କନକ ବ୍ୟୁରୋ: ମଲାଲୋକଙ୍କ ନାଁରେ ଭତ୍ତା ବଣ୍ଟନ ବା ଭୂତ ଖାଉଛି ଭତ୍ତା ଟଙ୍କା ପରି ଅନେକ ଅଭିଯୋଗ ଆପଣ ଶୁଣିଥିବେ। କିନ୍ତୁ ତା’ର ପୂରା ଓଲଟା ଗୋଟିଏ ଘଟଣା ଦେଖିବାକୁ ମିଳିଛି । ଜଣେ ବଞ୍ଚି ଥାଉଁଥାଉଁ, ସେ ମରିଯାଇଥିବା କାଗଜପତ୍ରରେ ଦର୍ଶାଇ ତାଙ୍କ ଭତ୍ତା ଟଙ୍କା ବନ୍ଦ କରିଦିଆଯାଇଛି। 

Advertisment
  • ବଞ୍ଚି ଥାଉଥାଉ ମାରିଦେଲେ !
  • ଭତ୍ତା ନମିଳିବାରୁ ପଦାକୁ ଆସିଲା ଘଟଣା
  • ବ୍ୟକ୍ତିଗତ ଆକ୍ରୋଶ ନା ଦୁର୍ନୀତି?

ଯାଜପୁର ଜିଲ୍ଲା କୋରେଇ ବ୍ଲକ୍ ରାଣୀଗଡ଼ା ଗାଁର ସ୍ବର୍ଗତ ବାବାଜୀ ସେଠୀଙ୍କ ପତ୍ନୀ ମାଳତୀ। ବୟସ ୭୮ ବର୍ଷ। କେନ୍ଦ୍ର ସରକାରଙ୍କ ଏନଏସପିରେ ମାଳତୀ ମାସକୁ ୧ ହଜାର ଟଙ୍କା ବିଧବା ଭତ୍ତା ପାଉଥିଲେ । କିନ୍ତୁ ଦୁଇମାସ ହେଲା ଭତ୍ତା ବନ୍ଦ ହୋଇଯାଇଛି। ମାଳତୀଙ୍କ ପରିବାର ବ୍ଲକ୍ ଅଫିସକୁ ଯାଇ ବୁଝିଥିଲେ। ଉତ୍ତର ମିଳିଥିଲା ଯେ, ୩ ମାସ ତଳୁ ମାଳତୀଙ୍କର ମୃତ୍ୟୁ ହୋଇଛି । ସରପଞ୍ଚ ଓ ତତ୍କାଳୀନ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏହା ଜଣାଇବା ପରେ ପୋର୍ଟାଲରୁ ନାଁ କାଟି ଦିଆଯାଇଛି । 

ବଞ୍ଚିଥିବା ବୃଦ୍ଧା ମାଆଙ୍କୁ କାଗଜପତ୍ରରେ ମାରି ଦିଆଯାଇଥିବା ଅଭିଯୋଗ ନେଇ ମାଳତୀଙ୍କ ପୁଅ ଦୟାନିଧି ସେଠୀ କୋରେଇ ବିଡିଓ ଅବନୀକାନ୍ତ ସାହୁଙ୍କ ଜଣାଇଛନ୍ତି। ସ୍ଥାନୀୟ ବିଧାୟକ ଆକାଶ ଦାସନାୟକଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ଏଥିସହ ପାଣିକୋଇଲି ଥାନାରେ ସରପଞ୍ଚ ଓ ତତ୍କାଳୀନ ପିଇଓଙ୍କ ନାଁରେ ଏତଲା ଦେଇଛନ୍ତି। କୋରେଇ ବିଡିଓ ଅବନୀକାନ୍ତ ସାହୁ କହିଛନ୍ତି, ଘଟଣା ବିଷୟରେ ସେ ଅବଗତ ଅଛନ୍ତି ଏବଂ ତଦନ୍ତ ପରେ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । 

ତେବେ ବଞ୍ଚିଥିବା ଲୋକଙ୍କୁ କାଗଜପତ୍ରରେ ମାରିଦେଇ ଭତ୍ତା ବନ୍ଦ କରିଦେବା ଘଟଣା ପଛରେ ବ୍ୟକ୍ତିଗତ ଆକ୍ରୋଶ, ରାଜନୈତିକ ଶତ୍ରୁତା ନା ଭତ୍ତା ଟଙ୍କା ଆତ୍ମସାତ ଅଭିସନ୍ଧି?