କନକ ବ୍ୟୁରୋ: ଶେଷ ହେଲା ସବୁ ପ୍ରତୀକ୍ଷାର ଅନ୍ତ । ରାଜ୍ୟ କଂଗ୍ରେସକୁ ମିଳିଲା ନୂଆ ମୁଖିଆ । ବରିଷ୍ଠ କଂଗ୍ରେସ ନେତା ଭକ୍ତଚରଣ ଦାସଙ୍କୁ ନୂଆ ପିସିସି ମୁଖିଆ ଭାବେ ନିଯୁକ୍ତ କରିଛି ଏଆଇସିସି । ଏଆଇସିସି ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ପ୍ରେସ ବିଜ୍ଞପ୍ତି ଜାରି କରି ଏନେଇ ସୂଚନା ଦେଇଛନ୍ତି । 

Advertisment

ତେବେ ୨୦୨୪ ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ, କଂଗ୍ରେସର ସମସ୍ତ କମିଟିକୁ ଭାଙ୍ଗି ଦେଇଥିଲେ ହାଇକମାଣ୍ଡ । ଏହାପରେ ପିସିସି ସଭାପତି ପଦରୁ ହଟିଥିଲେ ଶରତ ପଟ୍ଟନାୟକ । ଏହାପରେ ଦୀର୍ଘ ଦିନ ବିତିଯାଇଥିଲେ ବି, କଂଗ୍ରେସ ନିଜର ମୁଖିଆ ବାଛିପାରିନଥିଲା । ଖାସ୍ କରି କିଏ କଂଗ୍ରେସର ନୂଆ ଓଡ଼ିଶା ମୁଖିଆ ହେବ, ତାକୁ ନେଇ ଚର୍ଚ୍ଚା ବଢିଥିଲା। ଆଉ ଏହାରି ଭିତରେ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି କଂଗ୍ରେସର ହାଇକମାଣ୍ଡ ।

ଭକ୍ତ ଦାସ କଂଗ୍ରେସ ସଭାପତି
ଭକ୍ତ ଦାସ କଂଗ୍ରେସ ସଭାପତି Photograph: (KanakNews )

ଜଣେ ବରିଷ୍ଠ କଂଗ୍ରେସ ନେତା ଭାବେ ଭକ୍ତ ଦାସ ବେଶ ପରିଚିତ୍ । ସାଂସଦ ଭାବେ ତାଙ୍କର ଦୀର୍ଘ ବର୍ଷର ଅଭିଜ୍ଞତା ରହିଛି । ତେବେ ଚଳିତ ଥର ସେ ବିଧାନସଭା ଆସନ ପାଇଁ ଭାଗ୍ୟ ପରୀକ୍ଷା କରିଥିଲେ ବି, ଫେଲ୍ ମାରିଥିଲେ । ନର୍ଲା ବିଧାନସଭା ଆସନରୁ ଲଢିଥିଲେ ବି, ପରାଜୟ ବରଣ କରିଥିଲେ ଭକ୍ତ ଦାସ । ତେବେ ଏବେ ତାଙ୍କୁ ପିସିସି ମୁଖିଆ କରିବା ସହିତ ବଡ଼ ଦାୟିତ୍ୱ ଦେଇଛନ୍ତି କଂଗ୍ରେସ ହାଇକମାଣ୍ଡ । 

ଭକ୍ତ ଚରଣ ଦାସ ଓଡ଼ିଶା ବିଧାନସଭାରେ ଜଣେ ବିଧାୟକ ଭାବରେ ଥରେ ଏବଂ ଲୋକସଭା ସଂସଦ ଭାବରେ ତିନି ଥର କାର୍ଯ୍ୟ କରିଛନ୍ତି । ୧୯୮୫ ମସିହାର ଓଡ଼ିଶା ବିଧାନସଭା ନିର୍ବାଚନରେ ସେ ଭବାନୀପାଟଣା ବିଧାନସଭା ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।  ଏହାପରେ ୧୯୮୯, ୧୯୯୬ ଓ ୨୦୦୯ ସାଧାରଣ ନିର୍ବାଚନରେ ସେ କଳାହାଣ୍ଡି ଲୋକସଭା ନିର୍ବାଚନମଣ୍ଡଳୀରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ ।