କନକ ବ୍ୟୁରୋ: ପିସିସି ସଭାପତି ଆସିଲେ, ପଦଯାତ୍ରା ହେଲା। କିନ୍ତୁ କଂଗ୍ରେସ ନେତାଙ୍କ ପୁରୁଣା ଗୋଠଛଡା ପ୍ରକୃତି ପୁଣି ଦଳୀୟ ଫାଟକୁ ପଦାରେ ପକାଇଛି। ସଂକଳ୍ପ ଯାତ୍ରାରେ ଅନେକ ବରିଷ୍ଠ ନେତାଙ୍କ ଦେଖା ନ ମିଳିବା କେଉଁଠି ନା କେଉଁଠି ଭକ୍ତଙ୍କ ପାଇଁ ଆଗକୁ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ।
- ଆରମ୍ଭରୁ ଝୁଣ୍ଟିଲେ ଭକ୍ତ
- ହସ୍ପିଟାଲକୁ ଗଲେ ଚିକିତ୍ସିତ ହେଲେ
- ଯୁବ ବ୍ରିଗେଡଙ୍କ ସହ କଲେ ପଦଯାତ୍ରା
ଭୁବନେଶ୍ବର ବିମାନବନ୍ଦରରେ ପାଦ ଦେଉ ଦେଉ ଝୁଣ୍ଟିଛନ୍ତି ଭକ୍ତ। ଭିଡ଼ ଭିତରେ ପଡି ହାତ ଭାଙ୍ଗିଛି, ଆଉ କିଛି ଦଳୀୟ ନେତାଙ୍କ ଅସହଯୋଗ ଭକ୍ତଙ୍କ ଚିନ୍ତା ବଢାଇଛି। ବିମାନବନ୍ଦରରୁ ବଡଦାଣ୍ଡକୁ ମେଗା ସୋ’ରେ ବାହାରିଛନ୍ତି ନୂଆ ସଭାପତି। ୩ ଦିନିଆ ଏହି ପଦଯାତ୍ରାକୁ ସଫଳ କରିବାକୁ ଭକ୍ତଙ୍କ ଟିମ୍ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଛନ୍ତି। ଏହାସତ୍ତ୍ବେ ବରିଷ୍ଠ ନେତାଙ୍କ ମରୁଡି ପଦଯାତ୍ରାର ପ୍ରଥମ ଦିନକୁ ଫିକା କରିଛି। ଅନ୍ୟପଟେ କଂଗ୍ରେସର ଯୁବ ବ୍ରିଗେଡ ଭକ୍ତଙ୍କ ମନରେ ଭରିଛନ୍ତି ଜୋଶ। ସଂକଳ୍ପଯାତ୍ରାକୁ ସଫଳ କରିବାକୁ ଭଙ୍ଗାହାତରେ ପଦଯାତ୍ରାକୁ ଆଗେଇ ନେଇଛନ୍ତି ଭକ୍ତ। ଏହି ଜୋଶ ଆଗକୁ ବି ଜାରି ରହିବ କହି ବିଜେଡି-ବିଜେପି ବିରୋଧରେ ରଣହୁଙ୍କାର ଦେଇଛନ୍ତି କଂଗ୍ରେସର ନୂଆ ଦଳପତି।
ଭକ୍ତଙ୍କୁ ସ୍ବାଗତ ପାଇଁ ଛକ ଛକରେ ହୋଇଥିଲା ପ୍ରସ୍ତୁତି। କଳ୍ପନା, ରାଜମହଲ, ଲିଙ୍ଗିପୁର ଦେଇ ପିପିଲିରେ ପହଞ୍ଚିବା ପର୍ଯ୍ୟନ୍ତ ଭକ୍ତଙ୍କ ସହ ଆଗକୁ ବଢିଥିଲେ କଂଗ୍ରେସ କର୍ମୀ। ନିଲମ୍ବନ ଓ ବହିଷ୍କାର ଆଦେଶ ହଟିଥିବା ଅନେକ ନେତାଙ୍କୁ ସଂକଳ୍ପଯାତ୍ରାରେ ଦେଖିବାକୁ ମିଳିଥିଲା।
ଅନ୍ୟପଟେ ସଂକଳ୍ପଯାତ୍ରାରେ ସାମିଲ ହୋଇନାହାନ୍ତି ଦଳର ବରିଷ୍ଠ ନେତା ମହମ୍ମଦ ମୋକ୍କିମ। ଯିଏ ଭକ୍ତଙ୍କ ସହ ପିସିସି ସଭାପତି ରେସରେ ରହିଥିଲେ। ହେଲେ, ପଦଯାତ୍ରାରେ ସାମିଲ ହୋଇଛନ୍ତି ଝିଅ ସୋଫିଆ ଫିର୍ଦୋସ୍। ତେବେ ପ୍ରଥମଦିନରୁ ବରିଷ୍ଠ ନେତାଙ୍କ ଅସହଯୋଗ କଂଗ୍ରେସ ନେତାଙ୍କୁ ଏକାଠି କରିବାରେ ଭକ୍ତଙ୍କ ପାଇଁ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ।