କନକବ୍ୟୁରୋ: ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ୨୦୨୫ ଆସନ୍ତାବର୍ଷ ଜାନୁଆରି ୨୮ ଓ ୨୯ ତାରିଖରେ ଭୁବନେଶ୍ବରରେ ହେବ। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ପକ୍ଷରୁ ମୁମ୍ବାଇରେ ରୋଡ୍ ସୋ ଆୟୋଜନ କରାଯାଇଛି । ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଦେଶର ଅନେକ ବିଶିଷ୍ଟ ଶିଳ୍ପପତିଙ୍କୁ ଭେଟିଛନ୍ତି ।
ସେମାନଙ୍କ ମଧ୍ୟରେ ରିଲାନ୍ସ ବୋର୍ଡର ନିର୍ଦ୍ଦେଶକ ଅନନ୍ତ ଅମ୍ବାନି, ବେଦାନ୍ତ ଗ୍ରୁପ୍ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ, ଗୋଦ୍ରେଜ୍ ଅଧ୍ୟକ୍ଷ ନାଦିର ଗୋଦରେଜ୍, ଲକ୍ଷ୍ମୀ ଅର୍ଗାନିକ୍ ଇଣ୍ଡଷ୍ଟ୍ରିଜ୍ର ଅଧ୍ୟକ୍ଷ ରବି ଗୋଏଙ୍କା, ଜେଏସ୍ଡବ୍ଲ୍ୟୁ ଗ୍ରୁପ୍ ମୁଖ୍ୟ ସଜ୍ଜନ ଜିନ୍ଦଲ, ୱେଲସ୍ପନର ବିଜୟ ଗୋଏଙ୍କା ଓ ବାଳକୃଷ୍ଣ ଗୋଏଙ୍କା ପ୍ରମୁଖ ରହିଛନ୍ତି ।
ବେଦାନ୍ତ ଅଧ୍ୟକ୍ଷଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା ସମୟରେ ରାଜ୍ୟରେ କମ୍ପାନିର ସଂପ୍ରସାରଣ ଏବଂ ବିଦ୍ୟୁତ୍ ଯାନ ନିର୍ମାଣରେ ରହିଥିବା ସୁଯୋଗ ଉପରେ ମତ ବିନିମୟ କରିଥିଲେ । ଏହି ଅବସରରେ ବେଦାନ୍ତ ଅଧ୍ୟକ୍ଷଙ୍କ ପକ୍ଷରୁ ରାଜ୍ୟରେ ଆଉ ୧ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ନେଇ ଘୋଷଣା କରାଯାଇଛି । ସେହିଭଳି ଓଡ଼ିଶାରେ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଥିବା ସୁଯୋଗ ପରିପ୍ରେକ୍ଷୀରେ ସମ୍ଭାବ୍ୟ କାରଖାନା ନିର୍ମାଣ ଉପରେ ମୁଖ୍ୟମନ୍ତ୍ରୀ ଗୋଦ୍ରେଜ୍ ଅଧ୍ୟକ୍ଷଙ୍କ ସହ ଆଲୋଚନା କରିଛନ୍ତି ।
ଏଥିସହିତ ଲକ୍ଷ୍ମୀ ଅର୍ଗାନିକ୍ ପକ୍ଷରୁ ଜଗତସିଂହପୁରରେ ହେବାକୁ ଥିବା ସିନ୍ଥେଟିକ୍ କେମିକାଲ ପ୍ରକଳ୍ପକୁ ତ୍ବରାନ୍ବିତ କରିବା ନେଇ କମ୍ପାନି ଅଧ୍ୟକ୍ଷ ଶ୍ରୀ ଗୋଏଙ୍କାଙ୍କ ସହ ମୁଖ୍ୟମନ୍ତ୍ରୀ ମତ ବିନିମୟ କରିଛନ୍ତି ।
ସେହିଭଳି ଜେଏସ୍ଡବ୍ଲୁ ଗ୍ରୁପ୍ ମୁଖ୍ୟ ଶ୍ରୀ ଜିନ୍ଦଲଙ୍କ ସହିତ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି। କଟକର ନରାଜ ଏବଂ ପାରାଦୀପଠାରେ ହେବାକୁ ଥିବା ସମନ୍ବିତ ବିଦ୍ୟୁତ୍ ଯାନ ଉତ୍ପାଦନ ଏବଂ ଲିଥିୟମ ଆୟନ ବ୍ୟାଟେରି ପ୍ରକଳ୍ପ କାର୍ଯ୍ୟକୁ ଅଗ୍ରାଧିକାର ଭିତ୍ତିରେ ଶୀଘ୍ର ଆରମ୍ଭ କରିବାକୁ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ୱେଲସ୍ପନ୍ର ବିଜୟ ଗୋଏଙ୍କା ଏବଂ ବାଳକୃଷ୍ଣ ଗୋଏଙ୍କା ସହିତ ସେମାନଙ୍କ ଓଡ଼ିଶା ପ୍ରକଳ୍ପ ସଂପର୍କରେ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି ।
କମ୍ପାନି ପକ୍ଷରୁ ଚୌଦ୍ବାରରେ ହେବାକୁ ଥିବା ସମନ୍ବିତ ବୟନ ଶିଳ୍ପ ପାର୍କ ପ୍ରକଳ୍ପ ଏବଂ ସମ୍ବଲପୁରର ନୀଳଡୁଙ୍ଗୁରିଠାରେ ହେବାକୁ ଥିବା ଡିଆଇ ପାଇପ୍ ଉତ୍ପାଦନ ୟୁନିଟ ସଂପର୍କରେ ବିସ୍ତୃତ ଆଲୋଚନା ହୋଇଛି। ବୟନଶିଳ୍ପ ପ୍ରକଳ୍ପରେ ନିଯୁକ୍ତିକୁ ତ୍ବରାନ୍ବିତ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବାରୋପ କରିଛନ୍ତି। ଏହି ଅବସରରେ ଶିଳ୍ପମନ୍ତ୍ରୀ ସଂପଦ ଚରଣ ସ୍ବାଇଁ, ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା, ଶିଳ୍ପ ସଚିବ ହେମନ୍ତ ଶର୍ମା ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
Follow Us