କନକ ବ୍ୟୁରୋ: ଓଡିଶା ହକିରେ ଜାତୀୟ ଚାମ୍ପିୟନ ହୋଇ ଫେରିବା ପରେ ଏବେ ଫୁଟବଲ ଉପରେ ଫୋକସ କରିଛନ୍ତି ରାଜ୍ୟ ସରକାର । ହେଲେ ରାଜ୍ୟରେ ହେବାକୁ ଥିବା ଅଣ୍ଡର ୧୫ ଇଣ୍ଟର କ୍ଲବ ଫୁଟବଲ ଚାମ୍ପିଅନସିପରେ କାହିଁକି କେବଳ ଜିଲ୍ଲା ସଂଘ ଓ ଫାଓ ସହିତ ଅନୁମୋଦିତ ଥିବା କ୍ଲବ ଓ ଇନଷ୍ଟିଚ୍ୟୁଟକୁ ସାମିଲ ହେବେ, ସେ ନେଇ ପ୍ରଶ୍ନ ଉଠାଇଛନ୍ତି ଫୁଟବଲ କୋଚ ଓ କ୍ରୀଡା ପ୍ରଶଂସକ । 

Advertisment
  • ହକି ପରେ ଫୁଟବଲରେ ନଜର
  • ହେଲେ କେମିତି ବାହାରିବେ ଖେଳାଳି? 

ହକି ପାଇଁ ଯେମିତି ତୃଣମୂଳ ସ୍ତରରୁ ଖେଳାଳି ଚୟନ କରାଯାଉଛି ଠିକ୍ ସେହିଭଳି ଫୁଟବଲକୁ ଫୋକସ କରି ଗ୍ରାସରୁଟରୁ ଖେଳାଳି ସୃଷ୍ଟି କରାଯିବ । ଏଥିପାଇଁ ଯୋଜନା କରୁଛନ୍ତି ରାଜ୍ୟ ସରକାର। ହକିରେ ଓଡ଼ିଶା ଜାତୀୟ ଚାମ୍ପିୟନ ହେଇକି ଫେରିବା ପରେ ଏବେ ଫୁଟବଲ ଉପରେ ଫୋକସ କରାଯାଉଥିବା ସୂଚନା ଦେଇଛନ୍ତି କ୍ରୀଡା ମନ୍ତ୍ରୀ । କହିଛନ୍ତି, ହକିରେ ଓଡିଶା ଯେଉଁଭଳି ସଫଳତା ହାସଲ କରିଛି ଫୁଟବଲରେ କେମିତି ସେହିପରି ସଫଳତା ହାସଲ କରିବ ତାହା ଉପରେ ଗୁରୁତ୍ବ ଦିଆଯାଉଛି । 

ଏହାରି ଭିତରେ ଫାଓର ଭୂମିକାକୁ ନେଇ ପ୍ରଶ୍ନ ଉଠିଛି । ରାଜ୍ୟ ସରକାର ଜିଲ୍ଲା ସ୍ତରରେ ଫୁଟବଲ ପ୍ରତିଯୋଗିତା କରିବାକୁ ଚାହୁଁଛନ୍ତି ଯେଉଁଥିରେ ବ୍ଲକ ସ୍ତରରୁ ଖେଳାଳି ଚିହ୍ନଟ ହୋଇପାରିବେ । ତେବେ ଫାଓ କେବଳ ଜିଲ୍ଲା ସଂଘ ସହିତ ଫାଓ ଅନୁମୋଦିତ ଥିବା କିଛି ସଂସ୍ଥାକୁ ଚିଠି କରି ଚୁପ୍ ବସିଥିବା ଅଭିଯୋଗ କରିଛନ୍ତି ବରିଷ୍ଠ ଫୁଟବଲ କୋଚ୍ । ଆମେ ଖେଳାଳି ସୃଷ୍ଟ କରିବା ପାଇଁ ଚେଷ୍ଟା କରୁଥିବା ବେଳେ କାହିଁକି ଓପନ ଡୋର ବ୍ୟବସ୍ଥା କରାଯାଉ ନାହିଁ । ଯେଉଁଥିରେ ରାଜ୍ୟର ସମସ୍ତ କ୍ଲବ ଓ ଏକାଡେମି ସାମିଲ ହୋଇ ପାରିବେ । 

ଅଣ୍ଡର ୧୫ ଇଣ୍ଟର କ୍ଲବ ଫୁଟବଲ ଚାମ୍ପିଅନସିପ ପାଇଁ ଫାଓ ରାଜ୍ୟର ସମସ୍ତ ଜିଲ୍ଲା ସଂଘ ଓ ଫାଓ ସହିତ ଅନୁମୋଦିତ ଥିବା କ୍ଲବ ଓ ଇନଷ୍ଟିଚ୍ୟୁଟକୁ ଚିଠି କରିଛି । ଯାହାକୁ ବିରୋଧ କରିଛନ୍ତି ଫୁଟବଲ କୋଚ ଓ କ୍ରୀଡାପ୍ରେମୀ । ସମସ୍ତଙ୍କୁ ସାମିଲ ନକରି କାହିଁକି କେବଳ ଅନୁମୋଦିତ ସଂସ୍ଥା ଓ ଜିଲ୍ଲା ସଂଘ ସାମିଲ ହେବେ ବୋଲି ପ୍ରଶ୍ନ କରିଛନ୍ତି ।