କନକ ବ୍ୟୁରୋ : ଏପ୍ରିଲ ୧୭, ୧୯୯୭ । ଯେତେବେଳ ଓଡିଶା ରାଜନୀତି ଦୃଶ୍ୟପଟରୁ ଦୂରେଇଗଲେ ବିଜୁ ପଟ୍ଟନାୟକ, ଠିକ ସେହି ବର୍ଷ ପ୍ରବାଦ ପୁରୁଷଙ୍କ ନାଁରେ ଆସିଲା ଆଞ୍ଚଳିକ ଦଳ ବିଜେଡି । ୨୪ ବର୍ଷ ଧରି ନିରଙ୍କୁଶ ଭାବେ ବିଜୁଙ୍କ ନାଁ ନେଇ ଶାସନର ଡୋରି ସମ୍ଭାଳିଲେ ନବୀନ । ୨୪ ନିର୍ବାଚନରେ ବିଜେଡିକୁ ହରାଇ ସତ୍ତାକୁ ଆସିଲା ଜାତୀୟ ଦଳ ବିଜେପି ।
ହେଲେ ବିଜେଡି ଭଳି ଆଗକୁ ଲମ୍ବା ରେସ୍ର ଘୋଡ଼ା ହେବା ସହିତ ଲୋକଙ୍କ ଆସ୍ଥା ଜିତିବା ପାଇଁ ନୂଆ ଗେମ ପ୍ଲାନ କରୁଛି ବିଜେପି । ନବ ଉତ୍କଳର ନିର୍ମାତା କୁହାଯାଉଥିବା ଉତ୍କଳ କେଶରୀ ହରେକୃଷ୍ଣ ମହତାବଙ୍କ ନାଁକୁ ନେଇ ଆଗକୁ ବଢିବ ଦଳ । ସରକାର ଏବଂ ଦଳୀୟ ସ୍ତରରେ ଏଥିପାଇଁ ଚାଲିଛି ବଡ଼ ପ୍ରସ୍ତୁତି ।
ନଭେମ୍ୱର ୨୧ରେ ହରେକୃଷ୍ଣ ମହତାବଙ୍କର ୧୨୫ ତମ ଜନ୍ମବାର୍ଷିକୀ । ଏହାକୁ ଆଡମ୍ୱରରେ ପାଳନ କରାଯିବ । ୨୧ରୁ ତିନି ଦିନ ଧରି ଭୁବନେଶ୍ୱରରେ ସମାରୋହ ହେବ । ଗୋଟିଏ ବର୍ଷ ଧରି ମହତାବଙ୍କ ସ୍ମୃତିକୁ ଉଜ୍ଜୀବିତ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ । ଖାଲି ଓଡିଶାରେ ନୁହେଁ, ଏହାକୁ ଜାତୀୟ ସ୍ତରରେ କେନ୍ଦ୍ରୀୟ ନେତୃତ୍ୱ ମଧ୍ୟ ଜୋରଦାର ପାଳନ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି ।
ହରେକୃଷ୍ଣ ମହତାବ ଫାଉଣ୍ଡେସନ ପକ୍ଷରୁ ଦିଲ୍ଲୀରେ ଆୟୋଜିତ କାର୍ୟ୍ୟକ୍ରମରେ ସାମିଲ ହୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଓଡିଶା ଇତିହାସ ପୁସ୍ତକ ଉନ୍ମୋଚନ ସମୟରେ ହରେକୃଷ୍ଣ ମହତାବଙ୍କୁ ପ୍ରଶଂସା କରିଥିଲେ ମୋଦୀ । ତାଙ୍କର ଅବଦାନ କେବଳ ଓଡ଼ିଶା ନୁହେଁ, ସାରା ଦେଶ ପାଇଁ ଅତୁଳନୀୟ ବୋଲି କହିଥିଲେ ।
ଗୃହ ମନ୍ତ୍ରୀ ଅମିତ ଶାହା ମଧ୍ୟ ପ୍ରଜାତନ୍ତ୍ରର ସମାରୋହରେ ଉତ୍କଳର ନବ ନିର୍ମାତା କହି ହରେକୃଷ୍ଣ ମହତାବଙ୍କୁ ଭୂୟସୀ ପ୍ରଶଂସା କରିଥିଲେ । ପରେ ମହତାବଙ୍କ ଲିଗାସିକୁ ଆଗକୁ ନେବା ପାଇଁ ତାଙ୍କ ପୁଅ ଭର୍ତ୍ତୃହରିଙ୍କୁ ବିଜେପିରେ ସାମିଲ କରାଯାଇଥିଲା । ୨୪ ନିର୍ବାଚନରେ ଓଡ଼ିଆ ଅସ୍ମିତାର ନାରା ଦେଇ ସରକାରକୁ ଆସିଥିବା ବିଜେପି ଏବେ ମହତାବଙ୍କ ଆଦର୍ଶ, ଜାତୀୟତାବାଦ ଏବଂ ଓଡ଼ିଶା ପ୍ରତି ବଳିଷ୍ଠ ଅବଦାନକୁ ଆଧାର କରି ଆଗକୁ ବଢୁଛି ।
ମହାପୁରୁଷଙ୍କୁ ନେଇ ଅନେକ ଗୋଟିଚାଳନା କରିଛନ୍ତି ରାଜନୈତିକ ଦଳ । କେବଳ ଭୋଟ୍ ବ୍ୟାଙ୍କ ପାଇଁ ବ୍ୟବହାର କରନ୍ତି, କିନ୍ତୁ ବରପୁତ୍ରଙ୍କୁ ସମ୍ମାନ, ମର୍ୟ୍ୟାଦା କେବେ ଦେଇନାହାନ୍ତି ସରକାର । ଉତ୍କଳ ଗୌରବ ମଧୁସୂଦନ ଦାଶ ହୁଅନ୍ତୁ କି ବିଜୁ ପଟ୍ଟନାୟକ କିମ୍ବା ହରେକୃଷ୍ଣ ମହତାବ, ତାଙ୍କୁ କେବେ ଭାରତରତ୍ନ ଭଳି ସର୍ବୋଚ୍ଚ ସମ୍ମାନ ମିଳିନାହିଁ । ଯାହା ଦୁର୍ଭାଗ୍ୟ ଓ ବିଡ଼ମ୍ବନାର ବିଷୟ ।
ରାଜନୀତିର ପଶାପାଲିରେ ବରପୁତ୍ରଙ୍କୁ ସବୁବେଳେ ସାମ୍ନାକୁ ଅଣାଯାଇଛି । ବିଜୁ ପଟ୍ଟନାୟକଙ୍କ ପରେ ଏବେ ହରେକୃଷ୍ଣ ମହତାବଙ୍କ ଲିଗାସିକୁ ନେଇ ଆଗକୁ ବଢିବାକୁ ଯୋଜନା କରିଛି ବିଜେପି ।