କନକ ବ୍ୟୁରୋ: ୨୦୨୪ ବିଧାନସଭା ନିର୍ବାଚନରେ ମିଳିଥିବା ଭୋଟକୁ ବଜାୟ ରଖି ଆଗକୁ ବଢ଼ିବାକୁ ବିଜେଡି ପକ୍ଷରୁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇଥିଲା। ଅକ୍ଟୋବର ୯ ତାରିଖରୁ ଆରମ୍ଭ ହୋଇଥିଲା ଦଳର ସଭ୍ୟ ସଂଗ୍ରହ ଅଭିଯାନ। ଟାର୍ଗେଟ ଥିଲା କୋଟିଏ ସଭ୍ୟ ସଂଗ୍ରହକରି ନିଜ ଭୋଟ ବ୍ୟାଙ୍କକୁ ସୁରକ୍ଷିତ ରଖିବା ।
ତଥ୍ୟ ଅନୁସାରେ ଏଥର ସାଧାରଣ ନିର୍ବାଚନରେ, ବିଜେପିକୁ ୧ କୋଟି ୬୪ ହଜାର ୮୨୭ ଭୋଟ୍ ମିଳିଥିଲା, ଆଉ ବିଜେଡିକୁ ୧ କୋଟି ୧ ଲକ୍ଷ ଦୁଇ ହଜାର ୫୪ ଭୋଟ୍ ମିଳିଥିଲା । ହେଲେ ଏହା ଭିତରେ ୫ ମାସ ବିତିଥିଲେ ମଧ୍ୟ ଟାର୍ଗେଟରେ ପହଞ୍ଚିପାରିନି ଦଳ । ତେଣୁ ଅଫଲାଇନ ବଦଳରେ ଡିଜିଟାଲ ସଭ୍ୟ ସଂଗ୍ରହ ଅଭିଯାନକୁ ଜାରି ରଖିଛି ବିଜେଡି। କାରଣ ତୃଣମୂଳ ସ୍ତରର କର୍ମୀ ଏବେ ବିଜେପି ଆଡକୁ ମୁହାଇଁଲେଣି।
ବିଭିନ୍ନ ବ୍ଲକ ଓ ପଞ୍ଚାୟତରେ ଅନାସ୍ଥା ବିଜେଡି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଚି କରିଛି । ପୂର୍ବରୁ ବିଭିନ୍ନ ସ୍ଥାନରୁ ଏହି ଚିତ୍ର ଆସିଥିବାବେଳେ ଆଜି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଏନଏସି ଅଧକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ମେଳି କରିଛନ୍ତି ବିଜେଡି କାଉନସିଲର। ଏଭଳି ସ୍ଥିତିରେ ତୃଣମୂଳ ସଂଗଠନକୁ ସଜାଡି ଦଳ କେମିତି ଆଗକୁ ବଢ଼ିବ ତାହା ବଡ ଚ୍ୟାଲେଞ୍ଜ ହୋଇଛି। ଅନ୍ୟପଟେ ବିଭିନ୍ନ ଦଳୀୟ ପଦ ପଦବୀକୁ ନେଇ ନେତାଙ୍କ ଭିତରେ ଟଣା ଓଟରା ଆରମ୍ଭ ହୋଇଛି। କିଏ ସାଂଗଠନିକ ଦାୟିତ୍ୱ ନେବ, ନବୀନଙ୍କ ପରେ କିଏ ହେବେ ନମ୍ୱର ଟୁ ? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା।
୨୪ ନିର୍ବାଚନ ପୂର୍ବରୁ ବିଜେଡିର ସଭ୍ୟ ସଂଗ୍ରହ ୧ କୋଟି ଅତିକ୍ରମ କରିଥିବା ବେଳେ, ବିଜେପିରେ ୪୧ ଲକ୍ଷ ସଭ୍ୟ ହୋଇଥିଲେ । ହେଲେ ଏବେ ରାଜନୈତିକ ସ୍ଥିତି ବଦଳିଛି । ଆଉ ୨ ବର୍ଷ ପରେ ପଞ୍ଚାୟତ ଅଗ୍ନିପରୀକ୍ଷା ଥିବାରୁ କେମିତି କର୍ମୀଙ୍କୁ ନିଜ ପାଖରେ ରଖି ଦଳ ଆଗକୁ ବଢ଼ିବ ବିଜେଡିକୁ ଚିନ୍ତାଘାରିଛି।