କନକ ବ୍ୟୁରୋ: ଶଯ୍ୟାରୁ ଉଠିବାକୁ ଶକ୍ତି ନାହିଁ । ଅଥଚ ଗାଁଠୁ ୨ କିମି ଦୂରରେ ମନରେଗାରେ ଶ୍ରମିକ ଭାବେ କାମ କରୁଥିବା ଦର୍ଶାଇ ବୃଦ୍ଧାଙ୍କ ନାଁରେ ଟଙ୍କା ଉଠିଛି । କେବଳ ଏତିକି ନୁହେଁ, ସତ ମିଛ କହି ତାଙ୍କ ଆବାସ ଅର୍ଥକୁ ବି ଲୁଟି ନେଇଛନ୍ତି ଦଲାଲ । ଏଭଳି ଠକେଇ ଅଭିଯୋଗ ଆଣିଛନ୍ତି ନବରଙ୍ଗପୁର ପାପଡ଼ାହାଣ୍ଡି ବ୍ଲକ ଜାନୀଗୁଡ଼ା ଗାଁର ବୃଦ୍ଧା ତୁଳସୀ ଜାନୀ । 

Advertisment

 
ପାଦେ ଚାଲିବା ପାଇଁ ଅନ୍ୟ ଜଣଙ୍କ ସାହାରା ଲୋଡ଼ା । ଶେଜରୁ ଉଠିବାକୁ ଶକ୍ତି ନାହିଁ । ଗଣ୍ଡେ ଖାଇ ଦଣ୍ଡେ ବଞ୍ଚିବା ପାଇଁ ସଂଘର୍ଷ କରୁଥିବା ବୁଢ଼ି ମାଉସୀଙ୍କୁ ବି ଛାଡ଼ିଲେ ନାହିଁ ଦଲାଲ । ତାଙ୍କ ଟିପଚିହ୍ନ ନେଇ ବ୍ୟାଙ୍କରୁ ଟଙ୍କା ଉଠାଇ ନେଇଛନ୍ତି । ପୁଣି ମନରେଗାରେ ଶ୍ରମିକ ଭାବେ କାମ କରିଥିବା ଦର୍ଶାଇ ଟଙ୍କା ଉଠାଇଛନ୍ତି । ସରକାରୀ ତଥ୍ୟ ଅନୁସାରେ, ତୁଳସୀ ଜାନୀ ୧୩ ଦିନ ଧରି ଡ୍ରେନ୍ କାମ କରିଛନ୍ତି । ୨ଥରରେ ତାଙ୍କ ବ୍ୟାଙ୍କ ଆକାଉଁଟକୁ ୪,୫୭୬ ଟଙ୍କା ଜମା କରାଯାଇଛି । ଆଉ ସେହି ଟଙ୍କାକୁ ଦଲାଲମାନେ ଉଠାଇ ନେଇଛନ୍ତି । କେବଳ ମନରେଗା ନୁହେଁ, ପୂର୍ବରୁ ତାଙ୍କ ଆବାସ ଟଙ୍କା ମଧ୍ୟ ହଡ଼ପ କରାଯାଇଥିବା ପାପଡ଼ାହାଣ୍ଡି ବିଡିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

ସରକାରୀ ଯୋଜନାର ଧଜିଆ ଉଡ଼ାଇଲେ ପଞ୍ଚାୟତ କର୍ମଚାରୀ !
ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି
କିଏ ଏହି ଭଳି କାର୍ଯ୍ୟ କରିଛନ୍ତି, ତାଙ୍କୁ ଖୋଜି ଦଣ୍ଡିତ କରିବା ପାଇଁ ଦାବି କରିଛନ୍ତି ତୁଳସୀ ଜାନୀ ଓ ତାଙ୍କ ପରିବାର। ମନରେଗାରେ କାମ କରିବା ପାଇଁ ଜିଆରଏସଙ୍କ ନିକଟରେ ଆବେଦନ କରିବାକୁ ପଡ଼େ। ଏଠି କିନ୍ତୁ ବୃଦ୍ଧା ଜଣକ କେବେ ଆବେଦନ କରିନାହାନ୍ତି କି କାମ କରିନାହାନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି, 

- ୭୦ ବର୍ଷୀୟ ବୃଦ୍ଧାଙ୍କ ନାଁରେ ଶ୍ରମିକ କାର୍ଡ ହେଲା କେମିତି ? 
- ଚାଲିପାରୁନଥିବା ବୃଦ୍ଧାଙ୍କୁ କାମ ଦେଲା କିଏ ?
- ଦଲାଲ ଓ ପଞ୍ଚାୟତ କର୍ମଚାରୀଙ୍କ ମଧୁଚନ୍ଦ୍ରିକାରେ ସବୁ କାରବାର ହୋଇଥିବା ସନ୍ଦେହ କରାଯାଉଛି ।
ସନ୍ଦେହ ଘେରରେ ଜିଆରଏସଙ୍କ ଭୂମିକା

ସେପଟେ ପାପଡ଼ାହାଣ୍ଡି ବିଡିଓ କହିଛନ୍ତି ସଂପୂର୍ଣ୍ଣ ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଗ୍ରାମାଞ୍ଚଳରେ ଶ୍ରମିକଙ୍କୁ କାମ ଦେବା ପାଇଁ ମନରେଗା ଯୋଜନା କରାଯାଇଛି । କିନ୍ତୁ ଅନେକ ସମୟରେ କାମ ନଦେଇ, ଅର୍ଥ ହଡ଼ପ କରାଯାଉଛି ।