କନକ ବ୍ୟୁରୋ: ସୁନ୍ଦରଗଡ କୋଇଲା କଳାସାମ୍ରାଜ୍ୟ ଯେତେ ଖୋଳିଲେ ସେତେ ବାହାରୁଛି । ସ୍ଥିତି ଏମିତି ହୋଇଛି କଳା କାରବାର ଚାଲିଥିବା ଖଣି ଖୋଜି ଖୋଜି ନୟାନ୍ତ ହୋଇଛନ୍ତି ଏନଫୋର୍ସମେଣ୍ଟ ଟିମ୍ । ଶେଷରେ ଡ୍ରୋନରେ ସହାୟତା ନେଇଛନ୍ତି ଏନଫୋର୍ସମେଣ୍ଟ ଟିମ୍ । ଅନ୍ୟପଟେ ଏହି ମାମଲାରେ ୪ଜଣଙ୍କୁ ବାନ୍ଧିଛି ପୋଲିସ ।
ଖଣି ବିଭାଗର ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଟିମ ଚୋରା ଖଣି ଅଂଚଳ ବୁଲି ବୁଲି ନୟାନ୍ତ ହୋଇପଡିଲେଣି । ଯେତେ ବୁଲିଲେ ମଧ୍ୟ ଖଣିର ଶେଷ ହେଉନି । ଯେତେ ଯେତେ ଆଗକୁ ଯାଉଛନ୍ତି, ସେତେ ବାହାରୁଛି । ତେଣୁ ଜଙ୍ଗଲ ଭିତରେ ଚାଲିଚାଲି ଚଢ଼ାଉ କରିବା ସମ୍ଭବ ହେଉନଥିବାରୁ ସ୍ବତନ୍ତ୍ର ଏନଫୋର୍ସମେଣ୍ଟ ଟିମ୍ ଦ୍ବାରା ଡ୍ରୋନ୍ ସର୍ଭେ ଆରମ୍ଭ କରାଯାଇଛି । କେତେ ପରିମାଣର ଖଣି ଲୁଟ ହୋଇଛି ତାର ଆକଳନ କରିବା ପାଇଁ ଡ୍ରୋନ ସାହାଯ୍ୟରେ ସର୍ଭେ ଆରମ୍ଭ କରିଛି ଟିମ । ଡ୍ରୋନ ସର୍ଭେ ଦ୍ବାରା କେତେ ଅଂଚଳରୁ କୋଇଲା ଚୋରି ହୋଇଛି ତାହା ସ୍ପଷ୍ଟ ହେବ ।
ସୁନ୍ଦରଗଡ଼, ଏମସିଏଲ କ୍ଷେତ୍ର ଅଧୀନ ଗୋପାଳପୁର ନିକଟ ତେଲେନଡ଼ିହି, ରତନସରା, ଭୋଗ୍ରାକଚ୍ଛାର ଜଙ୍ଗଲରେ ଚାଲିଥିବା ଖଣିଜ ଚୋରି ମାମଲାରେ ପୁଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ହେମଗିର ପୁଲିସ ଖଣି ଚୋରି ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ରତନସରା ଗାଁର ସମୀର ଡନସେନା, ରତନପୁର ଗାଁ ଗେଲାନନ୍ଦ ମାଝୀ, ଝୁପୁରଙ୍ଗା ଗାଁର ହେମାନନ୍ଦ ସେଠ, ଗୋପାଳପୁର ଗାଁର ଆଲୋକ ସେଟ । ଖଣିଜ ଚୋରି ଘଟଣା ପଦାକୁ ଆସିବା ପରେ ରାଉରକେଲା କନିଷ୍ଠ ଖଣି ଅଧିକାରୀ ମଙ୍ଗଳଚରଣ ହେମ୍ବ୍ରମ ହେମଗିରି ଥାନାରେ ଏତଲା ଦେଇଥିଲେ । ପୁଲିସ ମାମଲା ରୁଜୁ କରି ତନାଘନା ଚଲାଇଥିବାବେଳେ ଗତକାଲି ରାତିରେ ୪ ଜଣଙ୍କୁ ଧରିଥିଲା ପୁଲିସ । ସେମାନଙ୍କଠାରୁ ୨ଟି ଟ୍ରାକ୍ଟର, ବାଇକ୍ ଜବତ ହୋଇଛି । ଅନ୍ୟପଟେ ପ୍ରଥମ ଥର ପାଇଁ କ୍ୟାମେରା ସାମନାକୁ ଆସି ବଡ ବୟାନ ଦେଇଛନ୍ତି ଗୋପାଳପୁର ରେଞ୍ଜର ।
କୋଟି କୋଟି ଟଙ୍କାର କୋଇଲା ଲୁଟ୍ ହେଉଥିବା ଖବର କନକ ନ୍ୟୁଜରେ ପ୍ରସାରଣ ପରେ ଚେତିଛି ପ୍ରଶାସନ । ୯ ଜଣିଆ ସ୍ବତନ୍ତ୍ର ଟିମରେ ଦୁଇ ଖଣି ଉପ-ନିର୍ଦ୍ଦେଶକ, ଜଣେ ଭୂତତ୍ତ୍ବ ଉପ-ନିର୍ଦ୍ଦେଶକ, ଜଣେ ମାଇନିଂ ଅଧିକାରୀ ଏବଂ ୫ ପୋଲିସ କର୍ମଚାରୀ ସାମିଲ ହୋଇଛନ୍ତି । ରାଜସ୍ବ ଏବଂ ବନ ବିଭାଗ ସହଯୋଗରେ ଚାଲିଛି ତନାଘନା । ତେବେ ପ୍ରଶ୍ନ ଉଠୁଛି, ତଦନ୍ତରେ ଅଟକି ଯିବନି ତ କଳାହୀରାର କଳାସାମ୍ରାଜ୍ୟ?