କନକ ବ୍ୟୁରୋ: ବୟସ ଛୁଇଁଲାଣି ୮୨ ବର୍ଷ, ଆଖୁକୁ ଭଲ ଭାବେ ଦିଶୁ ନାହିଁ, ଶରୀରରେ ବାର୍ଦ୍ଧକ୍ୟର ଛାପ ସ୍ପଷ୍ଟ ବାରି ହୋଇପଡୁଛି । କିନ୍ତୁ ପାଠ ପଢ଼ିବାର ନିଶା ସରିନି । ଦୃଢ଼ ଇଚ୍ଛା ଶକ୍ତି ବଳରେ ଓଡ଼ିଆ ଭାଷା ସାହିତ୍ୟରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି, ଜଣେ ଅବସରପ୍ରାପ୍ତ ଶିକ୍ଷକ । ପାଠ ପଢିବା ଲାଗି ବୟସ ବାଧକ ସାଜିପାରେ ନାହିଁ ବୋଲି ପ୍ରମାଣିତ କରିଛନ୍ତି କେନ୍ଦ୍ରାପଡ଼ା ରାଜକନିକା ବ୍ଲକର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋପୀନାଥ ବିଶ୍ୱାଳ ।

Advertisment

ପାଠପଢ଼ାରେ ବୟସ ସୀମା ନଥାଏ । ପଢିବା ପାଇଁ ଆଗ୍ରହ ଆବଶ୍ୟକ। ଦୃଢ଼ ଇଚ୍ଛା ଶକ୍ତି ଓ ପରିବାରର ମିଳିଲେ ଜଣ ବୟସ୍କ ବ୍ୟକ୍ତି ମଧ୍ୟ ଶିକ୍ଷାରେ ସଫଳତା ପାଇପାରିବେ । ସେମିତି ସଫଳତା ପାଇଛନ୍ତି ୮୨ ବର୍ଷୀୟ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋପୀନାଥ ବିଶ୍ୱାଳ। ଓଡ଼ିଆ ଭାଷା ସାହିତ୍ୟରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି ।  

ରାଜକନିକା ବ୍ଲକ ମେଘପୁରୁ ଗାଁରେ ୧୯୪୨ରେ ଜନ୍ମ ଗ୍ରହଣ କରିଥିଲେ ଗୋପୀନାଥ ବିଶ୍ୱାଳ । ୧୯୫୯ରେ ଆୟତନ ସ୍କୁଲ ସପ୍ତମ ପାସ କରି ସମ୍ବଲପୁରୁ ଆରମ୍ଭ କରିଥିଲେ ଶିକ୍ଷକତା । ଶିକ୍ଷା ଦାନ କରୁଥିବା ବ୍ୟକ୍ତିଙ୍କ ମନରେ କିନ୍ତୁ ନିଜ ଶିକ୍ଷା ଗ୍ରହଣକୁ ନେଇ ଅବଶୋଷ ଥିଲା । ଚାକିରି କରିବା ସହ ଘରୋଇ ଭାବେ ମାଟ୍ରିକ, ବିଏ ପାସ କରିଥିଲେ । ୧୯୭୯ରେ ବାଲେଶ୍ଵର ସରକାରୀ କଲେଜରୁ ବି.ଇ.ଡି ପାସ କରି ପ୍ରାଥମିକ ଶିକ୍ଷିକରୁ ହାଇସ୍କୁଲ ଶିକ୍ଷକ ଭାବେ ପଦୋନ୍ନତି ପାଇଥିଲେ । ଏହାପରେ ଗୋପୀନାଥ ସାର୍‌ଙ୍କ ଶିକ୍ଷା ଗ୍ରହଣ କରିବାର ଆଗ୍ରହ ଆହୁରି ବଢ଼ିଗଲା । 

ପ୍ରଧାନ ଶିକ୍ଷକ ଭାବେ ଅବସର ନେବା ପରେ ୨୦୨୨ରେ ସମ୍ବଲପୁରୁ ସ୍ଥିତ ଓଡିଶା ରାଜ୍ୟ ମୁକ୍ତ ବିଶ୍ଵବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟରେ ପିଜିରେ ନାମ ଲେଖାଇଥିଲେ । ୨ବର୍ଷ କାଳ ୮ ଘଣ୍ଟା ଲେଖାଏଁ ପରିଶ୍ରମ କରି ପ୍ରଥମ ଶ୍ରେଣୀରେ ସ୍ନାତକୋତ୍ତର ହାସଲ କରିବାରେ ସଫଳ ହୋଇଛନ୍ତି ଗୋପୀନାଥ ସାର୍‌ । ତାଙ୍କୁ ବିଭିନ୍ନ ମହଲରୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଛି ।