କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ନିୟମ ଲାଗୁ ହେବା ପରେ ସାରା ବିଶ୍ୱର ଅର୍ଥନୀତି ତଳମୁହାଁ ହେବାରେ ଲାଗିଛି । ଏହାର ସିଧାସଳଖ ପ୍ରଭାବ ଭାରତୀୟ ବଜାର ଉପରେ ମଧ୍ୟ ପଡିଛି । ଭାରତ ଉପରେ ଟ୍ରମ୍ପଙ୍କ ୨୬ ପ୍ରତିଶତ ଟାରିଫ ଓ ଅନ୍ୟ ଦେଶମାନଙ୍କ ଉପରେ ଟାରିଫ୍ ଲଗାଇବା ପରେ ସାରା ବିଶ୍ୱର ଅର୍ଥନୀତି ଦୋହଲି ଯାଇଛି । ଏହାର ପ୍ରଭାବରେ ଭାରତୀୟ ସେନସେକ୍ସ ୫୦୦ ପଏଣ୍ଟ ତଳକୁ ଖସିଛି । କେବଳ ସେନସେକ୍ସ ନୁହେଁ ବରଂ ନିଫ୍ଟି ଉପରେ ମଧ୍ୟ ଏହାର ପ୍ରଭାବ ପଡିଛି । 

Advertisment

କେବଳ ଭାରତ ନୁହେଁ ଟ୍ରମ୍ପ୍ ବିଶ୍ୱର ୧୮୦ ରୁ ଅଧିକ ଦେଶ ଉପରେ ଟାରିଫ୍ ଲଗାଇଛନ୍ତି । ଏହାର ପ୍ରଭାବ ଆଇଟି କମ୍ପାନୀଙ୍କ ସେୟାର ଉପରେ ପଡିଛି । ମାର୍କେଟ ଖୋଲିବା ମାତ୍ରେ ଟିସିଏସ୍, ଟେକ୍ ମହିନ୍ଦ୍ରା ଓ ଏଚସିଏଲ ଭଳି କମ୍ପାନୀର ସେୟାର ମୂଲ୍ୟ ୨୫ ପ୍ରତିଶତ ହ୍ରାସ ପାଇଛି । ସେହିଭଳି ଜାପାନର ନିକ୍କୋଇରେ ମଧ୍ୟ ୨.୫ ପ୍ରତିଶତ ଅର୍ଥାତ ୨୨୫ ପଏଣ୍ଟ ହ୍ରାସ ପାଇଛି । 

ବୁଧବାର ଦିନ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘୋଷଣା ମୁତାବକ ଆମେରିକା ବିଶ୍ୱର ୧୮୦ ରୁ ଅଧିକ ଦେଶ ଉପରେ ଟାରିଫ୍ ଲଗାଇଛି । ଏହି କ୍ରମରେ ଚୀନ ଉପରେ ୩୪ ପ୍ରତିଶତ, ୟୁରୋପୀୟ ୟୁନିୟନ ଉପରେ ୨୦ ପ୍ରତିଶତ, ଦକ୍ଷିଣ କୋରିଆ ଉପରେ ୨୫ ପ୍ରତିଶତ, ଭାରତ ଉପରେ ୨୬ ପ୍ରତିଶତ, ଭିଏତନାମ ଉପରେ ୪୬ ପ୍ରତିଶତ, ତାଇୱାନ ଉପରେ ୩୨ ପ୍ରତିଶତ, ଜାପାନ ଉପରେ ୨୪ ପ୍ରତିଶତ, ଥାଇଲାଣ୍ଡ ଉପରେ ୩୬ ପ୍ରତିଶତ, ସ୍ୱିଜରଲାଣ୍ଡ ଉପରେ ୩୧ ପ୍ରତିଶତ, ଇଣ୍ଡୋନେସିଆ ଉପରେ ୩୨ ପ୍ରତିଶତ, ମାଲେସିଆ ଉପରେ ୨୪ ପ୍ରତିଶତ, କମ୍ବୋଡିଆ ଉପରେ ୪୯ ପ୍ରତିଶତ ସର୍ବାଧିକ ଟାରିଫ ଲଗାଇଛନ୍ତି ଆମେରିକା ରାଷ୍ଟ୍ରପତି । 

ଟ୍ରେଡ ଟାରିଫ୍ ନେଇ ଭାରତ ଓ ଆମେରିକା ମଧ୍ୟରେ ଶୀତଳଯୁଦ୍ଧ ଆରମ୍ଭ ହୋଇଛି । ଏସବୁ ଭିତରେ ଟ୍ରମ୍ପ ଭାରତକୁ ନେଇ କିଛି ବୟାନ ଦେଇଛନ୍ତି । ସେ କହିଛନ୍ତି କି, ଭାରତ ସରକାର ଆମେରିକା ସହ ବାଣିଜ୍ୟକୁ ନେଇ କଡା ଆଭିମୁଖ୍ୟ ଗ୍ରହଣ କରିଛି । ପ୍ରଧାନମନ୍ତ୍ରୀ ମୋର ବନ୍ଧୁ ହୋଇପାରନ୍ତି । ହେଲେ ସେ ବାଣିଜ୍ୟ ବ୍ୟବସାୟରେ ଆମେରିକା ସହ ଭଲ ବ୍ୟବହାର କରୁନାହାଁନ୍ତି । ଭାରତ ଆମ ଉପରେ ୫୨ ପ୍ରତିଶତ ଟ୍ୟାକ୍ସ ଲଗାଉଛି ।