କନକ ବ୍ୟୁରୋ : କଲେରା ଜୀବାଣୁ ଚିହ୍ନଟ ହେବା ପରେ ଚାଲିଛି କାରଣ ଖୋଜା । କଲେରା ସଂକ୍ରମଣର କାରଣ କଣ ? ତାର ଉତ୍ସ ଖୋଜୁଛି ପ୍ରଶାସନ । ଅଧିକ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇବା ସହ କେମିତି ନିୟନ୍ତ୍ରଣ କରାଯାଇପାରିବ ସେଥିପାଇଁ କସରତ ଆରମ୍ଭ କରିଛନ୍ତି ସରକାର । ତେବେ ପାଣି ଯୋଗୁଁ ହଇଜା ବ୍ୟାପିବା କଥାକୁ ମାନିବାକୁ ନାରାଜ ପାନୀୟ ଜଳ ଯୋଗାଣ ମନ୍ତ୍ରୀ । ଅନ୍ୟପଟେ ଗ୍ରାଉଣ୍ଡଜିରୋକୁ ଯିବା ସହ ସରକାରକୁ ଘେରିଛନ୍ତି ବିରୋଧୀ ।
ଯାଜପୁର ଜିଲ୍ଲାରେ ଝାଡ଼ାବାନ୍ତିରେ ଏକାଧିକ ଲୋକଙ୍କ ପ୍ରାଣ ଯିବା ପରେ ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ହୋଇଛି । ମାରାତ୍ମକ ଭିବ୍ରିଓ କଲେରା ଜୀବାଣୁରେ ସଂକ୍ରମିତ ହେବା ପରେ ସୃଷ୍ଟି ହୋଇଛି ଭୟାବହ ସ୍ଥିତି । ଯାଜପୁର ସିଡିଏମଓଙ୍କ ସୂଚନା ଅନୁସାରେ, ଶନିବାର ଅପରାହ୍ଣ ସୁଦ୍ଧା ୧୧ କଲେରା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଉ ୨ଶହ ନମୁନା ପରୀକ୍ଷା ପାଇଁ ପଠାଯାଇଛି । ଏଥିସହ କଲେରା ବ୍ୟାପିବାର ମୁଖ୍ୟ କାରଣ ପାଣି ବୋଲି କହିଛନ୍ତି ସିଡିଏମଓ ।
କଲେରା ବ୍ୟାପିବାର ମୁଖ୍ୟ କାରଣ ପାଣି । ପ୍ୟାକେଟ ପାଣି, ବୋତଲ ପାଣି ନ ପିଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସଂକ୍ରମିତ ଅଞ୍ଚଳରୁ ନଳକୂଅ, କୂଅପାଣି ପରୀକ୍ଷା ପାଇଁ ନିଆଯାଇଛି । କମ୍ ଗଭୀରତାର ନଳକୂପରେ କଲେରା ବ୍ୟାକ୍ଟେରିଆ ଥାଇପାରେ । ବ୍ରାହ୍ମଣୀ ନଦୀର ଜଳ ମଧ୍ୟ ପରୀକ୍ଷା ହେବାକୁ ଯାଉଛି । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ମଧ୍ୟ ସମାନ କଥା କହିଛନ୍ତି । ସଂଗୃହିତ ନମୁନାରୁ ବିଷାକ୍ତ ଜଳର ପ୍ରମାଣ ମିଳିଛି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଏଥିସହ ବିଷାକ୍ତ ଖାଦ୍ୟ ମଧ୍ୟ ଝାଡ଼ାବାନ୍ତି ବ୍ୟାପିବାର ଆଉ ଏକ କାରଣ ବୋଲି କହିଛନ୍ତି ।
ଶୁକ୍ରବାର ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକ ପରେ ସରକାରୀ ଭାବେ କୁହାଯାଇଥିଲା କଲେରା ପଜିଟିଭ୍ ଚିହ୍ନଟ ହୋଇଛି । କିନ୍ତୁ ଆଜି ଏହି କଥାକୁ ସିଧାସଳଖ ବୁଲାଇଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳଯୋଗାଣ ମନ୍ତ୍ରୀ ରବି ନାଏକ । ଅନ୍ୟପଟେ ଯାଜପୁରର ବିଭିନ୍ନ ହସ୍ପିଟାଲ ଓ ଗ୍ରାଉଣ୍ଡଜିରୋକୁ ଯାଇ ସ୍ଥିତି ପରଖିଛନ୍ତି ପିସିସି ସଭାପତି ଏବଂ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ।
ଏହାରି ଭିତରେ ଓଡ଼ିଶାକୁ ଏକ ୧୪ଜଣିଆ କେନ୍ଦ୍ରୀୟ ଟିମ୍ ଆସୁଛନ୍ତି । ସେମାନେ ଯାଜପୁର ଯାଇ ଅନୁଧ୍ୟାନ କରିବେ । ସେମାନଙ୍କ ମଧ୍ୟରେ ICMR, NCDC, WHO, ଖାଦ୍ୟ ନିରାପତ୍ତା ସଦସ୍ୟ ରହିବେ । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଓ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବି ଘଟଣାସ୍ଥଳକୁ ଯିବେ ।
ରଜ ପର୍ବ ପାଇଁ ଚାରିଆଡ଼େ ଉତ୍ସବର ପାଳନ ହେଉଥିବାବେଳେ, ଯାଜପୁରରେ ଆତଙ୍କର ବାତାବରଣ ଦେଖିବାକୁ ମିଳିଛି । ଗାଁକୁ ଗାଁ ହଇଜା ମାଡ଼ି ଚାଲିଥିବାବେଳେ ଲୋକଙ୍କ ଭିତରେ କୋକୁଆ ଭୟ ସୃଷ୍ଟି ହୋଇଛି । ରଜ ପାଇଁ ଦୋଳି ବନ୍ଦା ହୋଇଛି ହେଲେ ଖେଳିବାକୁ କାହା ମନରେ ଉତ୍ସାହ ନାହିଁ ।