କନକ ବ୍ୟୁରୋ : ବାଲେଶ୍ଵର ଫକୀରମୋହନ କଲେଜ ପରିସରରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ । ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କଲେ ଛାତ୍ରୀ । କଲେଜ ଅଧ୍ୟାପକ ଦୁର୍ବ୍ୟବହାର କରୁଥିବା ନେଇ କଲେଜ ଅଧ୍ୟକ୍ଷଙ୍କୁ ଅଭିଯୋଗ କରିଥିଲେ । କିନ୍ତୁ ଅଭିଯୁକ୍ତ ଅଧ୍ୟାପକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ନିଜ ଜୀବନ ନେବାକୁ ଉଦ୍ୟମ କରିଛନ୍ତି ପୀଡିତା ଛାତ୍ରୀ । ଗୁରୁତର ଅବସ୍ଥାରେ ତାଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ ହେବାରୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ ଛାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଦୁଇ ଜଣ ଛାତ୍ର ଆହତ ହୋଇଛନ୍ତି । ସେମାନେ ବାଲେଶ୍ୱର ମେଡିକାଲ କଲେଜରେ ଚିକିତ୍ସିତ ହେଉଛନ୍ତି । ପିଏଚ୍ଡି ଦ୍ୱିତୀୟ ବର୍ଷର ଛାତ୍ରୀ ୧୨ ଦିନ ହେଲା ମାନସିକ ଚାପରେ ଥିଲେ ।
କଲେଜ ଅଧ୍ୟାପକ ଛାତ୍ରୀଙ୍କୁ ଦୁର୍ବବ୍ୟବହାର କରୁଥିବା ନେଇ ସେ କଲେଜ ଅଧ୍ୟକ୍ଷକଙ୍କ ପାଖରେ ଅଭିଯୋଗ କରିଥିଲେ । ଅଭିଯୋଗର ତଦନ୍ତ ପାଇଁ କଲେଜ କର୍ତ୍ତୃପକ୍ଷ ଏକ ଇଣ୍ଟରନାଲ କମିଟି ଗଠନ କରିଥିଲେ । ଅନ୍ୟପଟେ ଛାତ୍ରୀ ଜଣକ ଅଧ୍ୟାପକ ଅସଦାଚରଣ କରୁଥିବା ନେଇ ଥାନାର ମଧ୍ୟ ଦ୍ୱାରସ୍ଥ ହୋଇଥିଲେ । ପୁଲିସ ଛାତ୍ରୀଙ୍କ ବୟାନ ମଧ୍ୟ ରେକର୍ଡ କରିଥିଲା । ଆଜି କଲେଜ ଅଧ୍ୟକ୍ଷ ପୀଡିତା ଛାତ୍ରୀଙ୍କୁ କଥା ହେବା ପାଇଁ ଡାକିଥିଲେ । ପ୍ରିନ୍ସିପାଲଙ୍କ ପ୍ରକୋଷ୍ଠରୁ ବାହାରିବା ପରେ ଛାତ୍ରୀ ଜଣକ ନିଜ ଦେହରେ ପେଟ୍ରୋଲ ଢାଳି ହୋଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡିଛି । ଅଭିଯୁକ୍ତ ଅଧ୍ୟାପକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ଘଟଣାକୁ ଚାପି ଦେବାକୁ ଉଦ୍ୟମ ହେଉଥିବା ଅନୁଭବ କରିବା ପରେ ପୀଡିତା ଚରମ ପଦକ୍ଷେପ ନେଇଛନ୍ତି ।