କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏପ୍ରିଲ ୨ ରେ ବିଶ୍ୱର ବିଭିନ୍ନ ଦେଶକୁ ଟାର୍ଗେଟ କରି ପ୍ରତିଶୋଧମୂଳକ ଶୁଳ୍କ ଘୋଷଣା କରିଥିଲେ, ଯାହା ବିଶ୍ୱ ବାଣିଜ୍ୟ ଯୁଦ୍ଧ ସୃଷ୍ଟି କରିପାରେ । ଅଟୋମୋବାଇଲ, ଦୁଗ୍ଧ, ଇସ୍ପାତ ଏବଂ ଇଲେକ୍ଟ୍ରୋନିକ୍ସ ଭଳି କ୍ଷେତ୍ର ଏହି ଶୁଳ୍କ ଦ୍ୱାରା ବିପଦରେ ପଡ଼ିଛି । ରାଷ୍ଟ୍ରପତି ଚୀନରୁ ଆମଦାନୀ ଉପରେ ୩୪ ପ୍ରତିଶତ ଏବଂ ୟୁରୋପୀୟ ସଂଘରୁ ଆମଦାନୀ ଉପରେ ୨୦ ପ୍ରତିଶତ ନୂଆ ଶୁଳ୍କ ଲାଗୁ କରିଛନ୍ତି । ଦୁହେଁ ଆମେରିକାର ପ୍ରମୁଖ ବାଣିଜ୍ୟ ସହଯୋଗୀ । ଏଥିସହିତ ସେ ଭାରତ ଉପରେ ୨୬ ପ୍ରତିଶତ ରିହାତି ଶୁଳ୍କ ଘୋଷଣା କରିଛନ୍ତି । ଯେଉଁ ସବୁ ଦେଶ ଉପରେ ଆମେରିକା ପ୍ରତିଶୋଧମୂଳକ ଶୁଳ୍କ ଲଗାଇଛି ତାହାର ତାଲିକା ୧୦%ରୁ ୪୯% ପର୍ଯ୍ୟନ୍ତ ରହିଛି । ଭାରତ ଉପରେ ୨୬ ପ୍ରତିଶତ ରେସିପ୍ରୋକାଲ ଟାରିଫ୍ ଅର୍ଥାତ୍ ଜେସାକୁ ତେସା ଶୁଳ୍କ ଲଗାଇଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଭାରତୀୟ ସମୟ ବୁଧବାର ବିଳମ୍ବିତ ରାତିରେ ନୂଆ ଶୁଳ୍କ ନୀତି ଘୋଷଣା କରିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ । ଏଥିରେ ଭାରତ ବ୍ୟତୀତ ଚୀନ୍ ଉପରେ ୩୪%, ୟୁରୋପୀୟ ସଂଘ ଉପରେ ୨୦%, ଦକ୍ଷିଣ କୋରିଆ ଉପରେ ୨୫%, ଜାପାନ ଉପରେ ୨୪%, ଭିଏତନାମ ଉପରେ ୪୬%, ତାଇୱାନ ଉପରେ ୩୨%, ଶ୍ରୀଲଙ୍କା ଉପରେ ୪୪% ଏବଂ ପାକିସ୍ତାନ ଉପରେ ୨୯% ରେସିପ୍ରୋକଲ ଟାରିଫ ନେଇ ଘୋଷଣା କରିଛନ୍ତି ଟ୍ରମ୍ପ । ଏହି ସମୟରେ ଟ୍ରମ୍ପ କହିଛନ୍ତି, ଶୁଳ୍କକୁ ନେଇ ଭାରତ ବହୁତ କଠୋର ନୀତି ଆପଣାଉଛି ।
ଟ୍ରମ୍ପ୍ଙ୍କ ‘ଶୁଳ୍କ ବୋମା’
ପାରସ୍ପରିକ ଟିକସ ହେଉଛି ଏକ ବ୍ୟବସାୟିକ ନୀତି
ଏହା ଅଧୀନରେ ଗୋଟିଏ ଦେଶ ଅନ୍ୟ ଦେଶର ଉତ୍ପାଦ ଉପରେ ନିଜ ଉତ୍ପାଦ ଉପରେ ଲାଗୁ ହେଉଥିବା ଆମଦାନୀ ଶୁଳ୍କ ସହ ସମାନ ଟିକସ ଲାଗୁ କରିଥାଏ
ଭାରତରେ ଏବେ ୨୬% ଟିକସ ଲାଗୁ ହେବ, ଯାହା ବର୍ତ୍ତମାନର ଶୁଳ୍କ ହାର ଠାରୁ ବହୁତ ଅଧିକ
ଭାରତର ରତ୍ନ ଓ ଅଳଙ୍କାର, ଔଷଧ, ପେଟ୍ରୋକେମିକାଲ୍ସ ଏବଂ ଅଟୋମୋବାଇଲ୍ସ ଶିଳ୍ପ ସବୁଠାରୁ ଅଧିକ ପ୍ରଭାବିତ ହେବ
ବିଶ୍ୱସ୍ତରରେ ସମସ୍ତ ଆମଦାନୀ ଉପରେ ୧୦% ମୂଳ ଶୁଳ୍କ
ଭାରତ ଅଟୋମୋବାଇଲ୍ ଉପରେ ୨୫% ଶୁଳ୍କ
ଚୀନ୍ (୩୪%), ୟୁରୋପୀୟ ସଂଘ (୨୦%), ଜାପାନ (୨୪%) ଏବଂ ଦକ୍ଷିଣ କୋରିଆ (୨୫%) ଭଳି ପ୍ରମୁଖ ବାଣିଜ୍ୟ ସହଯୋଗୀଙ୍କ ଉପରେ ଆମେରିକା ଶୁଳ୍କ ଲାଗୁ କରିଛି
ପାକିସ୍ତାନକୁ ୨୯%, ତୁର୍କୀକୁ ୧୦% ଏବଂ ଶ୍ରୀଲଙ୍କାକୁ ୪୪% ଶୁଳ୍କ ଦେବାକୁ ପଡ଼ିବ