କନକ ବ୍ୟୁରୋ: ସୋମବାର ଦିଲ୍ଲୀ ବିଧାନସଭା ଅଧିବେଶନ ସମୟରେ ବିରୋଧୀ ଦଳ ଆପ୍ ହଟ୍ଟଗୋଳ କରିଛି । ବିରୋଧୀ ଦଳ ନେତା ଆତିଶୀ ଅଭିଯୋଗ କରିଛନ୍ତି ଯେ, ଦିଲ୍ଲୀରେ ବିଜେପି କ୍ଷମତାକୁ ଆସିବା ମାତ୍ରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ବାବା ସାହେବ ଆମ୍ବେଦକର ଏବଂ ସହିଦ ଭଗତ ସିଂହଙ୍କ ଫଟୋ ହଟାଇ ଦିଆଯାଇଥିଲା। ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଜେପିର ମାନସିକତା ହେଉଛି ଶିଖ୍ ଏବଂ ଦଳିତ ବିରୋଧୀ।
ଅରବିନ୍ଦ କେଜରିୱାଲ ଦିଲ୍ଲୀ ସରକାରଙ୍କ ପ୍ରତ୍ୟେକ କାର୍ଯ୍ୟାଳୟରେ ବାବା ସାହେବ ଆମ୍ବେଦକର ଏବଂ ସହିଦ ଭଗତ ସିଂହଙ୍କ ଫଟୋ ଲଗାଇଥିଲେ। ହେଲେ ଦିଲ୍ଲୀରେ ନୂଆ ସରକାର ଆସିବା ପରେ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ବାବା ସାହେବ ଆମ୍ବେଦକରଙ୍କ ଫଟୋ ହଟେଇ ଦିଆଯାଇ, ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ଲଗାଯାଇଛି ।
/kanak/media/media_files/2025/02/24/LioNflCv9FXdJRbgS90X.webp)
ତେବେ ଆତିଶୀଙ୍କ ଅଭିଯୋଗର ପ୍ରାୟ ୨ ଘଣ୍ଟା ପରେ ଦିଲ୍ଲୀ ବିଜେପି, ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ କାର୍ଯ୍ୟାଳୟର ଏକ ନୂତନ ଫଟୋ ଜାରି କରିଛି। ଏଥିରେ ରେଖା ଗୁପ୍ତାଙ୍କ ଆସନ ପଛ କାନ୍ଥରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ମୋଦି ଏବଂ ମହାତ୍ମା ଗାନ୍ଧୀଙ୍କ ଫଟୋ ଦୃଶ୍ୟମାନ ହେଉଛି। ପାଖ କାନ୍ଥରେ ବାବା ସାହେବ ଆମ୍ବେଦକର ଏବଂ ଭଗତ ସିଂହଙ୍କ ଫଟୋ ମଧ୍ୟ ଦେଖିବାକୁ ମିଳୁଛି ।
ଆପର ଅଭିଯୋଗ ଉପରେ ବିଜେପି ନେତା ପ୍ରବେଶ ବର୍ମା କହିଛନ୍ତି, ଆପ ଲୋକଙ୍କର କେବଳ ଗୋଟିଏ କାମ ଅଛି, ଦିଲ୍ଲୀରେ ବିକାଶ ନ ଆଣିବା। ତାଙ୍କ ପାଖରେ ୧୦ ବର୍ଷ ସମୟ ଥିଲା କିନ୍ତୁ ସେ ଦିଲ୍ଲୀର ପରିସ୍ଥିତିକୁ ଆହୁରି ଖରାପ କରିଦେଲେ। ଆଜି ମଧ୍ୟ ସେ ଗୃହର ପବିତ୍ରତାକୁ ଆଘାତ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ସୋମବାର ବିରୋଧୀ ଦଳ ନେତା ଆତିଶୀଙ୍କ ସହିତ ଆପ ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ବାହାରେ ପ୍ରତିବାଦ କରିଥିଲେ। ଏହି ସମୟରେ ଆପ୍ ବିଧାୟକମାନେ କହିଥିଲେ ଯେ, ବିଜେପି ପ୍ରଥମ କ୍ୟାବିନେଟ ବୈଠକରେ ଦିଲ୍ଲୀର ମହିଳାଙ୍କୁ 2500 ଟଙ୍କା ଦେବାର ପ୍ରତିଶ୍ରୁତି ପୂରଣ କରିବା ଉଚିତ।