କନକ ବ୍ୟୁରୋ: ଖୋର୍ଦ୍ଧା କ୍ଷୁଦ୍ର ଜଳସେଚନ ବିଭାଜନର ଅବହେଳାରୁ ଜରାଜୀର୍ଣ୍ଣ ଦଧିମାଛଗାଡ଼ିଆ ଡ୍ୟାମ । ପୂର୍ବରୁ ବିଲରେ ମାଡୁଥିଲା ଡ୍ୟାମ୍ ପାଣି । ଖେତରେ ଫଳୁଥିଲା ସୁନାର ଫସଲ । କିନ୍ତୁ ମରାମତି ଅଭାବରୁ ଏବେ ଏକର ଏକର ଚାଷ ଜମି ଜଳସେଚିତ ହୋଇପାରୁନାହିଁ । ମରାମତି ଆଳରେ ସରକାରୀ ଅର୍ଥ ହରିଲୁଟ୍ ହେଉଥିବା ଚାଷୀ ଅଭିଯୋଗ କରିଛନ୍ତି । ସେପଟେ ଜଳ ବିଭାଜନ ବିଭାଗ ଅଜବ ଯୁକ୍ତି, ଡ୍ୟାମ ତଳେ ପଥର ଚଟାଣ ଥିବାରୁ ରହୁନି ପାଣି ।
ବର୍ଷା ଦିନେ ଅଧାରୁ ଅଧିକ ସ୍ଥାନ ସୁଖିଲା ପଡିଛି ଖୋର୍ଦ୍ଧା ଦଧିମାଛଗାଡ଼ିଆ ଭାଟପୁରା ଡ୍ୟାମ। ବର୍ଷା ଦିନେ ରହୁନି ପାଣି । ବର୍ଷା ଦିନ ପରେ ଚାଷ ଜମିକୁ ଜଳସେଚିତ କରିବା ଲକ୍ଷ୍ୟରେ ନିର୍ମାଣ ହୋଇଥିଲା ଡ୍ୟାମ୍ । ହେଲେ ଏବେ ଏଥିରୁ ସୁଫଳ ମିଳୁନି । ଡ୍ୟାମ ଧିରେଧିରେ ପୋତି ହୋଇଗଲାଣି। କେଵଳ ଖରିଫ ଧାନ ଫସଲକୁ ଛାଡ଼ି ଦେଲେ ବର୍ଷ ତମାମ୍ ଜମି ପଡିଆ ପଡୁଛି । ଡ୍ୟାମ ପାଣି କେବଳ ଲୋକଙ୍କ ଗାଧୋଇବା କାମରେ ଆସୁଛି ବୋଲି କ୍ଷୋଭର ସହ କହିଛନ୍ତି ଚାଷୀ ।
ଦଧିମାଛଗାଡ଼ିଆ ଡ୍ୟାମ୍ର ପୁନଃଉଦ୍ଧାର କରି ଜମିକୁ ପାଣି ଯୋଗାଇ ଦେବାକୁ ଦାବି ହୋଇଛି । ସେପଟେ ଖୋର୍ଦ୍ଧା କ୍ଷୁଦ୍ର ଜଳସେଚନ ବିଭାଜନ ପକ୍ଷରୁ ଡ୍ୟାମର ମରାମତି ନାମରେ ଅର୍ଥ ହରିଲୁଟ କରାଯାଉଥିବା ଅଭିଯୋଗ ହୋଇଛି । ନିର୍ବାହୀ ଯନ୍ତ୍ରୀ କ୍ୟାମରା ଆଗରେ କିଛି କହିନାହାନ୍ତି । ଅଫ କ୍ୟାମେରା ସଫେଇ ଦେଇଛନ୍ତି, କହିଛନ୍ତି, ତଳି ଭାଗରେ ପଥର ଚଟାଣ ଥିବାରୁ ପାଣି ରହୁନି । ଏହାର ବିକଳ୍ପ ପାଇଁ ବିଭାଗ ଚିନ୍ତା କରୁଛି ।