀତି କରିବାର ସମୟ ନୁହେଁ, ବରଂ ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ପ୍ରଦାନ କରିବାର ସମୟ । ପ୍ରଧାନ ଏହା ମଧ୍ୟ ଦାବି କରିଛନ୍ତି ଯେ ରାହୁଲ ଗାନ୍ଧୀ ଏହି ଦାୟିତ୍ୱହୀନ ମନ୍ତବ୍ୟ ପାଇଁ ପୀଡ଼ିତାଙ୍କ ପରିବାରକୁ କ୍ଷମା ମାଗିବା ଉଚିତ୍ ।
ଧର୍ମେନ୍ଦ୍ର ପ୍ରଧାନ ଏହି ଘଟଣାକୁ "ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ବ୍ୟଥିତ କରିବା ଭଳି" ବୋଲି କହିବା ସହ ଏହା ଶିକ୍ଷା ବ୍ୟବସ୍ଥାର ଏକ ଗମ୍ଭୀର ବିଫଳତାକୁ ଦର୍ଶାଉଛି ବୋଲି ମତ ଦେଇଛନ୍ତି । ସେ ପୀଡ଼ିତାଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି ଏବଂ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ମଧ୍ୟ ଦେଇଛନ୍ତି ।