କନକ ବ୍ୟୁରୋ: ଦିଲ୍ଲୀରେ ଓଡ଼ିଶା ଫର୍ମୁଲା । ଓଡ଼ିଶାରେ ବିଜେପି କ୍ଷମତାକୁ ଆସିବା ପରେ, ଯେଭଳି ଭାବେ ବିଜୁ ସ୍ୱାସ୍ଥ୍ୟ କାର୍ଡକୁ ହଟାଇ ଗୋପବନ୍ଧୁ ଜନ ଆରୋଗ୍ୟ କାର୍ଡ ସହ ଆୟୁଷ୍ମାନ ଯୋଜନା ଲାଗୁ କଲା, ଦିଲ୍ଲୀରେ ମଧ୍ୟ ସେହିଭଳି ଭାବେ ମହଲା କ୍ଲିନିକକୁ ହଟାଇ ଏହାକୁ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରକୁ ପରିବର୍ତ୍ତନ କରିପାରେ ବୋଲି ସୂଚନା ମିଳିଛି । ଏଥିସହ ଦିଲ୍ଲୀରେ ଖୁବଶୀଘ୍ର ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେଇପାରେ ବୋଲି ସୂଚନା ମିଳିଛି । 

Advertisment

ପିଟିଆଇର ସୂଚନା ମୁତାବକ, ରାଜଧାନୀ ଦିଲ୍ଲୀରେ ୫୧ ଲକ୍ଷ ଲୋକଙ୍କୁ ଆୟୁଷ୍ମାନ ଭାରତରେ ଯୋଡାଯାଇପାରେ । ତେବେ ଯଦି ମହଲା କ୍ଲିନିକ୍‌ଗୁଡ଼ିକୁ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ପରିଣତ କରାଯାଏ, ତେବେ ସେମାନଙ୍କୁ ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ଜାରି ହୋଇଥିବା ନିର୍ଦ୍ଦେଶାବଳୀ ପାଳନ କରିବାକୁ ପଡିବ। 

୫୧ ଲକ୍ଷ ଲୋକଙ୍କୁ ମିଳିବ ଆୟୁଷ୍ମାନ କାର୍ଡ

ଦିଲ୍ଲୀରେ ଆୟୁଷ୍ମାନ ଭାରତ କାର୍ଡ ୫୧ ଲକ୍ଷ ଲୋକଙ୍କୁ ପ୍ରଦାନ କରାଯିବାର ସମ୍ଭାବନା ରହିଛି। ଏକ ସୂତ୍ରଙ୍କ କହିବା ମୁତାବକ, ଦିଲ୍ଲୀରେ ମହଲା କ୍ଲିନିକ୍‌ରେ ଦୁର୍ନୀତି ଅଭିଯୋଗ ନେଇ ସରକାର ବହୁତ ଚିନ୍ତିତ। ଦିଲ୍ଲୀର ନୂତନ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ମହଲା କ୍ଲିନିକ୍‌ ଗୁଡ଼ିକର ସ୍ଥିତି ଏବଂ ଏଗୁଡ଼ିକୁ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ପରିଣତ କରାଯାଇପାରିବ କି ନାହିଁ ସେ ବିଷୟରେ ଏକ ରିପୋର୍ଟ ଦାଖଲ କରିବାକୁ କୁହାଯିବ। 

ଆପ ସରକାର କାର୍ୟ୍ୟକାରୀ କରିନଥିଲେ ଆୟୁଷ୍ମାନ 

ଆପ ନେତୃତ୍ୱାଧୀନ ଦିଲ୍ଲୀ ସରକାର ଏବଂ ପଶ୍ଚିମବଙ୍ଗ ଏପର୍ୟ୍ୟନ୍ତ ନିଜ ନିଜ ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା କାର୍ୟ୍ୟକାରୀ କରିନାହାଁନ୍ତି। ହେଲେ ଏବେ ଦିଲ୍ଲୀରେ ବିଜେପି ସରକାର ଆସିବା ପରେ, ସେଠାରେ ଏବେ ଆୟୁଷ୍ମାନ ଭାରତ ଯୋଜନା କାର୍ୟ୍ୟକାରୀ କରିବା ସହିତ ମହଲା କ୍ଲିନିକକୁ ଆରୋଗ୍ୟ ମନ୍ଦିରରେ ବଦଳାଯିବ ବୋଲି ସୂଚନା ମିଳୁଛି ।