କନକ ବ୍ୟୁରୋ: ଗତ ସାଧାରଣ ନିର୍ବାଚନ ପୂର୍ବରୁ ରାସନକାର୍ଡଧାରୀଙ୍କୁ ଝୋଟ ବ୍ୟାଗ ବାଣ୍ଟିଥିଲେ ପୂର୍ବ ସରକାର । କିନ୍ତୁ ଆପଣ କେବେ ଜାଣିଛନ୍ତି କି, ଯେଉଁ ଝୋଟ ବ୍ୟାଗ ବାଣ୍ଟି ସରକାର ବାଃ ବାଃ ସାଉଣ୍ଟିଥିଲେ, ସେହି ବ୍ୟାଗ୍ କିଣାରେ ହୋଇଛି କୋଟି କୋଟି ଟଙ୍କାର ଦୁର୍ନୀତି ।
ନିର୍ବାଚନ ପୂର୍ବରୁ ରାସନକାର୍ଡଧାରୀଙ୍କୁ ମିଳିଥିଲା ଏହି ଝୋଟ ବ୍ୟାଗ । ଅନେକଙ୍କୁ ଏହି ବ୍ୟାଗ ସାମାନ୍ୟ ବ୍ୟାଗ୍ ଲାଗିପାରେ, କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଝୋଟ ବ୍ୟାଗ କିଣାରେ ହୋଇଛି କୋଟି କୋଟି ଟଙ୍କାର ହେରଫେର । ଏକଥା ଆମେ କହୁନାହୁଁ, ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ସୂଚନା ଅଧିକାର କର୍ମୀ । ସୂଚନା ଅଧିକାର ଆଇନ ବଳରେ ଓଡ଼ିଶା ରାଜ୍ୟ ଖାଦ୍ୟ ଯୋଗାଣ ନିଗମକୁ ଝୋଟ ବ୍ୟାଗ୍ ସଂପର୍କରେ ତଥ୍ୟ ମଗାଯାଇଥିଲା । ଝୋଟ ବ୍ୟାଗ୍ କିଣିବା ପାଇଁ କିପରି ନିଷ୍ପତ୍ତି ନିଆଗଲା? ଏହି ନିଷ୍ପତ୍ତିର କପି ଅଛି କି ? ଝୋଟ ବ୍ୟାଗ୍ ଯୋଗାଣ ପାଇଁ ଯେଉଁ ସଂସ୍ଥାକୁ ଚୟନ କରାଗଲା, ସେହି ସଂସ୍ଥା ସହିତ ରାଜ୍ୟ ସରକାରଙ୍କ ହୋଇଥିବା ଚୁକ୍ତିନାମାର କପି ଅଛି କି? ଏହି ବ୍ୟାଗ୍ ଆବଣ୍ଟନ ପାଇଁ କେଉଁ କେଉଁ ଅଧିକାରୀ ଜିଲ୍ଲା ଓ ରାଜ୍ୟସ୍ତରରେ ଦାୟିତ୍ୱରେ ଥିଲେ ବୋଲି ସୂଚନା ଚାହିଁଥିଲେ ସୂଚନା ଅଧିକାର କର୍ମୀ । କିନ୍ତୁ ତଥ୍ୟ ଦେବାକୁ ରାଜି ନାହିଁ ନିଗମ ।
ଓଡ଼ିଶା ରାଜ୍ୟ ଖାଦ୍ୟ ଯୋଗାଣ ନିଗମ ଏହି ଝୋଟ ବ୍ୟାଗ ସମ୍ପର୍କରେ ଯେଉଁ ତଥ୍ୟ ଦେଇଛି ତାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ନିଗମର କହିବା ଅନୁଯାୟୀ, କେତେ ବ୍ୟାଗ୍ କିଣା ହୋଇଛି, କେଉଁ ଜିଲ୍ଲାକୁ କେତେ ପ୍ରଦାନ ହୋଇଛି , ଏହି ତଥ୍ୟ ନିଗମରେ ନାହିଁ । ଯେଉଁ ଅଧିକାରୀ ମାନେ ଦାୟିତ୍ୱରେ ଥିଲେ ସେମାନଙ୍କ ନାମ ଗୋପନୀୟ ରଖାଯିବ ବୋଲି ନିଗମ କର୍ତ୍ତୃପକ୍ଷ କହିଛନ୍ତି । ତେବେ ଏସବୁ ତଥ୍ୟ ଦେବାରେ କୌଣସି ସମସ୍ୟା ନାହିଁ ବୋଲି କହିଛନ୍ତି ପୂର୍ବତନ ରାଜ୍ୟ ସୂଚନା କମିଶନର ।
ଏସଂପର୍କରେ ଆମେ ଓଡ଼ିଶା ରାଜ୍ୟ ଖାଦ୍ୟ ଯୋଗାଣ ନିଗମର କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିବାକୁ ଚାହିଁଥିଲୁ କିନ୍ତୁ ଏନେଇ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ତେବେ ନିଗମ କର୍ତ୍ତୃପକ୍ଷଙ୍କର ତଥ୍ୟ ଲୁଚାଇବା ଘଟଣା ସ୍ପଷ୍ଟ କରୁଛି ଯେ, ଏହି କାରବାର ପଛରେ ରହିଛି ବଡ ବଡିଆଙ୍କ ହାତ ।