କନକବ୍ୟୁରୋ : ରାଉରକେଲା ଇସ୍ପାତ କାରଖାନା (ଆରଏସପି)ର ମନ୍ଥନ ସମ୍ମିଳନୀ କକ୍ଷ ଠାରେ ଜୁଲାଇ ୨ ତାରିଖରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ , ଆରଏସପି ତଥା ଦୁର୍ଗାପୁର ଇସ୍ପାତ କାରଖାନା ଏବଂ ଇସ୍ପାତ କାରଖାନାର ଭାରପ୍ରାପ୍ତ ନିର୍ଦ୍ଦେଶକ ଶ୍ରୀ ଆଲୋକ ବର୍ମା ସେଲ କର୍ପୋରେଟ୍ ବ୍ୟାପାର ବିଭାଗ ଦ୍ବାରା ଆୟୋଜିତ ଏଆଇ ଆଣ୍ଡ ୟୁ ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କାର ଏବଂ ପ୍ରମାଣପତ୍ର ପ୍ରଦାନ କରିଥିଲେ ।
ଏହି ଅବସରରେ ମାନବ ସମ୍ବଳ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ତରୁଣ ମିଶ୍ର, କାର୍ଯ୍ୟ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ବିଶ୍ଵରଞ୍ଜନ ପଲାଇ, ସାମଗ୍ରୀ ପରିଚାଳନା ବିଭାଗର ନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଅନିଲ କୁମାର, ଖଣି ବିଭାଗର ନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଏମ ପି ସିଂହ, ସି ଆଣ୍ଡ ଆଇଟି ବିଭାଗର ସିଜିଏମ ଶ୍ରୀ କେ.କେ. ସେନଗୁପ୍ତା, ହଟ ଷ୍ଟ୍ରିପ ମିଲ୍ ଓ ଆନୁଷଙ୍ଗିକ ବିଭାଗର ସିଜିଏମ ଶ୍ରୀ ସୁବ୍ରତ କୁମାର, ଏନପିଏମ ଓ ଏସପିପି ବିଭାଗର ସିଜିଏମ ଶ୍ରୀ ଆର.କେ. ବିସାରେ, ଏବଂ କାରଖାନାର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଉଲ୍ଲେଖନୀୟ, କର୍ମଚାରୀମାନେ କିପରି ସେମାନଙ୍କର ଦୈନନ୍ଦିନ ଜୀବନରେ କୃତ୍ରିମ ବୁଦ୍ଧିମତ୍ତା ବ୍ୟବହାର କରନ୍ତି ସେ ବିଷୟରେ ଅବଗତ ହେବା ଏବଂ ସେମାନଙ୍କୁ ଏଆଇ ବ୍ୟବହାର ଆରମ୍ଭ କରିବା ପାଇଁ ପ୍ରେରଣା ଦେବା ପାଇଁ ସେଲ କର୍ପୋରେଟ୍ ଅଫିସ୍ ଦ୍ବାରା ମାର୍ଚ୍ଚ ୧୦ରୁ ଅପ୍ରେଲ ୧୦ ତାରିଖ ପର୍ଯ୍ୟନ୍ତ ଏଆଇ ଆଣ୍ଡ ୟୁ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା ।
ପ୍ରତିଯୋଗିତାରେ ୫୦୦ରୁ ଅଧିକ କର୍ମଚାରୀ ଉତ୍ସାହ ସହକାରେ ଅଂଶଗ୍ରହଣ କରିଥିଲେ । ତେଣୁ କେବଳ ୫ ଜଣ କର୍ମଚାରୀଙ୍କୁ ପୁରସ୍କୃତ କରିବାର ପୂର୍ବ ଯୋଜନାକୁ ବୃଦ୍ଧି କରାଯାଇଥିଲା । ତଦନୁସାରେ ୧୦ ଜଣ କର୍ମଚାରୀଙ୍କୁ ବର୍ଗ ୧ ଅଧୀନରେ ପୁରସ୍କାର ପାଇଁ ବଛା ଯାଇଥିଲା । ଯାହା ଅନ୍ତର୍ଗତ ନଗଦ ୫୦୦୦ ଟଙ୍କା ଅର୍ଥରାଶି ଏବଂ ଅନ୍ୟ ୧୦ ଜଣ କର୍ମଚାରୀଙ୍କୁ ବର୍ଗ ୨ ଅଧୀନରେ ମନୋନୀତ କରାଯାଇଥିଲା ଯେଉଁଥିରେ ସେଲ ସିଏମଡ଼ିଙ୍କ ଠାରୁ ପ୍ରଶଂସା ପତ୍ର ଅନ୍ତର୍ଭୁକ୍ତ ଥିଲା ।
ବର୍ଗ-୧ ଅଧୀନରେ ପୁରସ୍କାର ବିଜେତାମାନେ ହେଉଛନ୍ତି ସି ଆଣ୍ଡ ଆଇଟି ବିଭାଗର ଡ଼ିଜିଏମ ଶ୍ରୀ ସଂଜୟ କୁମାର ଗୌଡମ୍ ବ୍ଲାଷ୍ଟ ଫର୍ମେସ ବିଭାଗର ଆସିଷ୍ଟାଣ୍ଟ ମ୍ୟାନେଜର ଶ୍ରୀ ବି ବି ଅରୁଣ କୁମାର, ସି ଆଣ୍ଡ ଆଇଟି ବିଭାଗର ସିନିୟର ଟେକନିସିଆନ ଶ୍ରୀ କବି ବିରୋଜ କୁମାର, ଏବଂ ବର୍ଗ-୨ ଅଧୀନରେ ବିଜେତାମାନେ ହେଉଛନ୍ତି ଏନପିଏମ ବିଭାଗର ଜୁନିଅର ଇଞ୍ଜିନିୟରିଂ ଆସୋସିଏଟ୍ ଶ୍ରୀ ସୁଭାସିସ ପଣ୍ଡା, ଏବଂ ଏଚଏସଏମ ବିଭାଗର ଜୁନିଅର ଇଞ୍ଜିନିୟରିଂ ଆସୋସିଏଟ୍ ଶ୍ରୀ ଶ୍ରୀକାନ୍ତ ମଲିକ । ପୁରସ୍କାର ବିଜେତାମାନଙ୍କୁ ଅଭିନନ୍ଦନ ଜଣାଇ ଶ୍ରୀ ଆଲୋକ ବର୍ମା କର୍ମଚାରୀମାନଙ୍କର ଉଦ୍ୟମୀ ମନୋଭାବକୁ ପ୍ରଶଂସା କରିଥିଲେ ଯେଉଁମାନେ ସେମାନଙ୍କର ନିୟମିତ କାର୍ଯ୍ୟ ସହିତ କାରଖାନା ପାଇଁ ଲାଭଦାୟକ କିଛି ନୂତନ କରିବା ପାଇଁ ଆଗଭର ହୋଇଥିଲେ ।
ସେ ସେମାନଙ୍କର ପ୍ରକଳ୍ପଗୁଡ଼ିକୁ ଆଗକୁ ବଢ଼ାଇବା ପାଇଁ ସମସ୍ତ ପ୍ରକାରର ସମର୍ଥନ ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। “ନିତ୍ୟ ଜୀବନ ମଧ୍ୟରେ କେବେବି ସୃଜନଶୀଳ ଭାବନା ହରାନ୍ତୁ ନାହିଁ," ବୋଲି ସେ ଆହୁରି ମଧ୍ୟ କହିଥିଲେ। କାରଖାନା ପାଇଁ ବିପୁଳ ଲାଭ ଆଣିପାରିବା ଭଳି ଚିନ୍ତାଧାରା ପ୍ରଦାନ କରିବାକୁ ସେ କର୍ମଚାରୀମାନଙ୍କୁ ପ୍ରେରଣା ଦେଇଥିଲେ।
ସମସ୍ତ ନିର୍ବାହୀ ନିର୍ଦ୍ଦେଶକ ଏହି ଅବସରରେ ପୁରସ୍କାର ବିଜେତା ମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ଏଆଇ ମାଧ୍ୟମରେ ଉନ୍ନତି ଆଣିହେବା କ୍ଷେତ୍ରଗୁଡ଼ିକ ବିଷୟରେ ଆଲୋଚନା କରିଥିଲେ । ପୁରସ୍କାର ବିଜେତାମାନେ ସେମାନଙ୍କର ପ୍ରକଳ୍ପଗୁଡ଼ିକର ବିବରଣୀ ସହଭାଗିତା କରିଥିଲେ, ଯାହାକୁ ସମସ୍ତେ ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମକୁ ଲୋକସମ୍ପର୍କ ବିଭାଗର ଜିଏମ ତଥା ସଞ୍ଚାରମୁଖ୍ୟ ଶ୍ରୀମତୀ ଅର୍ଚ୍ଚନା ଶତପଥୀ ସଂଯୋଜନା କରିଥିଲେ ।